ବ୍ୟୁରୋ : ସାବଧାନ ସରକାରୀ ବାବୁ। ଆପଣ ସାର୍ଟିଫିକେଟ ଅସଲି ତ? ନହେଲେ ବାନ୍ଧିବ କ୍ରାଇମବ୍ରାଞ୍ଚ। ମାରାଥନ ଜେରା ପରେ କାରାଗାରକୁ ଯାଇ ପାରନ୍ତି ଆପଣ। ଏନେଇ ଏକ ସୂତ୍ରରୁ ଖବର ପ୍ରକାଶ ପାଇଛି। ତଥ୍ୟ ମୁତାବକ, ଜାଲ ସାର୍ଟିଫିକେଟକୁ ନେଇ ଏବେ ସବୁ ସରଗରମ୍ ପରିବେଶ। ଆଉ ସଭିଙ୍କ ନଜର ବଲାଙ୍ଗିର ଉପରେ। ଯାହାକୁ ଭିତି କରି ବଲାଙ୍ଗିରରେ ପହଁଞ୍ଚିଛି କ୍ରାଇମବ୍ରାଞ୍ଚ ଟିମ୍। ତନାଘନା ବି ଆରମ୍ଭ କରିଛି। ତଦନ୍ତର ପ୍ରଥମ ଦିନରେ ପୋଲିସ ପାଖରୁ କେଶ ନେଇ ରାକେଟର ମାଷ୍ଟର ମାଇଣ୍ଡ ମନୋଜ ମିଶ୍ରଙ୍କ କୋଚିଂ ସେଣ୍ଟରରେ ଛାନଭିନ୍ କରିଛି ୫ ଜଣିଆ ଟିମ୍।
ଆଜି ବଲାଙ୍ଗୀର ପହଁଞ୍ଚିବା ପରେ ପୋଲିସ ଠାରୁ ମାମଲା ନିଜେ ନେଇ ତନାଘନା କରୁଛନ୍ତି। ଟିମ୍ ରେ ୫ ଜଣ ଅଧିକାରୀ ରହିଛନ୍ତି। ପ୍ରଥମ ଦଫାରେ ଟିମର ସଦସ୍ୟମାନେ ନକଲି ସାର୍ଟିଫିକେଟର ଅସଲି କାର୍ପଟଦାର ମନୋଜ ମିଶ୍ରଙ୍କ କୋଚିଂ ସେଣ୍ଟରକୁ ଯାଇଥିଲେ । ସେଠାରେ ଜଣେ ଦୁଇ ଜଣଙ୍କୁ ପଚରାଉଚରା କରିବା ପରେ ରବିବାର ସତ୍ତ୍ୱେ ବି ସେଠୁ ସିଧା ମୁଖ୍ୟ ଡାକଘର ପହଞ୍ଚି ଛାନଭିନ୍ କରିଛି କ୍ରାଇମବ୍ରାଞ୍ଚ ଟିମ୍ ।
ମିଳିଥିବା ସୂଚନା ଅନୁଯାୟୀ ମନୋଜ ମିଶ୍ରଙ୍କ କୋଚିଂ ସେଣ୍ଟରରେ କିଏ କେଉଁ ବିଷୟରେ ପାଠ ପଢାଉଥିଲା, ତାର ଏକ ତାଳିକା ସଂଗ୍ରହ କରୁଛି କ୍ରାଇମବ୍ରାଞ୍ଚ। ଏସବୁ ବାଦ କେଉଁମାନେ ମନୋଜ ମିଶ୍ର ଓ ଆଲୋକ ଉଦଗାତାଙ୍କ ସହ ଘନିଷ୍ଠ ଥିଲେ ? ଏ ନକଲି କାରବାରରେ କାହାର ସଂପୃକ୍ତି ଥିଲା ? ଗାଁ ଗାଁରୁ କିଏ ପ୍ରାର୍ଥିଙ୍କୁ ବୁଝାଇ ସାର୍ଟିଫିକେଟ ଦେବା ପାଇଁ ପାଣ୍ଠି ସଂଗ୍ରହ କରୁଥିଲା ? ନା ମନୋଜ ମିଶ୍ର ସିଧାସଳଖ ଟଙ୍କା ନେଇ ସାର୍ଟିଫିକେଟ ଦେଉଥିଲେ ? ଏସବୁର ପ୍ରାରମ୍ଭିକ ଖୋଳତାଡ଼ ଆରମ୍ଭ କରିବା ସହ ଚେର ଖୋଜିବାକୁ ଆଗକୁ ରାଜ୍ୟ ବାହାରକୁ ଟିମ୍ ଯିବା ନେଇ ସୂଚନା ଦେଇଛନ୍ତି ତଦନ୍ତକାରୀ ଦଳକୁ ଲିଡ୍ କରୁଥିବା କ୍ରାଇମବ୍ରାଞ୍ଚ ଡିଏସପି ।
ଅନ୍ୟପଟେ ଏହି ଲିଙ୍କରେ କେଉଁ କେଉଁ ବଡ ବାବୁ ଲିପ୍ତ ଅଛନ୍ତି, କେତେ ବଡ଼ବାବୁ ନକଲି ସାର୍ଟିଫିକେଟ୍ ଦେଇଛନ୍ତି ତାଙ୍କୁ ମଧ୍ୟ କ୍ରାଇମବ୍ରାଞ୍ଚ ଖୋଜିବ ବୋଲି ସୂଚନା ମିଳିଛି।