ଟୁଇଟ୍ ବିବାଦ: ଜାମିନ ମିଳିବା ମାତ୍ରେ ଅନ୍ୟ ମାମଲାରେ ଗିରଫ ହେଲେ ବିଧାୟକ ଜିଗ୍ନେଶ ମେଓ୍ଵାଣୀ

Top Storise ଦେଶ- ବିଦେଶ

ଅହମ୍ମଦାବାଦ: ଗୁଜରାଟର ବିଧାୟକ ଜିଗ୍ନେଶ ମେଓ୍ଵାଣୀଙ୍କୁ ସୋମବାର ଆସାମର ଏକ ଅଦାଲତ ଜାମିନ ପ୍ରଦାନ କରିଥିଲେ। ମାତ୍ର କିଛି ମିନିଟ୍‌ ଭିତରେ ତାଙ୍କୁ ଅନ୍ୟ ଏକ ମାମଲାରେ ଗିରଫ କରାଯାଇଛି। ଗୁଜରାଟର ବଡଗାମରୁ ନିର୍ଦ୍ଦଳୀୟ ବିଧାୟକ ମେଓ୍ଵାଣୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ କରିଥିବା ଟୁଇଟ୍ ସଂପର୍କିତ ମାମଲାରେ ଆସାମର କୋକରାଝାରା ଅଦାଲତରୁ ଜାମିନ ମିଳିଥିଲା। ମାତ୍ର କିଛି ସମୟ ପରେ ବାରପେଟା ଜିଲ୍ଲାର ପୋଲିସ ତାଙ୍କୁ ଅନ୍ୟ ଏକ ମାମଲାରେ ଗିରଫ କରି ନେଇଛି। ଗତ ବୁଧବାର ବିଜେପି ନେତା ଅରୂପ କୁମାର ଡେଙ୍କ ଅଭିଯୋଗକ୍ରମେ ତାଙ୍କୁ ଗିରଫ କରାଯାଇଥିଲା।

ଗୁଜରାଟର ପାଲନପୁରରୁ ପୋଲିସ ତାଙ୍କୁ ଗିରଫ କରିଥିଲା। ଏହା ପରେ ଅଦାଲତରେ ହାଜର କରାଯାଇଥିଲା। କୋର୍ଟ ତାଙ୍କୁ ତିନି ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ। ବର୍ତ୍ତମାନ ତାଙ୍କୁ ଆସାମର ବାରପେଟା ଜିଲ୍ଲାର ପୋଲିସ ଗିରଫ କରିଛନ୍ତି। ତେବେ ତାଙ୍କୁ କେଉଁ ଆଧାରରେ ଗିରଫ କରାଯାଇଛି ପୋଲିସ ପକ୍ଷରୁ ଆନୁଷ୍ଠାନିକ ସୂଚନା ଦିଆଯାଇନାହିଁ। ପୋଲିସ ମୁତାବକ ମେଓ୍ଵାଣୀ ପୋଲିସ ଉପରେ ଆକ୍ରମଣ କରିଛନ୍ତି।

ଏହା ପୂର୍ବରୁ କୋକରାଝାରା ପୋଲିସ ଅଧିକାରୀ ମେଓ୍ଵାଣୀଙ୍କୁ କାହିଁକି ଗିରଫ କରାଯାଇଛି ତାଙ୍କ ଉପରେ କଣ ଅଭିଯୋଗ ହୋଇଛି କୌଣସି ସୂଚନା ଦେଇନଥିଲେ। ତେବେ ଆସାମ ପୋଲିସ ପକ୍ଷରୁ ସଂପ୍ରତି ଗିରଫଦାରୀକୁ ନେଇ ପ୍ରଶ୍ନ ଉଠିଛି। ଜିଗ୍ନେଶ ମେଓ୍ଵାଣୀ ସମଗ୍ର ଦେଶରେ ଦଳିତ ସମୁଦାୟ ସମ୍ବନ୍ଧିତ ପ୍ରସଙ୍ଗ ଉଠାଇବା ପାଇଁ ପରିଚିତ। ମେଓ୍ଵାଣୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଅପମାନଜନକ ଟୁଇଟ୍ କରିଥିବା ଅଭିଯୋଗରେ ଗିରଫ କରାଯାଇଥିଲା। ସେ ଲେଖିଥିଲେ, ପ୍ରଧାନମନ୍ତ୍ରୀ ମୋଦୀ ଗୋଡସେଙ୍କୁ ଭଗବାନ ମାନନ୍ତି।

Leave a Reply

Your email address will not be published. Required fields are marked *