କିଏ ହେବେ କଂଗ୍ରେସ ସଭାପତି? ବଢ଼ୁଛି ଆଶାୟୀଙ୍କ ତାଲିକା

Top Storise ଦେଶ- ବିଦେଶ

ନୂଆଦିଲ୍ଲୀ: ଦେଶର ସର୍ବପୁରାତନ ରାଜନୀତିକ ଦଳ କଂଗ୍ରେସର ସଭାପତି ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ୨୪ ତାରିଖରୁ ବିଧିବଦ୍ଧ ଭାବେ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ରାହୁଲ ଗାନ୍ଧି ସିଧାସଳଖ ସଭାପତି ହେବେ ନାହିଁ ବୋଲି କହିବା ପରେ ଏବେ ଦଳର ଶୀର୍ଷ ପଦ କିଏ ସମ୍ଭାଳିବେ, ତା’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ସମୟ ବିତିବା ସହ ସଭାପତି ପଦ ପାଇଁ ଆଶାୟୀଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ପୂର୍ବରୁ କେବଳ ଶଶି ଥରୁର ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କରିବେ ବୋଲି କୁହାଯାଉଥିଲା। ତେବେ ପରବର୍ତ୍ତୀ ଅବସ୍ଥାରେ ବରିଷ୍ଠ ନେତା ଦିଗବିଜୟ ସିଂହ ମଧ୍ୟ ସଭାପତି ରେସ୍‌ରେ ସାମିଲ ହେବାକୁ ଲକ୍ଷ୍ୟ ରଖିବା ଜଣାପଡ଼ିଥିଲା।

ଏବେ ଆଉ ଦୁଇ ବରିଷ୍ଠ ନେତା କମଲନାଥ ଓ ସାଂସଦ ମନୀଷ ତିୱାରୀ ମଧ୍ୟ କଂଗ୍ରେସ ସଭାପତି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିପାରନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। କଂଗ୍ରେସ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ କଂଗ୍ରେସ ସଭାପତି ନିର୍ବାଚନ ଲଢ଼ିବାକୁ ନିଜ ଆଡ଼ୁ ଆଗ୍ରହ ଦେଖାଇଛନ୍ତି।

ଏଥିସହ ସେ ମଧ୍ୟ ୩୦ ତାରିଖ ଭିତରେ ନାମାଙ୍କନ ଦାଖଲ କରିବେ। ତାଙ୍କ ବ୍ୟତୀତ ଆହୁରି ଅନେକ ବରିଷ୍ଠ ନେତା ଦୀର୍ଘ ୨୦ ବର୍ଷ ପରେ କଂଗ୍ରେସରେ ସଭାପତି ପଦ ପାଇଁ ହେଉଥିବା ନିର୍ବାଚନ ଲଢ଼ିବାକୁ ଆଶା ରଖିଛନ୍ତି।

ଏମାନଙ୍କ ମଧ୍ୟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ମନୀଷ ତିୱାରୀ, ପୃଥ୍ୱୀରାଜ ଚୌହାନ, ମୁକୁଲ ୱାସନିକ, ମଲ୍ଲିକାର୍ଜୁନ ଖାଡଗେ ଓ କର୍ଣ୍ଣାଟକାର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ପ୍ରମୁଖ ରହିଥିବା ଚର୍ଚ୍ଚା ହେଉଛି। ତେବେ ଚୌହାନ ଓ ୱାସନିକ ଗଣମାଧ୍ୟମ ଆଗରେ ସଭାପତି ପଦ ପାଇଁ ସେମାନଙ୍କ ଲୋଭ ନଥିବା କହିଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କଂଗ୍ରେସରେ ସାଂଗଠନିକ ନିର୍ବାଚନ କଥା କହି ଆସୁଥିବା ଦଳର ତଥାକଥିତ ବିଦ୍ରୋହୀ ନେତା ବା ଜି-୨୩ର ଅଧିକାଂଶ ନେତା ସଭାପତି ନିର୍ବାଚନ ଲଢ଼ିବାକୁ ଚାହୁଁଛନ୍ତି। ଜି-୨୩ରେ ଥିବା ଶଶି ଥରୁର ଆରମ୍ଭରୁ ହିଁ ନିର୍ବାଚନ ଲଢ଼ିବା କଥା କହିଥିଲେ। ଏବେ ଅନ୍ୟ ଜି-୨୩ ନେତାମାନେ ମଧ୍ୟ ନିର୍ବାଚନ ଲଢ଼ିବାକୁ କଥା କହୁଛନ୍ତି।

ଏହାର ଅର୍ଥ ଥରୁରଙ୍କ ପ୍ରାର୍ଥିତ୍ୱକୁ ଜି-୨୩ର ନେତାମାନେ ସମର୍ଥନ କରୁନାହାନ୍ତି। ସେମାନଙ୍କ ସହ ବିନା ଆଲୋଚନାରେ ଥରୁର ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କରିବାକୁ ଆଗେଇ ଆସିଥିବା କୁହାଯାଉଛି। ଏସବୁ ଛକା ପଞ୍ଝା ଭିତରେ ଜଣଙ୍କ ପରେ ଜଣେ ନେତାଙ୍କ ନାଁ ସାମ୍ନାକୁ ଆସୁଛି।

ସୂଚନାଯୋଗ୍ୟ, ନାମାଙ୍କନ ଦାଖଲର ଶେଷ ତାରିଖ ହେଉଛି ସେପ୍ଟେମ୍ବର ୩୦। ଏହାପରେ ଅକ୍ଟୋବର ୧୭ରେ ସଭାପତି ପଦ ପାଇଁ ନିର୍ବାଚନ ଓ ୧୯ରେ ରେଜଲ୍ଟ ପ୍ରକାଶ ପାଇବ।

Leave a Reply

Your email address will not be published. Required fields are marked *