ମହିଳା ଏସିଆ କପ: ଫାଇନାଲରେ ଭାରତ ଓ ଶ୍ରୀଲଙ୍କା, ନିରାଶ ହେଲା ପାକିସ୍ତାନ

Top Storise କ୍ରୀଡ଼ା ଦେଶ- ବିଦେଶ

ଢାକା: ମହିଳା ଟି-୨୦ ଏସିଆ କପ ଫାଇନାଲରେ ମୁହାଁମୁହିଁ ହେବେ ଭାରତ ଓ ଶ୍ରୀଲଙ୍କା। ଆଜି ଖେଳା ଯାଇଥିବା ପ୍ରଥମ ସେମି ଫାଇନାଲରେ ଭାରତୀୟ ମହିଳା ଦଳ ଅପେକ୍ଷାକୃତ ଦୁର୍ବଳ ଥାଇଲ୍ୟାଣ୍ଡକୁ ୭୪ ରନରେ ହରାଇ ଥିବା ବେଳେ ଦ୍ୱିତୀୟ ସେମି ଫାଇନାଲ ବେଶ ରୋମାଞ୍ଚକର ଭାବେ ଶେଷ ହୋଇଛି। ଏହି ମ୍ୟାଚ୍‌କୁ ଶ୍ରୀଲଙ୍କା ମାତ୍ର ୧ ରନରେ ଜିତି ପାକିସ୍ତାନର ସବୁ ଆଶାରେ ପାଣି ପକାଇ ଦେଇଛି।

ଶେଷ ବଳରେ ଜିତିବା ପାଇଁ ୩ ରନ ଦରକାର ଥିବା ବେଳେ ପାକିସ୍ତାନ ୧ ରନ କରିବାକୁ ସକ୍ଷମ ହୋଇଥିଲା। ଏବେ ଶନିବାର ଭାରତ ଓ ଶ୍ରୀଲଙ୍କା ଟ୍ରଫି ପାଇଁ ଲଢ଼େଇ କରିବେ। ଭାରତ ଏଯାଏ ୮ ଥର ଫାଇନାଲକୁ ଯାଇଥିବା ବେଳେ ୭ଥର ଟ୍ରଫି ଜିତିଛି। ଗତଥର ଭାରତ ଫାଇନାଲରେ ବାଂଲାଦେଶ ଠାରୁ ହାରି ଯାଇଥିଲା। ହେଲେ ଏଥର ହରମନପ୍ରୀତ କୌରଙ୍କ ଭାରତୀୟ ଟିମ୍‌ ଜବରଦସ୍ତ ଲୟରେ ରହିଛି।

ଏସିଆ କପରେ ଭାରତୀୟ ମହିଳା ଦଳ ଏଯାଏ ୭ଟି ମ୍ୟାଚ୍‌ ଖେଳିଥିବା ବେଳେ ୬ଟିରେ ଜିତିଛି। ଏକମାତ୍ର ମ୍ୟାଚ୍‌ ଦଳ ପାକିସ୍ତାନ ଠାରୁ ହାରିଥିଲା। ଏହାର ବଦଲା ଭାରତ ଫାଇନାଲରେ ନେବାକୁ ଲକ୍ଷ୍ୟ ରଖିଥିଲେ ହେଁ ପାକିସ୍ତାନ ଟିମ ସେମି ଫାଇନାଲରୁ ହିଁ ବିଦା ହୋଇଯାଇଛି।

ଆଜି ଭାରତ ପ୍ରଥମ ସେମି ଫାଇନାଲରେ ଥାଇଲ୍ୟାଣ୍ଡକୁ ୭୪ରେ ହରାଇଛି। ପ୍ରଥମେ ବ୍ୟାଟିଂ କରି ଭାରତୀୟ ମହିଳା ଦଳ ଶେଫାଳି ବର୍ମାଙ୍କ ୨୮ ବଲରେ ୪୨ ଓ ଅଧିନାୟକ ହରମନପ୍ରୀତଙ୍କ ୩୦ ବଲରେ ୩୬ ରନ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୪୮ ରନ କରିଥିଲା। ଏହାର ଜବାବରେ ଥାଇଲ୍ୟାଣ୍ତ ୨୦ ଓଭରରେ ୯ ୱିକେଟ ହରାଇ କେବଳ ୭୪ ରନ କରିବାକୁ ସକ୍ଷମ ହୋଇଥିଲା।

ଭାରତ ପକ୍ଷରୁ ଦୀପ୍ତି ଶର୍ମା ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ରାଜେଶ୍ୱରୀ ଗାଏକ୍ୱାଡ ୨, ରେଣୁକା ସିଂହ, ସ୍ନେହ ରାଣା ଓ ଶେଫାଳି ବର୍ମା ଗୋଟିଏ ଲେଖାଏ ସଫଳତା ପାଇଥିଲେ। ବ୍ୟାଟିଂରେ ୪୨ ଓ ବୋଲିଂରେ ଗୋଟିଏ ୱିକେଟ ନେଇଥିବା ଶେଫାଳି ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି।

ଦ୍ୱିତୀୟ ସେମିରେ ଶ୍ରୀଲଙ୍କା ଶେଷ ବଲରେ ପାକିସ୍ତାନକୁ ୧ ରନରେ ହରାଇଛି। ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ମହିଳା ଦଳ ୬ ୱିକେଟ ହରାଇ ୧୨୨ ରନ କରିଥିଲା। ଏହାର ଜବାବରେ ପାକିସ୍ତାନ ଲଢ଼େଇ କରିଥିଲେ ମଧ୍ୟ ୬ ୱିକେଟ ହରାଇ ୧୨୧ରେ ଅଟକି ଯାଇଥିଲା।

Leave a Reply

Your email address will not be published. Required fields are marked *