ଭୁବନେଶ୍ୱର: ଆଜି ମଧ୍ୟାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ଭିଡିଓ କନ୍ଫେରେନ୍ସିଂ ଜରିଆରେ ବୈଠକ ବସିଥିଲା । ଏଥିରେ ୯ଟି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି ରାଜ୍ୟ ସରକାର ।
ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି, ସାଧାରଣ ପ୍ରଶାସନ ଏବଂ ଜନ ଅଭିଯୋଗ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ଏବଂ ଇସ୍ପାତ ଏବଂ ଖଣି ବିଭାଗ ସହ ଜଡିତ କ୍ୟାବିନେଟର ନିଷ୍ପତ୍ତି ।
ଭୁବନେଶ୍ୱରରେ ବାଗ୍ଚି-କରୁଣାଶ୍ରୟ ପାଲିଏଟିଭ କେୟାର ସେଣ୍ଟର ପ୍ରତିଷ୍ଠା କରାଯିବାକୁ ନିଷ୍ପତି ନିଆଯାଇଛି । ପ୍ରଥମ ଥର ପାଇଁ ଏହି ପାଲିଏଟିଭ କେୟାର ହସପିଟାଲ ପ୍ରତିଷ୍ଠା ହେବାକୁ ଯାଉଛି । ପ୍ରଥମେ ଶହେ ଶଯ୍ୟା ସହ ରୋଗୀ ସେବା ଆରମ୍ଭ ହେବ । ରୋଗୀଙ୍କୁ ଶତପ୍ରତିଶତ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ । ଏଥିପାଇଁ ବାଗଚି ଦମ୍ପତି ୧୩୦ କୋଟି ଟଙ୍କା ପ୍ରଦାନ କରିବେ । ଇନଫୋଭ୍ୟାଲି ନିକଟରେ ସରକାର ଏଥିପାଇଁ ୨୦ ଏକର ଜମି ଯୋଗାଇ ଦେବେ ।
ଏହାସହ ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ବାଗ୍ଚୀ-ଶ୍ରୀଶଙ୍କର କର୍କଟ ହସପିଟାଲ ଓ ଗବେଷଣା କେନ୍ଦ୍ର । ଏଥିପାଇଁ ସୁବ୍ରତ ବାଗ୍ଚୀ ଓ ତାଙ୍କ ପତ୍ନୀ ସୁସ୍ମିତା ବାଗ୍ଚୀ ୨୧୦ କୋଟି ଟଙ୍କା ପ୍ରଦାନ କରିବେ । ଏହା ୨୦୨୪ ଜାନୁଆରୀ ସୁଦ୍ଧା ୨୫୦ ଶଯ୍ୟା ବିଶିଷ୍ଟ କ୍ୟାନସର ହସପିଟାଲ କାର୍ଯ୍ୟକ୍ଷମ ହେବ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଇନ୍ଫୋସିଟି ଅଞ୍ଚଳରେ ୨୦ଏକର ଜମି ଯୋଗାଇ ଦିଆଯିବ । ପରିବର୍ତ୍ତୀ ସମୟରେ ଶଯ୍ୟା ସଂଖ୍ୟା ୫ଶହକୁ ବୃଦ୍ଧି କରାଯିବ ।
ସେହିପରି ଆଜି କ୍ୟାବିନେଟ ବୈଠକରେ ଜିଲ୍ଲା ଜଜଙ୍କ କ୍ୟାଡରରେ ନିଯୁକ୍ତି ପ୍ରକ୍ରିୟାକୁ ସହଜ କରିବା ଓ ନିଯୁକ୍ତି ବର୍ଷରେ ଅଧିକାରୀଙ୍କ ବରିଷ୍ଠତା ପଦ୍ଧତିକୁ ସ୍ଥିର କରିବା ପାଇଁ OSJS ଏବଂ OJS ନିୟମାବଳୀରେ ସଂଶୋଧନ କରାଯିବ । ଏହାଦ୍ୱାରା ନିଯୁକ୍ତି ବର୍ଷ ଅଗଷ୍ଟ ପହିଲା ପରିବର୍ତ୍ତେ ଏପ୍ରିଲ ୧କୁ ଧରାଯିବ । ଓଡ଼ିଶା ୱେଲଫେୟାର ସର୍ଭିସ ରୁଲ-୧୯୯୨ରେ ସଂଶୋଧନକୁ ମଧ୍ୟ କ୍ୟାବିନେଟ ଅନୁମୋଦନ ମିଳିଛି । ଓଡ଼ିଶା ଖଣିଜ ପଦାର୍ଥ ଅଧିନିୟମ-୨୦୦୭ରେ ସଂଶୋଧନକୁ ବୈଠକରେ ଅନୁମୋଦନ ମିଳିଛି ।