ଚଣ୍ଡିଗଡ: ପଞ୍ଜାବର ମୋହାଲିରେ ଥିବା ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟରେ ୬୦ରୁ ଅଧିକ ଛାତ୍ରୀ ଗାଧୋଉଥିବାର ଭିଡିଓ ଭାଇରାଲ କରିବା ମାମଲାରେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଯେଉଁଥିରେ ଭିଡିଓ ତିଆରି କରିଥିବା ହଷ୍ଟେଲର ଝିଅ ଏବଂ ଶିମଲାରେ ରହୁଥିବା ତାଙ୍କ ବନ୍ଧୁ ଏଥିରେ ସମ୍ପୃକ୍ତ ଅଛନ୍ତି।
ସୂଚନା ଅନୁସାରେ ହଷ୍ଟେଲରେ ରହୁଥିବା ୬୦ରୁ ଅଧିକ ଛାତ୍ରୀଙ୍କ ଗାଧାଉଥିବାର ଭିଡିଓ ରେକର୍ଡିଂ କରି ଏହାକୁ ନିଜ ବନ୍ଧୁଙ୍କ ନିକଟକୁ ପଠାଇ ଭାଇରାଲ କରିଥିଲେ ଜଣେ ଛାତ୍ରୀ। ଏହି ଖବର ପରେ କିଛି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଖବର ମଧ୍ୟ ସାମ୍ନାକୁ ଆସିଥିଲା। ଏହି ଘଟଣା ସାମ୍ନାକୁ ଆସିବା ମାତ୍ରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଶନିବାର ରାତିରେ ବିଶ୍ୱବିଦ୍ୟାଳୟ ଫାଟକରେ ପହଞ୍ଚି ବିରୋଧ ପ୍ରଦର୍ଶନ କରିଥିଲେ। ଏହି ଘଟଣା ସାମ୍ନାକୁ ଆସିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଅଭିଯୁକ୍ତ ଛାତ୍ରୀଙ୍କୁ ହଷ୍ଟେଲରେ ତାଲା ପକାଇ ପଚରାଉଚରା କରିଥିଲେ। ପଚରାଉଚରା ବେଳେ ଅଭିଯୁକ୍ତ ଛାତ୍ରୀ ନିଜ ଅପରାଧ ସ୍ୱୀକାର କରିବା ସହ ଶିମଲାରେ ରହୁଥିବା ଜଣେ ବନ୍ଧୁଙ୍କ ବିଷୟରେ ସୂଚନା ଦେଇଥିଲା।
ବିକ୍ଷୋଭ ହିଂସାତ୍ମକ ହୋଇପଡିଥିବାରୁ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। କିନ୍ତୁ ସ୍ଥିତି ଆହୁରି ବିଗିଡି ଯାଇଥିଲା । ଛାତ୍ରମାନେ ମଧ୍ୟ ପୋଲିସ୍ ଭ୍ୟାନ୍କୁ ଓଲଟାଇବାକୁ ଚେଷ୍ଟା କରିଥିଲେ। ଏହାପରେ ପୋଲିସ ମୃଦୁ ଲାଠି ଚାର୍ଜ କରିଥିଲା।
ପରେ ପୋଲିସ ଛାତ୍ରଛାତ୍ରୀଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲା। ଏଥିସହ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୁନିଶ୍ଚିତ କରାଇଥିଲା। ପରେ ଆଜିଠାରୁ ୨୪ ସେପ୍ଟେମ୍ବର ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟ ବନ୍ଦ ରହିଛି।ଏହି ନିର୍ଦ୍ଦେଶ ପରେ ଛାତ୍ରଛାତ୍ରୀମାନେ ନିଜ ନିଜ ଘରକୁ ଫେରୁଛନ୍ତି। ତେବେ ଏହି ସମୟରେ ବିଶ୍ବବିଦ୍ୟାଳୟର କର୍ମଚାରୀ ଆସିବେ।
ରବିବାର ସକାଳେ ଏହି ଭିଡିଓ ଘଟଣା ସାମ୍ନାକୁ ଆସିଥିଲା। ପଞ୍ଜାବ ମହିଳା ଆୟୋଗର ଅଧ୍ୟକ୍ଷ ମନୀଷା ଗୁଲାଟି ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେ କହିଛନ୍ତି ଯେ ଏହି ମାମଲା ଅତ୍ୟନ୍ତ ଗମ୍ଭୀର, ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉ।
ପ୍ରାଥମିକ ତଦନ୍ତରୁ ଅଭିଯୁକ୍ତ ଛାତ୍ରଙ୍କ ମୋବାଇଲରେ ସମାନ ୪ଟି ଆପତ୍ତିଜନକ ଭିଡିଓ ଦେଖିବାକୁ ମିଳିଛି ବୋଲି ମୋହଲି ଏସପି ନବୀତ ସିଂ କୁମାର ସୂଚନା ଦେଇଛନ୍ତି। ପ୍ରାରମ୍ଭିକ ତଦନ୍ତରେ ଅଭିଯୁକ୍ତ ଛାତ୍ରୀକୁ ପୋଲିସ ଗିରଫ କରିଛି।