ଏମ୍ସ ହସ୍ପିଟାଲରେ ରୋଗୀଙ୍କ ସହ ଟିକେଟ୍ କାଟିବା ନେଇ ଦଲାଲି କରୁଥିବା ବେଳେ ଦୁଇ ଗିରଫ

Top Storise ଦେଶ- ବିଦେଶ ରାଜ୍ୟ

ଭୁବନେଶ୍ୱର: ରାଜଧାନୀ ସ୍ଥିତ ଏମ୍ସ ମେଡିକାଲ ପରିସରରୁ ଦଲାଲି କରୁଥିବା ବେଳେ ପଶ୍ଚିମବଙ୍ଗର ଦୁଇ ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ। ଖଣ୍ଡଗିରି ଅଞ୍ଚଳରେ ଘର ଭଡ଼ା ନେଇ ରୋଗୀଙ୍କୁ ଟାର୍ଗେଟ କରୁଥିଲେ ଏହି ଦୁଇ ବଙ୍ଗବାସୀ। ସାହାଯ୍ୟ କରିବା ଆଳରେ ହଜାର ହଜାର ଟଙ୍କା ଠକୁଥିବାର ଅଭିଯୋଗ ଆସିବା ପରେ ପୋଲିସ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦଲାଲି ଉପରେ ଅଙ୍କୁଶ ଲଗାଇବାକୁ ପ୍ରୟାସ କରିଛି।

ମିିଳିଥିବା ସୂଚନା ଅନୁସାରେ ହସ୍ପିଟାଲରେ ଡାକ୍ତର ଦେଖାଇବା ପାଇଁ ଟିକେଟ କରାଇବା ଓ ସୁବିଧାରେ ଚିକିତ୍ସା ପାଇବା ପାଇଁ ଲୋଭ ଦେଖାଇ ରୋଗୀ କିମ୍ବା ତାଙ୍କ ସମ୍ପର୍କୀୟଙ୍କ ଠାରୁ କାହାଠାରୁ ୨ ହଜାର ତ ଅନ୍ୟ କେଉଁ ରୋଗୀଙ୍କଠାରୁ ୫ ହଜାର ଟଙ୍କା ନେଇ ଚାନ୍ଦା ଆଦାୟ କରୁଥିଲେ ପଶ୍ଚିମବଙ୍ଗର ଏହି ଦୁଇ ନାଗରିକ।

କହିରଖୁଛୁ ଭୁବନେଶ୍ବର ଏମ୍ସ ଉପରେ ପଶ୍ଚିମବଙ୍ଗ ସମେତ ସାରା ଓଡ଼ିଶା ନିର୍ଭରଶୀଳ। ସୁଲଭ ଚିକିତ୍ସା ସାଙ୍ଗକୁ ଅଭିଜ୍ଞ ଡାକ୍ତର ଓ ଅତ୍ୟାଧୁନିକ ଚିକିତ୍ସାର ସେବା ନେବାକୁ ଲୋକଙ୍କ ଗହଳି ଜମିଥାଏ। ରାତି ଅଧରୁ ଟିକେଟ୍ ପାଇଁ ଲମ୍ବା ଲାଇନ୍ ଲାଗିଥାଏ। ଯାହାର ସୁଯୋଗ ନେଇ ଦଲାଲମାନେ ହସ୍ପିଟାଲ ଭିତରେ ନିଜର ପରିଚିତ ବ୍ୟକ୍ତି ଅଛନ୍ତି କହି ରୋଗୀଙ୍କଠୁ ପଇସା ନେଇ ଟିକେଟ୍ ଏବଂ ଚିକିତ୍ସା ସୁବିଧା ସୁଯୋଗ ଯୋଗାଇ ଦେବାକୁ ଲୋଭ ଦେଖାନ୍ତି।

ତେବେ ପଶ୍ଚିମବଙ୍ଗର ଏହି ଦୁଇ ଦଲାଲକୁ ଗିରଫ କରିବାକୁ ପୋଲିସ ସାଧା ପୋଷାକରେ ନିୟୋଜିତ ଥିଲେ। ପରେ ଖଣ୍ଡଗିରି ଥାନା ପୋଲିସ ଦୁଇ ଦଲାଲକୁ ଗିରଫ କରିଛି। ଗିରଫ ହେବା ପରେ ପୋଲିସ ଆଗରେ ଦୋଷ ସ୍ବୀକାର କରିଛନ୍ତି ଦୁଇ ଦଲାଲ। ତେବେ ଏମାନଙ୍କ ସହ ଆଉ କିଏ ସଂପୃକ୍ତ ରହିଛନ୍ତି ନା ଏହା ଏକ ରାକେଟ ତାହା ପୋଲିସ ଜାଣିବାକୁ ପ୍ରୟାସ କରୁଛି। ତେଣୁ ଏହି ଦୁଇ ଜଣଙ୍କୁ ଜେରା କରି ପୋଲିସ ଅଧିକ ତଥ୍ୟ ସଂଗ୍ରହ କରିବାକୁ ପ୍ରୟାସ କରୁଥିବା ସୂଚନା ରହିଛି। ପୂର୍ବରୁ ଏହିପରି ମାମଲାରେ ପୋଲିସ ୮ ଜଣଙ୍କୁ ଗିରଫ କରିଥିଲା। ଏହି ଦଲାଲ ମୁଖ୍ୟତଃ ପଶ୍ଚିମବଙ୍ଗର ଲୋକଙ୍କୁ ଟାର୍ଗେଟ କରୁଥିଲେ।

ଅନ୍ଯପଟେ ଏପରି ଦଲାଲ ନଜରକୁ ଆସିଲେ ସୂଚନା ଦେବାକୁ ପୋଲିସ ପକ୍ଷରୁ ଜନ ସାଧାରଣଙ୍କୁ ଅପିଲ କରାଯାଇଛି। ଯଦି ଏପରି ବ୍ୟକ୍ତିଙ୍କୁ କେହି ଦେଖନ୍ତି ତେବେ ପୋଲିସର ହେଲ୍ପ ଲାଇନ୍ ନମ୍ବର ୭୦୭୭୭୯୮୧୧୧ ରେ ପୋଲିସ କୁ ଜଣାଇ ପାରିବେ।

Leave a Reply

Your email address will not be published. Required fields are marked *