‘ଆଜି ସାନିଟାରୀ ପ୍ୟାଡ୍ ଦାବି କରୁଛ, କାଲି କହିବ ଆମକୁ କଣ୍ଡୋମ ଦିଅ’

Top Storise ଦେଶ- ବିଦେଶ

ନୂଆଦିଲ୍ଲୀ: ବିହାର ସରକାରଙ୍କ ଜଣେ ମହିଳା ଅଧିକାରୀ ସଂପ୍ରତି ନିଜର ବୟାନକୁ ନେଇ ଖୁବ୍ ଚର୍ଚ୍ଚାରେ ରହିଛନ୍ତି। ଛାତ୍ରୀମାନେ ତାଙ୍କୁ ମାଗଣାରେ ସାନିଟାରୀ ପ୍ୟାଡ୍ ଦାବି କରିବାରୁ, ଅଧିକାରୀ ବଡ ବିଚିତ୍ର ପ୍ରତିକ୍ରିୟା ଦେଇଥିଲେ। ବିହାର ମହିଳା ବିକାଶର ବରିଷ୍ଠ ଅଧିକାରୀ କହିଥିଲେ, ଏବେ ତ ଆପଣ ମାଗଣାରେ ଜିନ୍ସ ଏବଂ କଣ୍ଡୋମ ମଧ୍ୟ ଦାବି କରିବେ। ତାଙ୍କର ଏମିତି ଆଶାଳୀନ ଟିପ୍ପଣୀକୁ ଶିବସେନା ଏବଂ କଂଗ୍ରେସ ଘୋର ନିନ୍ଦା କରିଛନ୍ତି। ସଶକ୍ତ ବେଟି, ସମୃଦ୍ଧ ବିହାର କାର୍ଯ୍ୟକ୍ରମରେ ଆଇଏଏସ ଅଧିକାରୀଙ୍କ ଏହି ବୟାନ ସଭିଙ୍କୁ ଚକିତ କରିଛି।

ଆଇଏଏସ ଅଧିକାରୀ ହରଜୋତ କୌର ବମହରା ଛାତ୍ରୀଙ୍କ ଦାବି ଉପରେ କହିଥିଲେ ଯେ, ଏମିତି ଦାବିର କଣ ଅନ୍ତ ହୋଇ ପାରିବ କି ? ଆଜି ସାନିଟାରୀ ପ୍ୟାଡ୍ ଦାବି କରୁଛ, କାଲି ପୁଣି କହିବ ସରକାର ଆମକୁ ଜିନ୍ସ ଦିଅନ୍ତୁ। ପୁଣି ସୁନ୍ଦର ଜୋତା କାହିଁକି ଦିଆଯାଉନି ପ୍ରଶ୍ନ କରିବ। ଯେବେ ପରିବାର ନିୟୋଜନର କଥା ଉଠିବ ସରକାରଙ୍କୁ ମାଗଣାରେ କଣ୍ଡୋମ ଦେବା ଉଚିତ୍ ବୋଲି ଦାବି କରିବ।

ଛାତ୍ରୀମାନେ ଯେବେ ଏହା ଜଣାଇବାକୁ ଚେଷ୍ଟା କଲେ ଯେ, ନିର୍ବାଚନ ପୂର୍ବରୁ ରାଜନୈତିକ ଦଳ କେଉଁଭଳି ପ୍ରତିଶ୍ରୁତି ଦିଅନ୍ତି। ଏହା ଉପରେ ଅଧିକାରୀ କହିଛନ୍ତି, ଏହା ମୁର୍ଖତାର ପରାକାଷ୍ଠା। ଜମାରୁ ନେତାମାନଙ୍କୁ ଭୋଟ୍ ଦିଅନ୍ତୁ ନାହିଁ। କଣ ଆପଣ ଟଙ୍କା ଏବଂ ସେବା ପାଇଁ ଭୋଟ୍ କରନ୍ତି ? ଅଧିକାରୀ ଛାତ୍ରୀମାନଙ୍କୁ ଜ୍ଞାନ ଦେବାକୁ ବି ଚେଷ୍ଟା କରିଛନ୍ତି। ସେ କହିଛନ୍ତି, ଆପଣଙ୍କୁ ସରକାରଙ୍କଠୁ କିଛି ନେବା ଉଚିତ୍ ନୁହେଁ ? ସବୁଥିରେ ମାଗଣା ଦାବି କରିବା ଚିନ୍ତାଧାରା ଭୁଲ୍। ସ୍ଵଂୟ ନିଜ ବ୍ୟବସ୍ଥା କରନ୍ତୁ।

ଶିବସେନା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ଟୁଇଟ୍ କରି କହିଛନ୍ତି, ଏହି ଅଧିକାରୀଙ୍କ ଲଜ୍ଜା ବୋଲି କିଛି ନାହିଁ। ଆଶା କରୁଛି ବିହାର ସରକାର ଏହି ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବେ। କଂଗ୍ରେସ ସାଂସଦ ମନୀଷ ତିଓ୍ଵାରୀ ମଧ୍ୟ ମହିଳା ଆଇଏଏସଙ୍କ ଏହିପରି ଟିପ୍ପଣୀରେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ଆଇଏଏସ ଅଧିକାରୀମାନଙ୍କ ମନରେ ଏତେ ଅହଙ୍କାର କାହିଁକି ? କୁଆଡେ ଗଲା ସେମାନଙ୍କର କର୍ତ୍ତବ୍ୟ ? ପ୍ରଶିକ୍ଷଣରେ ଅଭାବ ? ଲାଭଦାୟକ ପଦ ? କହିବାକୁ ଗଲେ ସେମାନେ ନିଜ ପୂରା ଜୀବନରେ କେବଳ ଗୋଟିଏ ପରୀକ୍ଷା ପାସ୍ କରନ୍ତି।

ଏହି ଘଟଣା ବିଷୟରେ ହସ୍ତକ୍ଷେପ କରି ଜାତୀୟ ମହିଳା ଆୟୋଗ(ଏନସିଡବ୍ଲ୍ୟୁ) ସାତ ଭିତରେ ଲିଖିତ ସ୍ପଷ୍ଟୀକରଣ ଦେବାକୁ ମହିଳା ଆଇଏଏସଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *