ସାହାରପଡା : ସାରା ଦେଶରେ ବର୍ତ୍ତମାନ କରୋନା ତାର ଦ୍ୱିତୀୟ ଲହରୀର କାୟା ବିସ୍ତାର କରି ଚାଲିଛି । ଏହି କରୋନାର କରାଳ ମାଡ଼ ରେ ବହୁ ମନୁଷ୍ୟ ଜୀବନ ହାନି ହେଉଛି । ଏହି କରୋନା ଦ୍ୱିତୀୟ ଲହରିରେ ବହୁ ଆଗ ଧାଡ଼ିର କରୋନା ଯୋଦ୍ଧା ଭାବେ ପରିଗଣିତ ସାମ୍ବାଦିକଙ୍କ ଜୀବନ ଯାଉଛି । ଏହି କରୋନା ଯୋଦ୍ଧା ଭାବେ କାର୍ଯ୍ୟରତ କେନ୍ଦୁଝର ଜିଲ୍ଲା ସାହାରପଡ଼ା ବ୍ଲକର ମାଛଗଡ଼ ପଞ୍ଚାୟତ ଦୁଧିନାଳୀ ଗ୍ରାମର ରମେଶ ସେନ ମୁଣ୍ଡାଙ୍କ ମୃତ୍ୟୁ ହୋଇଯାଇଛି । ରମେଶ ସେନ ନିଉଜ ସିକ୍ସ ନାମକ ଏକ ୱେବ ଚ୍ୟାନେଲରେ କାର୍ଯ୍ୟରତ ଥିଲେ । ତାଙ୍କର ଘରେ ସ୍ତ୍ରୀ ଓ ଦୁଇ ପୁଅ ଝିଅ ଅଛନ୍ତି । ତାଙ୍କର ଅକାଳ ବିୟୋଗରେ ଦଶାହ କାର୍ଯ୍ୟ ପାଇଁ ସାହାଯ୍ୟର ହାତ ବଢାଈଛି କେନ୍ଦୁଝର ଜିଲ୍ଲା ଯୁବ ସାମ୍ବାଦିକ ସଙ୍ଘ । ଆଜି ସଂଘ ସମ୍ପାଦକ ସନ୍ତୋଷ ମହାପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ତାଙ୍କ ଦୁଧିନାଳୀ ସ୍ଥିତ ବାସଭବନକୁ ଯାଇଥିଲେ । ତାଙ୍କ ପତ୍ନୀଙ୍କୁ ଦଶାହ କାର୍ଯ୍ୟପାଇଁ ସହଯୋଗ ରାଶି ପ୍ରଦାନ କରିବା ସହ ଆଗାମୀ ଦିନରେ ଅସୁବିଧା ସମୟରେ ସହଯୋଗର ଆଶ୍ୱାସନା ଦେଇଥିଲେ । ଯୁବ ସାମ୍ବାଦିକ ସଙ୍ଘ ପରିବାରର ପ୍ରତ୍ୟକ ସଦସ୍ୟ ଏହି ରାଶିରେ ସହଯୋଗର ହାତ ବଢାଇଥିଲେ । ଆଜି ଏହି ପ୍ରତିନିଧି ଦଳରେ ଅନ୍ୟମାନଙ୍କ ମଧ୍ୟରେ କୋଷାଧ୍ୟକ୍ଷ ହେମନ୍ତ ମହାରଣା, ସଦସ୍ୟ ଶିବାଜୀ ଗୌତମ ମହାନ୍ତ ବର୍ମା, ରତିରଞ୍ଜନ ମହାନ୍ତ ପ୍ରମୁଖ ଉପସ୍ଥିତ ରହିଥିଲେ । ଯୁବ ସାମ୍ବାଦିକ ସଙ୍ଘର ଏହି ଉଦ୍ୟମକୁ ସାହାରପଡ଼ା ସାମ୍ବାଦିକ ସଙ୍ଘ ପକ୍ଷରୁ କୃତଜ୍ଞତା ଜଣା ଯାଇଛି । ଯୁବ ସାମ୍ବାଦିକ ସଂଘ ଏହିଭଳି ପରିସ୍ଥିତିରେ ଜିଲ୍ଲାର ସାମ୍ବାଦିକଙ୍କ ସହ ସହଯୋଗର ହାତ ବଢ଼ାଇବ ବୋଲି ଜିଲ୍ଲା ସଭାପତି ନାରାୟଣ ସାହୁ ପ୍ରକାଶ କରିଛନ୍ତି ।
