ଭୁବନେଶ୍ୱର: ଯଦି ଆପଣ ନିଜ ଗାଡ଼ିର ନମ୍ବର ପ୍ଲେଟରେ ପୋଲିସର ପ୍ରତୀକ (ଲୋଗୋ) କିମ୍ବା ‘ଓଡ଼ିଶା ମାନବାଧିକାର କମିଶନ’ (OHRC) ର ନାଁ ବ୍ୟବହାର କରୁଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ। ଏଭଳି ବେଆଇନ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଏବେ ରାଜ୍ୟ ପରିବହନ ବିଭାଗ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଓଡ଼ିଶା ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ ହୋଇଥିଲା ଯେ, କିଛି ସ୍ବେଚ୍ଛାସେବୀ ସଂଗଠନ (NGO) ଏବଂ ବ୍ୟକ୍ତିବିଶେଷ ନିଜ ଗାଡ଼ିରେ ପୋଲିସ ଭଳି ଦିଶୁଥିବା ଲୋଗୋ ଏବଂ ‘OHRC’ ନାଁ ବ୍ୟବହାର କରି ସାଧାରଣ ଲୋକଙ୍କୁ ଭୟଭୀତ କରୁଛନ୍ତି ଏବଂ ଶୋଷଣ କରୁଛନ୍ତି। ଏହାକୁ ଗୁରୁତର ସହ ନେଇ କମିଶନ (OHRC Case No. 4427 & 4428 of 2025) ରାଜ୍ୟ ସରକାରଙ୍କୁ ଏ ଦିଗରେ ଦୃଢ଼ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ମାନବାଧିକାର କମିଶନଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ପରିବହନ କମିଶନର ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀ (RTO) ମାନଙ୍କୁ ଏକ ଚିଠି ଲେଖି ସ୍ପଷ୍ଟ କରିଛନ୍ତି। ଏପ୍ରିଲ ୪ ରୁ ଏପ୍ରିଲ ୧୦, ୨୦୨୬ ପର୍ଯ୍ୟନ୍ତ ସାରା ରାଜ୍ୟରେ ଏକ ସ୍ୱତନ୍ତ୍ର ଯାଞ୍ଚ ଅଭିଯାନ ଚଲାଯିବ। ମୋଟର ଯାନ ନିୟମ (CMV Rules, 1989) ର ଧାରା ୫୦ ଏବଂ ୫୧ ଅନୁଯାୟୀ, ଗାଡ଼ିର ନମ୍ବର ପ୍ଲେଟରେ କେବଳ ରେଜିଷ୍ଟ୍ରେସନ ନମ୍ବର ବ୍ୟତୀତ ଅନ୍ୟ କୌଣସି ଲେଖା ବା ଲୋଗୋ ବ୍ୟବହାର କରାଯାଇପାରିବ ନାହିଁ। ଯେଉଁମାନେ ବେଆଇନ ଭାବେ ପୋଲିସ ଲୋଗୋ କିମ୍ବା OHRC ର ନାଁ ବ୍ୟବହାର କରିଥିବେ, ସେମାନଙ୍କ ବିରୋଧରେ କଡ଼ା ଜରିମାନା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମାନବାଧିକାର କମିଶନ ସ୍ପଷ୍ଟ କରିଛନ୍ତି ଯେ, କୌଣସି NGO ର ମାନବାଧିକାର ଉଲ୍ଲଂଘନ ମାମଲାରେ ସିଧାସଳଖ ନ୍ୟାୟ ପ୍ରଦାନ କରିବାର ଅଧିକାର ନାହିଁ। ଯଦି କୌଣସି ସଂଗଠନ ଏଭଳି ମିଥ୍ୟା ପ୍ରତିଶ୍ରୁତି ଦେଇ ଲୋକଙ୍କୁ ବ୍ଲାକମେଲ୍ କରୁଥାଏ, ତେବେ ତୁରନ୍ତ ପୋଲିସ ବା କମିଶନଙ୍କୁ ଜଣାଇବାକୁ କୁହାଯାଇଛି।

