ଅନୁବାଦ କବିତା : ଚିଲିକାରେ ସକାଳ

ରାଜ୍ୟ

ମୂଳ ବଙ୍ଗଳା : ବୁଦ୍ଧଦେବ ବସୁ 

ଆଜିର ଏଇ ସକାଳ
ଏତେ ଭଲ ଲାଗୁଛି ଯେ
କହିବାକୁ ଭାଷା ନାହିଁ ମୋର !

ଆକାଶଟା କେତେ ନୀଳ ଓ ନିର୍ମଳ
କେତେ ପୁଣି ଅପୂର୍ବ ସୁନ୍ଦର
ମନେ ହୁଏ କେଉଁ ଏକ ଓସ୍ତାଦ କଣ୍ଠର
ଅବାଧ ଉନ୍ମୁକ୍ତ ସ୍ୱର
ଦିଗନ୍ତରୁ ଆଦିଗନ୍ତ ହୋଇଛି ବିସ୍ତାର।

ଏଇ ଆକାଶର ବୁକୁକୁ ଅନାଇଁ
କେତେ ଭଲ ଲାଗୁଛି ସତରେ
ଚାରିଦିଗର ଏଇ ସବୁଜ ପାହାଡ଼
ଅଙ୍କା ବଙ୍କା କୁହୁଡ଼ିର ଧୂଆଁ
ଆଉ ତା ମଝିରେ ଝିଲମିଲ
ଏଇ ଚିଲିକାର ଜଳ।

ତୁମେ ପାଖକୁ ଆସିଲ
ଅଳ୍ପ ସମୟ ବସିଲ
ପୁଣି ଉଠି ଚାଲିଗଲ
ଦେଖିବାକୁ ଷ୍ଟେସନରେ ପହଞ୍ଚି
ଛିଡ଼ା ହୋଇଥିବା ରେଲଗାଡି
କିଛି କ୍ଷଣ ପରେ , ସେ ବି ଚାଲିଗଲା
ସିଟି ମାରି ଧୂଆଁ ଛାଡ଼ି ଛାଡ଼ି।

କେମିତି କହିବି କୁହ
ତୁମକୁ ମୁଁ ସତେ କେତେ
ଭଲପାଏ ବୋଲି
ଆକାଶରେ ସୂର୍ଯ୍ୟ କିରଣର ବନ୍ୟା
ଚାହିଁ ହେଉନାହିଁ
କିଛି ଗୋରୁ ଗାଈ
ଏକଲୟେ ଚାଲିଛନ୍ତି ଘାସକୁ ଚୋବାଇ
ଆହା, କେତେ ଶାନ୍ତ କେତେ ଉଦାସୀନ!

ତୁମେକି କେବେ ଭାବିଥିଲ
ଏଇ ହ୍ରଦକୁ ଆସି , ତା ତୀରରେ
ପାଇଯିବା ଆମେ କେବେ ମିଳି ନଥିବା ଏକ ନୂତନ ଜୀବନ

ରୂପେଲି ଏ ଜଳରାଶି
ଦେଖୁଛି ସପନ
ସତେକି ଏ ସାରା ଆକାଶଟା
ପଡ଼ୁଛି ଅଜାଡ଼ି ବୁକୁପରେ ତାର ନୀଳ ସ୍ରୋତ ହୋଇ
ସତେ ଅବା ସୂର୍ଯ୍ୟର ଚୁମ୍ବନ
ଏଇଠି ଉଠିବ ଜଳି , ଅପରୂପ ଇନ୍ଦ୍ରଧନୁ
ତୁମର ଓ ମୋର ରକ୍ତର ସମୁଦ୍ର ଘେରି
ଏକଥାକି କେବେ ହେଲେ
ଭାବିଥିଲେ ଆମେ?

ଗତକାଲି ଏଇ ଚିଲିକାରେ ନୌକାରେ ବୁଲିଲା ବେଳେ
ଆମେ ଦେଖି ନଥିଲେ
ଦୁଇଟି ପ୍ରଜାପତି ଦୂରୁ ବହୁଦୂରୁ
ପାଣି ଉପର ଦେଇ ଉଡ଼ି ଆସୁଥିଲେ
କି ଦୁଃସାହସ ! ତୁମେ ହସିଥିଲ
ମତେ ତାହା ଲାଗିଥିଲା ଖୁବ ଭଲ
ସେଇ ଅପରୂପ , ଉଜ୍ଜ୍ୱଳ ଆନନ୍ଦ ତୁମର।

ଦେଖ ଦେଖ କେତେ ନୀଳ ଏ ଆକାଶ
ଆଉ ତୁମ ଆଖିରେ କମ୍ପମାନ କେତେ ନଭ
କେତେ ମୃତ୍ୟୁ କେତେ ନୂତନ ଜନ୍ମ

କୁହ ମୁଁ କେମିତି ରଖିବି ହିସାବ ଓ
କରିବି ତା’ର ବର୍ଣ୍ଣନ    !

ରୂପାନ୍ତର : ମନୋରଞ୍ଜନ ହୋତା

Leave a Reply

Your email address will not be published. Required fields are marked *