ନୂଆଦିଲ୍ଲୀ: କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏକ୍ସ (ପୂର୍ବତନ ଟ୍ୱିଟର) ପୋଷ୍ଟକୁ ନେଇ ସୋସିଆଲ ମିଡିଆରେ ବ୍ୟାପକ ଚର୍ଚ୍ଚା ହେଉଛି। ଜୁଲାଇ ୨୫ରେ କରାଯାଇଥିବା ଏହି ପୋଷ୍ଟକୁ ୪୭.୧ ମିଲିୟନ୍ (୪.୭ କୋଟିରୁ ଅଧିକ) ଥର ଦେଖାଯାଇଛି। ଏହାସହ ୨.୨୧ ଲକ୍ଷରୁ ଅଧିକ ଲାଇକ୍, ୩୭ ହଜାରରୁ ଅଧିକ ରିପୋଷ୍ଟ ଓ ୩୦ ହଜାରରୁ ଅଧିକ କମେଣ୍ଟ ଆସିଛି।
ନିଜ ପୋଷ୍ଟରେ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଗତ ଚାରି ଦଶକ ଧରି ସେ ଛାତ୍ର, ଶିକ୍ଷକ ଓ ଶିକ୍ଷା ସଂସ୍କାର କ୍ଷେତ୍ରରେ କାମ କରିଆସୁଛନ୍ତି। ଦେଶର ଯୁବପିଢ଼ିଙ୍କ ସ୍ୱପ୍ନ, ଆକାଂକ୍ଷା ଓ ନ୍ୟାୟସଙ୍ଗତ ଆଶା ପ୍ରତି ତାଙ୍କର ସର୍ବଦା ସମ୍ମାନ ରହିଛି ବୋଲି ସେ ଲେଖିଛନ୍ତି।

ପୋଷ୍ଟରେ ସେ ଉଲ୍ଲେଖ କରିଛନ୍ତି ଯେ, ୩ ମଇ ୨୦୨୬ରେ ହୋଇଥିବା NEET-UG ପରୀକ୍ଷାରେ ଅନିୟମିତତା ସାମ୍ନାକୁ ଆସିବା ପରେ କେନ୍ଦ୍ର ସରକାର ତୁରନ୍ତ ସିବିଆଇ ତଦନ୍ତର ନିଷ୍ପତ୍ତି ନେଇଥିଲେ। ପରୀକ୍ଷାକୁ ବାତିଲ କରି ପୁନଃ ପରୀକ୍ଷା ଆୟୋଜନ କରାଯାଇଥିଲା। ଆସନ୍ତା ବର୍ଷଠାରୁ NEET-UG ପରୀକ୍ଷାକୁ କମ୍ପ୍ୟୁଟର ଆଧାରିତ (CBT) ପଦ୍ଧତିରେ କରାଯିବ ବୋଲି ମଧ୍ୟ ସେ ଲେଖିଛନ୍ତି।
ସେ ଦାବି କରିଛନ୍ତି ଯେ, ୨୦ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ପରୀକ୍ଷା ସୁଚାରୁ ଭାବେ ସମ୍ପନ୍ନ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ, ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ସହଯୋଗ ନିଆଯାଇଥିଲା। ଜୁନ୍ ୨୧ରେ ପୁନଃ ପରୀକ୍ଷା ସଫଳତାର ସହ ସମ୍ପନ୍ନ ହୋଇଥିବା ଏବଂ ଜୁଲାଇ ୧୬ରେ ଫଳାଫଳ ପ୍ରକାଶ ପାଇଥିବା କଥା ମଧ୍ୟ ସେ ଉଲ୍ଲେଖ କରିଛନ୍ତି।
ଚିଠିରେ ସେ କହିଛନ୍ତି ଯେ, ପ୍ରଥମ ଦିନରୁ ସେ ନିଜ ଦାୟିତ୍ୱ ଗ୍ରହଣ କରିଥିଲେ ଏବଂ କୌଣସି ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପରୀକ୍ଷା ମାଫିଆଙ୍କ ପାଇଁ କ୍ଷତିଗ୍ରସ୍ତ ହେବାକୁ ଦେବେ ନାହିଁ ବୋଲି ସଂକଳ୍ପ ନେଇଥିଲେ। ତେବେ ଏହି ସମୟରେ କିଛି ଦାୟିତ୍ୱବାନ ବ୍ୟକ୍ତି ଛାତ୍ରଛାତ୍ରୀଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଥିବାରୁ ସେ ବ୍ୟଥିତ ହୋଇଥିବା କଥା ମଧ୍ୟ ଲେଖିଛନ୍ତି।
ଧର୍ମେନ୍ଦ୍ର ପ୍ରଧାନ ଆହୁରି କହିଛନ୍ତି ଯେ, ଗତ ୧୦ ଦିନର ଘଟଣାକ୍ରମ ତାଙ୍କୁ ଦୁଃଖିତ କରିଛି। ଏହା ତାଙ୍କ ବ୍ୟକ୍ତିଗତ ପ୍ରତିଷ୍ଠାର ପ୍ରସଙ୍ଗ ନୁହେଁ, ବରଂ ଦେଶର ଯୁବଶକ୍ତିର ଭବିଷ୍ୟତ ସହ ଜଡିତ। ଦେଶର ଏକତା ଅକ୍ଷୁଣ୍ଣ ରହୁ ଏବଂ କୌଣସି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଆଇନଗତ ପ୍ରକ୍ରିୟାରେ ଅଟକି ନରହୁ, ସେଥିପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ନିଜ ଇସ୍ତଫା ପତ୍ର ପଠାଇଥିବା କଥା ପୋଷ୍ଟରେ ଉଲ୍ଲେଖ କରିଛନ୍ତି।

ଶେଷରେ ସେ ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଓ ବିଶ୍ୱାସ ପାଇଁ କୃତଜ୍ଞତା ଜଣାଇବା ସହ ଭବିଷ୍ୟତରେ ମଧ୍ୟ ଭାରତ, ଓଡ଼ିଶା ଏବଂ ଦେଶର ଯୁବପିଢ଼ିଙ୍କ ସେବାରେ ନିଜକୁ ସମର୍ପିତ ରଖିବେ ବୋଲି କହିଛନ୍ତି।

