ବିଜେଡି-ବିଜେପି ଆତ୍ମୀୟତାରୁ ବୈଷ୍ଣବଙ୍କୁ ଲାଭ; ଶିକ୍ଷାରୁ କଣ ପାଇବେ ଧର୍ମେନ୍ଦ୍ର?

Top Storise ରାଜ୍ୟ

ଭୁବନେଶ୍ଵର: ବହୁ ପ୍ରତୀକ୍ଷିତ ମୋଦି ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ ସରିଯାଇଛି। ନିର୍ବାଚନ ଅପେକ୍ଷାରେ ଥିବା ବିଭିନ୍ନ ରାଜ୍ୟକୁ ଅଧିକ ଓ ଗୁରୁତ୍ଵପୂର୍ଣ୍ଣ ମନ୍ତ୍ରୀପଦ ମିଳିଛି। କିନ୍ତୁ ୨୦୨୪ରେ ନିର୍ବାଚନ ଥିବା ଓଡ଼ିଶାରେ ଏ ପରିବର୍ତ୍ତିତ ମନ୍ତ୍ରୀମଣ୍ଡଳକୁ କଣ ମିଳିବ ତାକୁ ନେଇ ଚର୍ଚ୍ଚା ଥଣ୍ଡା ପଡ଼ିନାହିଁ। ଅଶ୍ଵିନୀ ବୈଷ୍ଣବଙ୍କ ଅପ୍ରତ୍ୟାଶିତ ଉତ୍ଥାନ ଓ ଏତେବଡ଼ ମନ୍ତ୍ରାଳୟ, ବିଶ୍ଵେଶ୍ଵର ଟୁଡୁଙ୍କ ଆଶ୍ଚର୍ଯ୍ୟଜନକ ପ୍ରବେଶ ଓ ଧର୍ମେନ୍ଦ୍ରଙ୍କ ବିଭାଗ ପରିବର୍ତ୍ତନ ରାଜନୈତିକ ଚର୍ଚ୍ଚାକୁ ଖୋରାକ ଯୋଗାଇ ଦେଇଛି। କାହାକୁ ଲାଭ, କାହାକୁ କ୍ଷତି, ଓଡ଼ିଶାକୁ ନେଇ ମୋଦୀଙ୍କ ଦୃଷ୍ଟିକୋଣ; ଏମିତି କିଛି ବିନ୍ଦୁ ଉପରେ ଚର୍ଚ୍ଚା ଜୋର ଧରିଛି।

‘ପ୍ରତାପ ଷଡ଼ଙ୍ଗୀ’ ଯୋଜନା ବିଫଳ:

ଓଡ଼ିଶାର ମୋଦି ନାଁରେ ଦିଲ୍ଲୀ ଗଣମାଧ୍ୟମରେ ବେଶ ଚର୍ଚ୍ଚାରେ ଥିଲେ। ତାଙ୍କ ସରଳ ଜୀବନଶୈଳୀକୁ ନେଇ ମୋଦୀ ତାଙ୍କ ଦ୍ଵିତୀୟ ପାଳିର ପ୍ରଥମ ମନ୍ତ୍ରୀମଣ୍ଡଳରେ ସାମିଲ କରିଥିଲେ। ହେଲେ ତାଙ୍କର ସେ ‘ସରଳ ଜୀବନ ଶୈଳୀ’ ମନ୍ତ୍ରୀ ପଦ ବଞ୍ଚାଇବା ପାଇଁ କିଛି ସାହାଯ୍ୟ କରିପାରିଲାନାହିଁ। ବିଜେପି ତାଙ୍କୁ ନେଇ ଓଡ଼ିଶା ପାଇଁ ଚିନ୍ତା କରୁଥିଲା ବୋଲି ଚର୍ଚ୍ଚା ହେଉଥିଲା। ହେଲେ ଦିଲ୍ଲୀ ଦରବାର ପାଇଁ ସେ ପସନ୍ଦର ତାଲିକାରେ ରହିପାରିଲେନାହିଁ। ଶେଷରେ କାମ କରୁ ନ ଥିବା ମନ୍ତ୍ରୀ ଭାବେ ବିଦାୟ ନେବାକୁ ପଡ଼ିଲା। ଅବଶ୍ୟ ଏହି ‘ବିଫଳ ମନ୍ତ୍ରୀ’ର ମୁକୁଟ ତାଙ୍କୁ ବିଶେଷ କିଛି ସାହାଯ୍ୟ କରିବ ନାହିଁ। ବରଂ ତାଙ୍କୁ ପରିସ୍ଥିତି ଶାନ୍ତ ହେବାଯାଏ ଅପେକ୍ଷା କରିବାକୁ ପଡ଼ିବ। ତା ପରେ ଯାଇ ସେ ବିଭିନ୍ନ ଆପତ୍ତି ଅଭିଯୋଗକୁ ହୁଏତ ସାମ୍ନା କରିପାରିବେ।

ବିଜେଡି-ବିଜେପି ଆତ୍ମୀୟତାରୁ ବୈଷ୍ଣବଙ୍କୁ ଲାଭ:

ମୋଦୀ ୨.୦ରେ ସବୁଠାରୁ ଅଧିକ କିଏ ଲାଭବାନ ହୋଇଥାନ୍ତି ସେ ହେଉଛନ୍ତି ଅଶ୍ଵିନୀ ବୈଷ୍ଣବ। ଓଡ଼ିଶାରୁ ହୋଇଥିବା ତାଙ୍କ ରାଜନୈତିକ ପ୍ରବେଶକୁ ବଡ଼ ଫାଇଦା ମିଳିଛି। ୨୦୧୯ ନିର୍ବାଚନ ପରବର୍ତ୍ତୀ ଆତ୍ମୀୟତା ପାଇଁ ନବୀନ ପ୍ରଥମେ ବିଜେଡି ପ୍ରାର୍ଥୀ ଭାବେ ଅଶ୍ଵିନୀଙ୍କ ନାମ ଘୋଷମା କରିଥିଲେ। ହେଲେ ପର ମୂହୁର୍ତ୍ତରେ ତାଙ୍କୁ ବିଜେପି ପ୍ରାର୍ଥୀ ଭାବ ସମର୍ଥନ ନେଇ ଘୋଷଣା କରିଥିଲେ। ଯଦି ଅଶ୍ଵିନୀ କେବଳ ବିଜେଡି ପ୍ରାର୍ଥୀ ହୋଇଥାନ୍ତେ ତେବେ ମୋଦୀ ତାଙ୍କୁ ମନ୍ତ୍ରୀ କରିବାରେ ସଫଳ ହୋଇ ନ ଥାନ୍ତେ। ବୈଷ୍ଣବ ମନ୍ତ୍ରୀ ହେବା ଗୋଟିଏ କଥା ସ୍ପଷ୍ଟ କରୁଛି ଯେ ୨ ବର୍ଷ ତଳେ ସେ ନେଇ ଥିବା ପଦକ୍ଷେପ ବହୁତ ସୁଚିନ୍ତିତ ଥିଲା। ରାଜନୈତିକ ପଶାପାଲିରେ ସେ କେବଳ ସଠିକ୍ ଗୋଟି ଚାଳନା କରିଥିଲେ ତା ନୁହେଁ, ରେଳ ମନ୍ତ୍ରାଳୟ ହାସଲ କରି ଅନେକ ମନ୍ତ୍ରୀ ଆଶାୟୀଙ୍କୁ ଚର୍ଚ୍ଚାରୁ ବି ବାହାର କରିଦେଇଛନ୍ତି। ସେ ନିଜକୁ ଜଣେ ସର୍ବଗ୍ରହଣୀୟ ନେତା ଭାବେ ଠିଆ କରାଇବା ସହ ଆଗକୁ ଜାତୀୟ ଦଳ ଓ ଆଞ୍ଚଳିକ ଦଳ ମଧ୍ୟରେ ସେତୁ ହୋଇପାରିବେ ବୋଲି ଧାରଣା ସୃଷ୍ଟି କରିପାରିଛନ୍ତି। ଏମିତି ବି ପଶ୍ଚିମବଙ୍ଗ ଭଳି ମୋଦୀ ନବୀନଙ୍କୁ ହଇରାଣ କରିବା ସ୍ଥିତିରେ ନାହାନ୍ତି ବୋଲି ଚର୍ଚ୍ଚା ହେଉଛି।

ବିଶ୍ଵେଶ୍ଵରଙ୍କୁ ନେଇ ବିଜେପିର ସମୀକରଣ:

ଜଣେ ଟାଣୁଆ ନେତା ଅପକ୍ଷା ବିଜେପିର ଭବିଷ୍ୟତ ସମୀକରଣ ପାଇଁ ବିଶ୍ଵେଶ୍ଵରଙ୍କୁ ମନ୍ତ୍ରୀ ପଦ ମିଳିଛି ବୋଲି ଚର୍ଚାଚ ହେଉଛି। ବିଶ୍ଵେଶ୍ଵରଙ୍କ ପ୍ରବେଶ ଏକଦମ ଅପ୍ରତ୍ୟାଶିତ ଥିଲା। ନା ଓଡ଼ିଶା ନା ଦିଲ୍ଲୀ କେଉଁଠି ବି ତାଙ୍କୁ ନାମକୁ ନେଇ ଥରୁଟିଏ ବି ଚର୍ଚ୍ଚା ହୋଇ ନଥିଲା। କିନ୍ତୁ ବିଜେପିର ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ଛତିଶଗଡ଼ ସମୀକରଣ ପାଇଁ ତାଙ୍କୁ ମନ୍ତ୍ରୀ ପଦ ମିଳିଥିବା କୁହାଯାଉଛି। କାରଣ ବିଜେପିକୁ ଜଣେ ଜନଜାତି ଚେହେରାର ଆବଶ୍ୟକତା ଥିଲା। ଏହାଛଡ଼ା ବଙ୍ଗ ବିଭାଜନ ପାଇଁ ବିଜେପି ମଧ୍ୟ ଯୋଜନାରେ ଅଛି। ଏ ପରିସ୍ଥିତିରେ ଆଦିବାସୀଙ୍କ ସମର୍ଥନ  ବିଶେଷ କରି ସାନ୍ତାଳୀ ସମ୍ପ୍ରଦାୟର ଏକ ବଡ଼ ସମର୍ଥନ ବିଶ୍ଵେଶ୍ଵରଙ୍କ ପଛରେ ରହିଛି। ଏହାଛଡ଼ା ଜୁଏଲ ଓରାମଙ୍କୁ ନେଇ ବିଜେପି ବେଶୀ ଆଶାବାଦୀ ନ ଥିବାରୁ ବିଶ୍ଵେଶ୍ଵରଙ୍କୁ ବାଛିଥିଲା। ଏହାଛଡ଼ା ବିଶ୍ଵେଶ୍ଵରଙ୍କ ପଛରେ ଆରଏସ୍ଏସର ସମର୍ଥନ ସହିତ ମୋଦୀଙ୍କ ଘନିଷ୍ଟ ଜଣେ ପୂର୍ବତନ ବ୍ୟୁରୋକ୍ରାଟ ଓ ଓଡ଼ିଶାର ଟାଣୁଆ ବିଜେପି ନେତା ମଧ୍ୟ ବିଶ୍ଵେଶ୍ଵରଙ୍କ ନାମକୁ ଆଗକୁ ବଢ଼ାଇଥିଲେ। ପ୍ରତାପ ଷଡଙ୍ଗୀ ଉତ୍ତର ଓଡ଼ିଶାରୁ ପ୍ରତିନିଧିତ୍ଵ କରୁଥିବା ବେଳେ ବିଶ୍ଵେଶ୍ଵରଙ୍କ ପ୍ରବେଶ ଏ ଅସନ୍ତୋଷକୁ ମଧ୍ୟ ପ୍ରଶମିତ କରିବାରେ ସଫଳ ହୋଇଛି।

ଧର୍ମେନ୍ଦ୍ରଙ୍କ ଲାଭ କ୍ଷତି:

କିଛି ପାଇବାକୁ ହେଲେ କିଛି ହରାଇବାକୁ ପଡ଼େ। ପୂର୍ବତନ ପେଟ୍ରୋଲିୟମ ମନ୍ତ୍ରୀ ତଥା ବର୍ତ୍ତମାନର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ରଙ୍କ କ୍ଷେତ୍ରରେ ଏହା ବିଚାର କରାଯାଇପାରେ। ଓଡ଼ିଶାରେ ବିଜେପିର ଚେହେରା ଧର୍ମେନ୍ଦ୍ର ବୋଲି ଏହି ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ସ୍ପଷ୍ଟ କରିଦେଇଛି। ଯଦିଓ ସେ ମଧ୍ୟପ୍ରଦେଶକୁ ପ୍ରତିନିଧିତ୍ଵ କରୁଛନ୍ତି କିନ୍ତୁ ଢେଙ୍କାନାଳ ତାଙ୍କ ଜନ୍ମମାଟି। ଏହାଛଡ଼ା ଦଳରେ ତାଙ୍କ ପ୍ରତି ସାମ୍ଭାବ୍ୟ ବିପଦ ଥିବା ନେତାଙ୍କ ଡେଣା କାଟିଦିଆଯାଇଛି ନ ହେଲେ ପ୍ରବେଶ କରିବାକୁ ରାସ୍ତା ମିଳିନି। ଏହାଛଡ଼ା ପେଟ୍ରୋଲିୟମ ଭଳି ମନ୍ତ୍ରାଳୟରୁ ବାହାରି ଶିକ୍ଷାମନ୍ତ୍ରାଳୟର ନେତୃତ୍ଵ ନେବା ତାଙ୍କ ପାଇଁ ଫାଇଦା ସାବ୍ୟସ୍ତ ହୋଇପାରେ। ଦର ବୃଦ୍ଧିକୁ ନେଇ ବାରମ୍ବାର ସମାଲୋଚନାର ଶିକାର ହେବା ଓ ବଦନାମ ମୁଣ୍ଡାଇଥିବା ଧର୍ମେନ୍ଦ୍ରକୁ ଏ ଅପବାଦ ପୋଛିବାର ସମୟ ମିଳିବ। ଶିକ୍ଷାମନ୍ତ୍ରାଳୟ ତାଙ୍କ ଚେହେରାକୁ ଆହୁରି ଚମକାଇବ ବୋଲି ଚର୍ଚ୍ଚା ହେଉଛି। ବିଜେପିର ଶୀର୍ଷ ନେତୃତ୍ଵ ଧର୍ମେନ୍ଦ୍ରଙ୍କୁ ନେଇ ମିତି ଚିନ୍ତା କରିଥିବାର ସମ୍ଭାବନା  ରହିଛି। ରାଜ୍ୟ ସରକାର ସ୍କୁଲ ଶିକ୍ଷାରେ ପରିବର୍ତ୍ତନ ଆଣିବା ପାଇଁ ‘୫ଟି’ର ଅନ୍ତର୍ଭୁକ୍ତ କରିଥିବା ବେଳେ ଶିକ୍ଷାରେ ଧର୍ମେନ୍ଦ୍ରଙ୍କ ପ୍ରବେଶ ଏ କ୍ଷେତ୍ରକୁ ନେଇ ଚର୍ଚ୍ଚାକୁ ସରଗରମ କରିବ।

ବୈଜୟନ୍ତଙ୍କ ଅପେକ୍ଷାର ଅନ୍ତ ନାହିଁ:

ବିଜେଡି ଛାଡ଼ିବା ପରେ କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା କ୍ଷମତାରେ ରହିବା ପାଇଁ ବହୁତ ଉଦ୍ୟମ କରିଥିଲେ। ବିଜେପିରେ ଯୋଗଦେବା ପରେ ତାଙ୍କୁ ସାଂଗଠନିକ ଗୁରୁତ୍ଵ ମିଳିଛି। ଆସାମ ନିର୍ବାଚନ ପରିଚାଳନାର ଗୁରୁ ଦାୟିତ୍ଵ ମିଳିଥିଲା। ଦିଲ୍ଲୀ ସଂଗଠନ ସଜାଡ଼ିବାର ଦାୟିତ୍ଵ ମଧ୍ୟ ମିଳିଛି। ଏହାଛଡ଼ା ତାଙ୍କ ପରିବାର ପାଖରେ ଥିବା ଓଡ଼ିଶାର ସବୁଠାରୁ ମିଡିଆ ହାଉସ ତାଙ୍କ ପୂର୍ବତନ ପାର୍ଟି ତାଙ୍କର ଏକ ପ୍ଲସ ପଏଣ୍ଟ। ସେ ମନ୍ତ୍ରୀପଦ ପାଇପାରନ୍ତି ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହୋଇଥିଲା। ରାଜ୍ୟସଭାରେ ୨ଥର ଓ ଲୋକସଭାରେ ଥରେ ସାଂସଦ ରହିଥିବା ବୈଜୟନ୍ତ ଅତି କମରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟରେ  ରାଷ୍ଟ୍ରମନ୍ତ୍ରୀ ପଦ ପାଇବେ ବୋଲି ସମର୍ଥକମାନେ ଆଶା କରିଥିଲେ। ହେଲେ ବର୍ତ୍ତମାନର ସ୍ଥିତିକୁ ଦେଖିଲେ ଜଣାପଡୁଛି ଯେ ଏବେ ତାଙ୍କ ପ୍ରତୀକ୍ଷାର ଅନ୍ତ ହୋଇନାହିଁ।

ଅପରାଜିତାଙ୍କ ‘ବ୍ୟାଚମେଟ ଦୁଃଖ’:

ଯେତେବେଳେ ଭୁବନେଶ୍ଵର ଲୋକସଭା ଆସନ ଅଧୀନର ସମସ୍ତ ବିଧାନସଭା ଆସନ ବିଜେଡି ହାତେଇଥିଲା ସେତେବେଳେ ବିଜେପି ପ୍ରାର୍ଥୀ ଅପରାଜିତା ଲୋକସଭା ଆସନ ହାତେଇ ନେଇଥିଲେ। ତାଙ୍କୁ ମନ୍ତ୍ରୀପଦ ମିଳିପାରେ ବୋଲି ସେତେବେଳେ ଜୋରଦାର ଚର୍ଚ୍ଚା ହେଉଥିଲା। ଆଇଏଏସ୍ ଚାକିରି ଛାଡ଼ି ରାଜନୀତିରେ ଅପରାଜିତାଙ୍କ ପ୍ରବେଶକୁ ନବୀନଙ୍କ ଅମଲାତନ୍ତ୍ର ନିର୍ଭରଶୀଳ ରାଜନୀତିକୁ ଜବାବ ବୋଲି ବିବେଚନା କରାଯାଇଥିଲେ ମଧ୍ୟ ତାଙ୍କୁ ମନ୍ତ୍ରୀପଦ ମିଳି ନ ଥିଲା। କିନ୍ତୁ ପାର୍ଟି ମଧ୍ୟରେ ତାଙ୍କ ପ୍ରତି ଥିବା ବିରୋଧ ତାଙ୍କ ସ୍ଵପ୍ନକୁ ଭାଙ୍ଗିଦେଇଛି। ଏହାର ଏକ ଫାଇଦା ଅଶ୍ଵିନୀ ବୈଷ୍ଣବଙ୍କୁ ମଧ୍ୟ ଯାଇଛି। ଅଶ୍ଵିନୀ ଓ ଅପରାଜିତା ଗୋଟିଏ ବ୍ୟାଚ୍ ଗୋଟିଏ କ୍ୟାଡରର ଆଇଏଏସ୍। ଅଶ୍ଵିନୀ ଏବେ ରେଲଓ୍ଵେ ଓ ଆଇଟି ମନ୍ତ୍ରୀ। ଅବଶ୍ୟ ଅପରାଜିତା ତାଙ୍କ ସାଂଗ ତଥା ବ୍ୟାଚମେଟଙ୍କୁ ଟ୍ଵିଟ୍ କରି ଶୁଭେଚ୍ଛା ଜଣାଇସାରିଛନ୍ତି।

ପଶ୍ଚିମ ଓଡ଼ିଶାରୁ ୫, ତଥାପି ଅଣଦେଖା:

ଓଡ଼ିଶାର ୮ ବିଜେପି ସାଂସଦଙ୍କ ମଧ୍ୟରୁ ପଶ୍ଚିମ ଓଡ଼ିଶାରୁ ଜିତିଥିଲେ ୫ ସାଂସଦ। ବରଗଡ଼, ବଲାଙ୍ଗିର, ସମ୍ବଲପୁର, କଳାହାଣ୍ଡି ଓ ସୁନ୍ଦରଗଡ଼ରୁ ଲୋକେ ବିଜେପି ସାଂସଦ ପଠାଇଥିଲେ ମଧ୍ୟ ଗୋଟିଏ ବି ମନ୍ତ୍ରୀ ପଦ ନ ମିଳିବା ପଶ୍ଚିମଓଡ଼ିଶାବାସୀଙ୍କ ମନରେ ଅସନ୍ତୋଷ ସୃଷ୍ଟି କରିଛି। ୨୦୧୪ରେ ଜୁଏଲ ଓରାମଙ୍କୁ ମନ୍ତ୍ରୀପଦ ମିଳିଥିବା ବେଳେ ଏହା ସନ୍ତୁଳିତ ହୋଇଥିଲା। କିନ୍ତୁ ଏଥର ଗୋଟିଏ ବି ନ ମିଳିବା ବିଜେଡିକୁ ଫାଇଦା ଦେବ। ବିଜେପିର ପଶ୍ଚିମ ଓଡ଼ିଶା ସ୍ଵପ୍ନକୁ ଭାଙ୍ଗିଦେବ। ସଂଗୀତା ସିଂହଦେଓ, ସୁରେଶ ପୂଜାରୀ ଓ ବସନ୍ତ ପଣ୍ଡାଙ୍କୁ ନେଇ ପଶ୍ଚିମ ଓଡ଼ିଶାବାସୀଙ୍କର ଆଶା ରହିଥିଲା ବେଳେ ମନ୍ତ୍ରୀପଦ ନ ମିଳିବା ସେମାନଙ୍କୁ ନିରାଶ କରିଦେଇଛି।

Leave a Reply

Your email address will not be published. Required fields are marked *