ମରାଠୀର ପ୍ରସିଦ୍ଧ ଅଭିନେତା ଅଚ୍ୟୁତ ପୋତଦାରଙ୍କ ସୋମବାର ଦିନ ଦେହାନ୍ତ ଘଟିଛି । ୯୧ ବର୍ଷ ବୟସରେ ଅଭିନେତା ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ସ୍ବାସ୍ଥ୍ୟାବସ୍ଥା ଖରାପ ଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା । ରିପୋର୍ଟ ଅନୁଯାୟୀ, ତାଙ୍କୁ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ ଏବଂ ସେଥିପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଅଭିନେତାଙ୍କ ମୃତ୍ୟୁରେ ଫିଲ୍ମ ଇଣ୍ଡଷ୍ଟ୍ରି ଓ ପରିବାରରେ ଶୋକର ଛାୟା ଖେଳିଯାଇଛି ।
ସିନେମାରେ ନିଜର ଛାପ ଛାଡ଼ିବା ପୂର୍ବରୁ, ଅଚ୍ୟୁତ ପୋତଦାର ଭାରତୀୟ ସଶସ୍ତ୍ର ବାହିନୀରେ କାର୍ଯ୍ୟ କରିଥିଲେ ଏବଂ ପରେ ଇଣ୍ଡିଆନ ଅଏଲ କମ୍ପାନିରେ କାର୍ଯ୍ୟ କରିଥିଲେ। ଅଭିନୟ ପ୍ରତି ତାଙ୍କର ଆଗ୍ରହ ତାଙ୍କୁ ୧୯୮୦ଦଶକରେ ଚଳଚ୍ଚିତ୍ର ଏବଂ ଟେଲିଭିଜନ ଜଗତକୁ ଟାଣି ଆଣିଥିଲା ଏବଂ ସେ ଚାରି ଦଶନ୍ଧିରୁ ଅଧିକ ସମୟ ଧରି ମନୋରଞ୍ଜନ ଜଗତରେ କାମ କରିଥିଲେ।
୨୦୦୯ ମସିହାରେ ରିଲିଜ୍ ହୋଇଥିବା ଫିଲ୍ମ ୩ ଇଡିୟଟ୍ସରେ ତାଙ୍କର ଅଭିନୟ ସମସ୍ତଙ୍କ ମନ ଜିଣିଥିଲା । ଏଥିରେ ସେ ଜଣେ କଠୋର ପ୍ରଫେସରଙ୍କ ଭୂମିକା ପାଇଁ ପ୍ରସିଦ୍ଧ ହୋଇଥିଲେ । ତାଙ୍କ ସହ ଏହି ଫିଲ୍ମରେ ଆମୀର ଖାନ୍, ଆର୍ ମାଧବନ, ବମନ ଈରାନୀ ଓ ଶର୍ମନ ଯୋଶୀଙ୍କ ଭଳି କଳାକାର ଅଭିନୟ କରିଥିଲେ ।
ସେ ୧୨୫ରୁ ଅଧିକ ହିନ୍ଦୀ ଏବଂ ମରାଠୀ ସିନେମାରେ ଅଭିନୟ କରିଛନ୍ତି ।ଦିଲୱାଲେ, ରଙ୍ଗିଲା, ବାସ୍ତବ, ହମ୍ ସାଥ ସାଥ ହେଁ, ପରୀଣିତା, ଲଗେ ରହୋ ମୁନ୍ନା ଭାଇ, ଦବଙ୍ଗ-୨, ଆକ୍ରୋଶ, ଆଲବର୍ଟ ପିଣ୍ଟୋ କୋ ଗୁସା କ୍ୟୁ ଆତା ହେ, ଅର୍ଦ୍ଧ ସତ୍ୟ, ତେଜାବ, ପରିନ୍ଦା, ରାଜୁ ବନ୍ ଗୟା ଜେଣ୍ଟିଲମ୍ୟାନ୍ ଆଦି ଫିଲ୍ମରେ ସଫଳ ଅଭିନୟ କରିଥିଲେ ।

