ASO ପରୀକ୍ଷା ବିବାଦ: ଚୂଡ଼ାନ୍ତ ତାଲିକା ପ୍ରକାଶ ଉପରେ ରୋକ୍ ଲଗାଇଲେ ହାଇକୋର୍ଟ

Top Storise ରାଜ୍ୟ

କଟକ: ଏଏସଓ ପରୀକ୍ଷା ମାମଲାର ଶୁଣାଣି କରି ପରବର୍ତ୍ତି ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଚୂଡାନ୍ତ ମେଧା ତାଲିକା ପ୍ରକାଶନ ଉପରେ ରୋକ ଲଗାଇଛନ୍ତି ଓଡିଶା ହାଇକୋର୍ଟ। କୋର୍ଟଙ୍କ ବିନା ଅନୁମତିରେ ଏହି ଚୂଡ଼ାନ୍ତ ଫଳ ପ୍ରକାଶିତ ହୋଇ ପାରିବ ନାହିଁ। କିନ୍ତୁ କମ୍ପ୍ୟୁଟର ଦକ୍ଷତା ପରୀକ୍ଷା ଜାରି ରହିବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ଆସନ୍ତା ୪ ତାରିଖରେ ୧୦୪୫ ପ୍ରାର୍ଥୀଙ୍କର କମ୍ପୁଟର ସ୍କିଲ ଟେଷ୍ଟ ଭୁବନେଶ୍ୱରର ୭ଟି ଟେକ୍ନିକାଲ ଇନଷ୍ଟିଚ୍ୟୁଟରେ ହେବାର ଥିବା ବେଳେ, ତାହା ଯଥାରୀତି ହେବ।

ଏଏସ୍‌ଓ ପରୀକ୍ଷାରେ ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ଧାର୍ଯ୍ୟ ହୋଇଥିବା କଟଅପ୍‌ ମାର୍କକୁ ନେଇ ରଜତ କୁମାର ମିଶ୍ର ଓ ଅନ୍ୟ କେତେକ ଆଶାୟୀଙ୍କ ପକ୍ଷରୁ ରୁଜୁ ହୋଇଛି ଏହି ମାମଲା। ରୁଲ ବାହାରକୁ ଯାଇ କଟ୍‌ଅପ୍‌ ମାର୍କ ଓପିଏସସି ଧାର୍ଯ୍ୟ କରିଛି ବୋଲି ମାମଲାରେ ଦର୍ଶାଯାଇଛି। ଏଭଳି ପିଟିସନ୍‌ ଉପରେ ଲୋକସେବା ଆୟୋଗକୁ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜଷ୍ଟିସ୍‌ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ। ଡିସେମ୍ବର ୨୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ ହୋଇଥିବା ବେଳେ ତା’ ପୂର୍ବରୁ ଜବାବ ରଖିବ ଓପିଏସ୍‌ସି। ଓପିଏସ୍‌ସି ଜବାବ ରଖିବା ପରେ ୩ ଦିନ ମଧ୍ୟରେ ରିଜେଣ୍ଡର ଦାଖଲ କରିବେ ଆବେଦନକାରୀ।

ପୂର୍ବରୁ ଏହି ଏଏସଓ ପରୀକ୍ଷାକୁ ନେଇ ହୋଇଥିବା ମାମଲାରେ ଚୟନ ପ୍ରକ୍ରିୟାରେ କୌଣସି ପ୍ରକାର ହସ୍ତକ୍ଷେପ କରିନଥିଲେ ହାଇକୋର୍ଟ। ତେବେ ଓଡିଶା ଲୋକସେବା ଆୟୋଗ ପକ୍ଷରୁ ସଦ୍ୟ ପ୍ରକାଶିତ ଲିଖିତ ପରୀକ୍ଷା ଫଳରେ ମଧ୍ୟ ହସ୍ତକ୍ଷେପ କରିନଥିଲେ ଅଦାଲତ। ଓଡିଶା ହାଇକୋର୍ଟରେ ଏଏସଓ ପରୀକ୍ଷା ସଂକ୍ରାନ୍ତିୟ ଏହି ମାମଲାରେ ତ୍ରୁଟିପୂର୍ଣ୍ଣ ମୂଲ୍ୟାୟନ ହୋଇଥିବା ନେଇ ପିଟିସନ୍‌ ଦାୟର ହୋଇଥିଲା। ଚୟନ ପ୍ରକ୍ରିୟାରୁ ବଞ୍ଚିତ ହୋଇଥିବା କିଛି ଆଶାୟୀ ପ୍ରାର୍ଥୀ ହାଇକୋର୍ଟରେ ଏହି ମାମଲା ରୁଜୁ କରିଥିଲେ।

ଓପିଏସସି ଦ୍ଵାରା ନିକଟରେ ଏଏସଓ ପରୀକ୍ଷାର ଲିଖିତ ରେଜଲ୍ଟ ପ୍ରକାଶିତ ହୋଇଛି। ୧ ଲକ୍ଷ ୪୮ ହଜାର ଆବେଦନକାରୀଙ୍କ ମଧ୍ୟରୁ ୧୧୦୪ ଜଣ ପରୀକ୍ଷାର୍ଥୀ ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ। ନଭେମ୍ବର ୧୪ ତାରିଖଠାରୁ ୧୮ ପର୍ଯ୍ୟନ୍ତ କାଗଜପତ୍ର ଭେରିଫିକେସନ୍‌ ରହିଥିବା ବେଳେ ୧୧୦୪ ଜଣଙ୍କ ମଧ୍ୟରୁ ୫୯ ଜଣ ଅନୁପସ୍ଥିତ ରହିଥିଲେ। ଏହା ପରେ ଆସନ୍ତା ୪ ତାରିଖରେ ୧୦୪୫ ଜଣ ପ୍ରାର୍ଥୀଙ୍କର କମ୍ପ୍ୟୁଟର ସ୍କିଲ୍‌ ଟେଷ୍ଟ କରାଯାଇ ଚୂଡାନ୍ତ ଯୋଗ୍ୟ ପ୍ରାର୍ଥୀ ତାଲିକା ପ୍ରକାଶିତ ହେବା କଥା। ତେବେ ୭୯୬ଟି ଏଏସଓ ପଦଵୀ ପାଇଁ ଓପିଏସସି ଏହି ପରୀକ୍ଷା କରୁଛି। ତେବେ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଚୂଡାନ୍ତ ମେରିଟ୍‌ ଲିଷ୍ଟ ପ୍ରକାଶ ନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *