ଭୁବନେଶ୍ୱର: ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟି ତରଫରୁ ପ୍ରାକ୍ତନ ସଭାପତି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୪ତମ ଜୟନ୍ତୀ ଉପଲକ୍ଷେ ସ୍ଥାନୀୟ ଗୋପବନ୍ଧୁ ଛକରେ ଥିବା ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପରେ ନିକଟବର୍ତ୍ତୀ ନୂଆଗାଁରେ ବସନ୍ତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତା ଏବଂ ସାଧାରଣ ସମ୍ପାଦକ ଡା.ରାଧାନାଥ ପ୍ରହରାଜଙ୍କ ପରିଚାଳନାରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା।
ବକ୍ତାମାନେ ଗୋପବନ୍ଧୁଙ୍କ ଗୁଣାବଳୀ ଉପରେ ବର୍ଣ୍ଣନା କରିଥିଲେ। ବିଶେଷ କରି ସଂପ୍ରତି ଝାଡ଼ଖଣ୍ଡ ରାଜ୍ୟରୁ ଓଡ଼ିଆ ଭାଷା ଉଚ୍ଛେଦ କରାଯିବା ପାଇଁ ଚାଲିଥିବା ହୀନ ଉଦ୍ୟମ ତାଙ୍କ ଚିନ୍ତାଧାରା ଏବଂ ଅତୀତ କୃତି ଓ କୀର୍ତ୍ତୀର ଘୋର ପରିପନ୍ଥୀ ବୋଲି ସଭାରେ ମତ ପ୍ରକାଶ ପାଇଥିଲା। ତେଣୁ ତାଙ୍କୁ ସମ୍ମାନ ଦେବାକୁ ହେଲେ ଝାଡ଼ଖଣ୍ଡରେ ଓଡ଼ିଆ ଭାଷା ଉଚ୍ଛେଦ ସଂକ୍ରାନ୍ତ ସମସ୍ତ ପ୍ରଚେଷ୍ଟାକୁ ସବୁମତେ ବ୍ୟର୍ଥ କରିବା ଦିଗରେ ଉତ୍କଳ ସମ୍ମିଳନୀ ପ୍ରାଣପାତ ସଂଗ୍ରାମ କରିବା ପାଇଁ ପ୍ରତିଜ୍ଞାବଦ୍ଧ ହେବାକୁ ଆଜିର ସଭାରେ ନିଷ୍ପତି ନିଆଯାଇଛି।
ଜଗତସିଂହପୁର ଜିଲ୍ଲା ରଘୁନାଥପୁରରେ ସ୍ଥାପିତ ଏହି ଜାତୀୟ ସ୍ତରର ନେତାଙ୍କ ପ୍ରତିମୂର୍ତ୍ତି ନିକଟରେ ସମତୂଲ୍ୟ ପ୍ରତିଭା ଭାବରେ ଅନ୍ୟ ପ୍ରତିମୂର୍ତ୍ତି ବସାଇ ଉକ୍ତ ପୁଣ୍ୟାାତ୍ମାଙ୍କ ଗୁରୁତ୍ୱକୁ ଗୌଣ କରାଇବା ଦିଗରେ ଚାଲିଥିବା ପ୍ରଚେଷ୍ଟା ଯେତେ ଶୀଘ୍ର ସମ୍ଭବ ବନ୍ଦ କରିବାକୁ ସରକାରଙ୍କ ନିକଟରେ ଦୃଢ଼ ଦାବି କରାଯାଇଛି। ନହେଲେ ଏହା ଭବିଷ୍ୟତରେ ଏକ ବିବାଦୀୟ ପରମ୍ପରା ସୃଷ୍ଟି କରି ପୂଜ୍ୟପୂଜାରେ ବ୍ୟାଘାତ ସୃଷ୍ଟି କରିପାରେ ବୋଲି ସମ୍ମିଳନୀ ପକ୍ଷରୁ କୁହାଯାଇଛି। ବୈଠକରେ ରାଜ୍ୟର ଜ୍ୱାଳାମୁଖୀ ସୀମା ସମସ୍ୟା ନେଇ ମୁଖ୍ୟମନ୍ତ୍ରୀ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ଏହି ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବାକୁ ମଧ୍ୟ ଗୁରୁତ୍ୱ ପ୍ରଦାନ କରିଛନ୍ତି।
ସଭାରେ ପ୍ରଫେସର କାଶୀନାଥ ରଥ, ଡା.ବାନମ୍ବର ପରିଡ଼ା, ପଠାଣୀ ଜେନାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗଦେଇଥିଲେ।