ବର୍ଷାଦିନେ ଅନେକ ରୋଗ ବ୍ୟାପିଥାଏ । ପାଗ ବଦଳିବାରୁ ଲୋକମାନେ ଥଣ୍ଡା, ସର୍ଦ୍ଦି ଭଳି ରୋଗରେ ଆକ୍ରାନ୍ତ ହୋଇଥାଆନ୍ତି । ଏଭଳି ପରିସ୍ଥିତିରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଯତ୍ନବାନ ରହିବା ନିହାତି ଆବଶ୍ୟକ । ବର୍ଷା ଋତୁରେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଥାଏ । ତେଣୁ ଅନେକ ସଂକ୍ରମଣ ଜନିତ ରୋଗ ହୋଇଥାଏ । କେତେକ ବିଶେଷ ନିୟମ ରହିଛି ଯାହାକୁ ଅବଲମ୍ବନ କରି ଆପଣ ଏହି ରୋଗରୁ ନିଜକୁ ରକ୍ଷା କରିପାରିବେ । ବର୍ଷାଋତୁରେ ନିୟମିତ ପାଣିକୁ ଫୁଟାଇ ପିଅନ୍ତୁ । ଏହା ଶରୀର ପାଇଁ ଖୁବ୍ ଲାଭଦାୟକ । ଏହି ଋତୁରେ ସଂକ୍ରମଣ ଜନିତ ରୋଗର ଅଧିକ ସମ୍ଭାବନା ଥିବାରୁ ଫୁଟା ପାଣି ପିଇବା ଦ୍ବାରା ରକ୍ଷା ପାଇ ପାରିବେ । ଏହି ଦିନରେ ନିଜ ଖାଦ୍ୟ ପାନୀୟରେ ଅଦାକୁ ସାମିଲ୍ କରନ୍ତୁ । ଅଦା ରସ ମିଶା ଚା’ପିଇଲେ ଥଣ୍ଡା, ସର୍ଦ୍ଦି ଓ ଗଳା ଦରଜରୁ ମୁକ୍ତି ପାଇ ପାରିବେ । ବର୍ଷା ଦିନରେ ଯେତେ ହାଲୁକା ଖାଦ୍ୟ ଖାଇବେ ତାହା ସ୍ୱାସ୍ଥ୍ୟ ପାଇଁ ସେତେ ଭଲ । ତୁଳସୀ ପତ୍ର ମିଶା ପାଣି ପିଇଲେ ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ । ଏହାଛଡା ଭିଟାମିନ୍ ସି ଯୁକ୍ତ ଖାଦ୍ୟ ଖାଇଲେ ସଂକ୍ରମଣଜନିତ ରୋଗରୁ ରକ୍ଷା ପାଇ ପାରିବେ । ଏହି ଋତୁରେ ଫ୍ରିଜ୍ରେ ଥିବା ଖାଦ୍ୟ ଖାଇବା ଆଦୌ ଭଲ ନୁହେଁ । ଉଷୁମ ପରସା ଖାଦ୍ୟ ଖାଇଲେ ହଜମ ହେବା ସହ ଶରୀରକୁ ଶକ୍ତି ମିଳିଥାଏ ।

