ଭୁବନେଶ୍ୱର: ଟାଟା ପାୱାର ସୋଲାର ସିଷ୍ଟମ୍ସ ଲିମିଟେଡ୍ ଏବଂ ଟାଟା ୱାନଏମଜି ହେଲଥ୍ କେୟାର ସଲ୍ୟୁସନ୍ ପ୍ରାଇଭେଟ୍ ଲିମିଟେଡ୍ର ନକଲି ପ୍ରତିନିଧି ସାଜି ଡିଷ୍ଟ୍ରିବ୍ୟୁଟରସିପ୍ ଓ ଫ୍ରାଞ୍ଚାଇଜ୍ ଦେବାର ପ୍ରଲୋଭନ ଦେଖାଇ ୧୫ ଲକ୍ଷ ୧୯ ହଜାର ୨୦୦ ଟଙ୍କା ଠକେଇ ମାମଲାରେ ସାଇବର ଥାନା ପୁଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି।
ଅଭିଯୋଗକାରୀ ବିଜନ କୁମାର ମହାପାତ୍ରଙ୍କ ଲିଖିତ ଅଭିଯୋଗ ଆଧାରରେ ସାଇବର ଥାନାରେ ମାମଲା ରୁଜୁ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ସମୟରେ ଦଧିବଳ କୁମାର ସିଂହଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।
ପୁଲିସ ସୂଚନା ଅନୁସାରେ, ଗତ ୨୬ ମାର୍ଚ୍ଚ ୨୦୨୬ରେ ବିଜନ କୁମାର ମହାପାତ୍ର ଅଭିଯୋଗ କରିଥିଲେ ଯେ, କିଛି ଠକ ନିଜକୁ ଟାଟା ପାୱାର ସୋଲାର ସିଷ୍ଟମ୍ସ ଲିମିଟେଡ୍ ଓ ଟାଟା ୱାନଏମଜି ହେଲଥ୍ କେୟାର ସଲ୍ୟୁସନ୍ ପ୍ରାଇଭେଟ୍ ଲିମିଟେଡ୍ର ପ୍ରତିନିଧି ବୋଲି ପରିଚୟ ଦେଇ ଡିଷ୍ଟ୍ରିବ୍ୟୁଟରସିପ୍ ଏବଂ ଫ୍ରାଞ୍ଚାଇଜ୍ ଦେବାକୁ କହିଥିଲେ। ଇ-ମେଲ୍ ଓ ହ୍ୱାଟସ୍ଆପ୍ ମାଧ୍ୟମରେ ବିଭିନ୍ନ ପର୍ଯ୍ୟାୟରେ ପଞ୍ଜୀକରଣ, ଚୁକ୍ତିନାମା ଶୁଳ୍କ, ଷ୍ଟକ୍, ଅତିରିକ୍ତ ଷ୍ଟକ୍, ଟିଡିଏସ୍ ଓ ଏନଓସି ବାବଦରେ ଟଙ୍କା ଜମା କରିବାକୁ କୁହାଯାଇଥିଲା।
ଠକମାନଙ୍କ କଥାରେ ବିଶ୍ୱାସ କରି ଅଭିଯୋଗକାରୀ ନିଜ ପତ୍ନୀଙ୍କ ଏଚଡିଏଫସି ବ୍ୟାଙ୍କ ଖାତାରୁ ଏନଇଏଫଟି ମାଧ୍ୟମରେ ବିଭିନ୍ନ ବ୍ୟାଙ୍କ ଖାତାକୁ ମୋଟ ୧୫ ଲକ୍ଷ ୧୯ ହଜାର ୨୦୦ ଟଙ୍କା ପଠାଇଥିଲେ। ଏଥିମଧ୍ୟରୁ ଟାଟା ପାୱାର ସୋଲାର ଡିଷ୍ଟ୍ରିବ୍ୟୁଟରସିପ୍ ପାଇଁ ୧୦ ଲକ୍ଷ ୯୭ ହଜାର ୬୦୦ ଟଙ୍କା ଏବଂ ଟାଟା ୱାନଏମଜି ଫ୍ରାଞ୍ଚାଇଜ୍ ପାଇଁ ୪ ଲକ୍ଷ ୨୧ ହଜାର ୬୦୦ ଟଙ୍କା ପ୍ରଦାନ କରିଥିଲେ।
ତେବେ ସମସ୍ତ ଅର୍ଥ ପ୍ରଦାନ ପରେ ମଧ୍ୟ ତାଙ୍କୁ ନା ଡିଷ୍ଟ୍ରିବ୍ୟୁଟରସିପ୍ ମିଳିଥିଲା, ନା ଫ୍ରାଞ୍ଚାଇଜ୍ ଏବଂ କୌଣସି ବ୍ୟବସାୟିକ ସୁଯୋଗ ମଧ୍ୟ ଦିଆଯାଇନଥିଲା। ଏହାପରେ ସେ ସାଇବର ଥାନାର ଦ୍ୱାରସ୍ଥ ହୋଇଥିଲେ।
ପୁଲିସର ତଦନ୍ତ ବେଳେ ଏହି ଠକେଇ ଚକ୍ରରେ ସମ୍ପୃକ୍ତ ଥିବା ଅଭିଯୋଗରେ ଦଧିବଳ କୁମାର ସିଂହଙ୍କୁ ଗିରଫ କରାଯାଇଥିବା ବେଳେ, ସେ ଅପରାଧ ସ୍ୱୀକାର କରିଥିବା ପୁଲିସ କହିଛି। ତେବେ ଏହି ମାମଲାରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ସାଇବର ଥାନା ପୁଲିସ ଅଧିକ ତଦନ୍ତ ଜାରି ରଖିଛି।

