ଷଣ୍ଢ ଧକ୍କାରେ ଚାଲିଗଲା ଯୁବ ଇଞ୍ଜିନିୟରଙ୍କ ଜୀବନ, ଅଧାରେ ରହିଗଲା ଏଭରେଷ୍ଟ ଛୁଇଁବାର ସ୍ୱପ୍ନ

Top Storise କ୍ରୀଡ଼ା ରାଜ୍ୟ

କେନ୍ଦୁଝର: ଷଣ୍ଢ ସହ ଦୁର୍ଘଟଣାରେ ଚାଲିଗଲା ଜଣେ ମେଧାବୀ ଯୁବ ଇଞ୍ଜିନିୟରଙ୍କ ଜୀବନ। ମୃତକ ହେଉଛନ୍ତି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ ଭୋଗାମୁଣ୍ଡା ପଞ୍ଚାୟତ ନୂଆଗାଁ ଗ୍ରାମର ଜଗନ୍ନାଥ ମହାନ୍ତ। ସେ ଜଣେ ସଫ୍ଟୱେର୍ ଇଞ୍ଜିନିୟରଙ୍କ ସହ ଜଣେ ସମାଜସେବୀ ଏବଂ ଆନ୍ତର୍ଜାତୀୟ କୀର୍ତ୍ତିମାନ ହାସଲ କରିଥିବା ପର୍ବତାରୋହୀ ଥିଲେ।

ଜଗନ୍ନାଥ ହେଉଛନ୍ତି ଶିକ୍ଷକ ଶ୍ୟାମସୁନ୍ଦର ମହାନ୍ତ ଓ ଶକୁନ୍ତଳା ମହାନ୍ତଙ୍କ ପୁଅ। ସେ ଭୁବନେଶ୍ବର ସ୍ଥିତ ସଫ୍ଟୱେର୍ କମ୍ପାନୀ Wiproରେ ଇଞ୍ଜିନିୟର ଭାବେ କାର୍ଯ୍ୟରତ ଥିଲେ।

ଗୁରୁବାର ଅପରାହ୍ଣରେ ଡ୍ୟୁଟି ସାରି ଘରକୁ ଫେରୁଥିବା ସମୟରେ ୨୦୦ ଫୁଟିଆ ରାସ୍ତାରେ ହଠାତ୍ ଏକ ଷଣ୍ଢ ସହ ତାଙ୍କର ଧକ୍କା ହୋଇଥିଲା। ଦୁର୍ଘଟଣାରେ ସେ ଗୁରୁତର ଆହତ ହୋଇ ରାସ୍ତାରେ ପଡ଼ିଯାଇଥିଲେ। ଘଟଣାସ୍ଥଳରେ ଥିବା କିଛି ସ୍ଥାନୀୟ ବସ୍ତିବାସିନ୍ଦା ତୁରନ୍ତ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ଏକ ଘରୋଇ ହସ୍ପିଟାଲକୁ ନେଇଯାଇଥିଲେ। ତେବେ ସେଠାରେ ଡାକ୍ତର ଜଗନ୍ନାଥଙ୍କୁ ମୃତ ଘୋଷଣା କରିଥିଲେ।

କେନ୍ଦୁଝରର ଗର୍ବ ଥିଲେ ଜଗନ୍ନାଥ

ଜଗନ୍ନାଥ କେବଳ ଜଣେ ସଫଳ ଇଞ୍ଜିନିୟର ନଥିଲେ। ପର୍ବତାରୋହଣ, ସମାଜସେବା ଓ ଦୁଃସାହସିକ କାର୍ଯ୍ୟ ମାଧ୍ୟମରେ ସେ ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ତିଆରି କରିଥିଲେ।

ଇଣ୍ଡିଆନ୍ ଆଡଭେଞ୍ଚର୍ ଫାଉଣ୍ଡେସନ୍ (IAF)ରୁ ୨୦୧୯ ମସିହାରୁ ପର୍ବତାରୋହଣର ତାଲିମ ନେଉଥିଲେ ଜଗନ୍ନାଥ। ୨୦୨୧ ଡିସେମ୍ବର ୩୦ରୁ ୨୦୨୨ ଜାନୁଆରୀ ୪ ପର୍ଯ୍ୟନ୍ତ ଚାଲିଥିବା ଏକ ଅଭିଯାନରେ ସେ ଉତ୍ତରାଖଣ୍ଡର ପ୍ରାୟ ୧୨,୫୦୦ ଫୁଟ୍ ଉଚ୍ଚତା ବିଶିଷ୍ଟ କେଦାରକଣ୍ଠ ଶିଖର ଆରୋହଣ କରିଥିଲେ।

ମାଇନସ୍ (-)୧୨ ଡିଗ୍ରୀ ସେଲସିୟସ୍‌ର ଅତ୍ୟଧିକ ଶୀତ ଓ ପ୍ରତିକୂଳ ପରିବେଶ ମଧ୍ୟରେ ହିମାଳୟରେ ୨୮୦ ଫୁଟ୍ ଲମ୍ବର ଜାତୀୟ ପତାକା ଉଡ଼ାଇ ସେ ଚର୍ଚ୍ଚାକୁ ଆସିଥିଲେ। ଏହି ଅଭିଯାନରେ ସେ ଓଡ଼ିଶାର ଏକମାତ୍ର ପ୍ରତିଯୋଗୀ ଥିବା ଉଲ୍ଲେଖ ରହିଛି।

ତାଙ୍କର ଏହି ସଫଳତା ପାଇଁ Worldwide Book of Records, International Book of Records, Universal Book of Records ଏବଂ Indian Book of Recordsରେ ତାଙ୍କ ନାମ ସ୍ଥାନ ପାଇଥିଲା।

ଏଭରେଷ୍ଟ ଚଢ଼ିବାର ଥିଲା ସ୍ୱପ୍ନ

ପର୍ବତାରୋହଣ ପ୍ରତି ଜଗନ୍ନାଥଙ୍କର ଗଭୀର ଆଗ୍ରହ ଥିଲା। କେଦାରକଣ୍ଠ ଶିଖର ଆରୋହଣ ପରେ ବିଶ୍ୱର ସର୍ବୋଚ୍ଚ ଶିଖର ମାଉଣ୍ଟ ଏଭରେଷ୍ଟ ଆରୋହଣ କରିବା ତାଙ୍କର ସ୍ୱପ୍ନ ଓ ମୁଖ୍ୟ ଲକ୍ଷ୍ୟ ଥିଲା। ହେଲେ ଅକାଳ ମୃତ୍ୟୁ ତାଙ୍କର ଏହି ସ୍ୱପ୍ନକୁ ଅଧାରେ ରଖିଦେଇଛି।

୨୫ରୁ ଅଧିକ ଥର କରିଥିଲେ ରକ୍ତଦାନ

ସମାଜସେବା କ୍ଷେତ୍ରରେ ମଧ୍ୟ ଜଗନ୍ନାଥଙ୍କର ଅବଦାନ ରହିଥିଲା। ଜୀବନକାଳରେ ସେ ୨୫ରୁ ଅଧିକ ଥର ମାଗଣା ରକ୍ତଦାନ କରିଥିବା ନଜିର ରହିଛି। ଏହା ମାଧ୍ୟମରେ ଅନେକ ଜୀବନ ବଞ୍ଚାଇବାରେ ସେ ସହାୟତା କରିଥିଲେ। ସେହିପରି କୋଭିଡ୍ ମହାମାରୀ ସମୟରେ ମଧ୍ୟ ସେ ଲୋକଙ୍କୁ ସଚେତନ କରିବା ସହ ଅସହାୟ ଲୋକଙ୍କୁ ସହାୟତାର ହାତ ବଢ଼ାଇଥିଲେ। ଏଥିସହ ୧୫ କିଲୋମିଟର ମାରାଥନ୍ ଦୌଡ଼ରେ ମଧ୍ୟ ସେ ସଫଳତା ହାସଲ କରିଥିଲେ।

ବିଭିନ୍ନ ସମ୍ମାନରେ ସମ୍ମାନିତ

ଜଗନ୍ନାଥଙ୍କର ସମାଜସେବା ଓ ସାହସିକତା ପାଇଁ ତାଙ୍କୁ ବିଭିନ୍ନ ସମ୍ମାନ ମିଳିଥିଲା। ସେଥିମଧ୍ୟରେ ରହିଛି—

– ରାଷ୍ଟ୍ରୀୟ ପ୍ରେରଣା ଦୂତ ସମ୍ମାନ – ୨୦୨୧
– ପ୍ରାଇଡ୍ ଅଫ୍ ସବ୍ ହିନ୍ଦୁସ୍ତାନ ଆୱାର୍ଡ – ୨୦୨୧
– ଗ୍ଲୋବାଲ୍ ଚେଞ୍ଜ୍ ମେକର୍ ସମ୍ମାନ – ୨୦୨୧

ଗ୍ଲୋବାଲ୍ ଚେଞ୍ଜ୍ ମେକର୍ ସମ୍ମାନ ପାଇଁ ସମଗ୍ର ଦେଶରୁ ଚୟନ ହୋଇଥିବା ୧୦୦ ଜଣ ସାମାଜିକ କର୍ମୀଙ୍କ ମଧ୍ୟରେ ଜଗନ୍ନାଥ ଓଡ଼ିଶାରୁ ଏକମାତ୍ର ବିଜେତା।

ଅଳ୍ପ ବୟସରେ ନିଜ ପ୍ରତିଭା, ପରିଶ୍ରମ, ପର୍ବତାରୋହଣ ଓ ସମାଜସେବା ମାଧ୍ୟମରେ କେନ୍ଦୁଝର ତଥା ଓଡ଼ିଶା ପାଇଁ ପରିଚୟ ସୃଷ୍ଟି କରିଥିବା ଜଗନ୍ନାଥଙ୍କ ଅକାଳ ମୃତ୍ୟୁରେ ଶୋକର ଛାୟା ଖେଳିଯାଇଛି।

ବିଶେଷକରି ଏଭରେଷ୍ଟ ଶିଖର ଛୁଇଁବାର ତାଙ୍କ ସ୍ୱପ୍ନ ଅଧାରେ ରହିଯାଇଥିବାରୁ ପରିବାର, ବନ୍ଧୁବାନ୍ଧବ ଓ ପରିଚିତମାନେ ମର୍ମାହତ। ଜଗନ୍ନାଥଙ୍କ ବିୟୋଗରେ ବୁଦ୍ଧିଜୀବୀ, ଗ୍ରାମବାସୀ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଗଭୀର ଶୋକପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *