ଶୋଭାଯାତ୍ରାରେ ତାରାଙ୍କୁ ଆକ୍ରମଣ ଅଭିଯୋଗ, ଥାନାରେ ମାମଲା ରୁଜୁ

ରାଜ୍ୟ

ତାରାପ୍ରସାଦ ବାହିନୀପତିଙ୍କୁ ଆକ୍ରମଣ । ଏକ ଶୋଭାଯାତ୍ରାରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ  ଆକ୍ରମଣ ଅଭିଯୋଗ ହୋଇଛି। ଗତ ୧୪ ରାତିରେ କୋରାପୁଟ ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।  ଏହି ଶୋଭାଯାତ୍ରାରେ ତାରାପ୍ରସାଦ ବାହିନୀପତି ଓ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ସାମିଲ ହୋଇଥିଲେ।

କୋରାପୁଟ ବସଷ୍ଟାଣ୍ଡ ନିକଟରେ ହଠାତ କୃଷ୍ଣଚନ୍ଦ୍ର କୁଲଦୀପ ନାମକ ଜଣେ ବ୍ୟକ୍ତି ବାହିନୀପତିଙ୍କୁ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ଥିବା ଲୋକେ କୃଷ୍ଣକୁ କାବୁ କରି ଟାଉନ ଥାନରେ ଜିମା ଦେଇଥିଲେ। ଉଭୟ ପଟୁ ଥାନାରେ ଲିଖିତ ଅଭିଯୋଗ ହୋଇଛି।

ତାରାପ୍ରସାଦ ବାହିନୀପତିଙ୍କ ପିଏସଓ କରିଥିବା ଅଭିଯୋଗ ଅନୁଯାୟୀ, ଅଚାନକ ତାରାଙ୍କୁ ସର୍ବସାଧାରଣରେ ଚାପୁଡ଼ା ମାରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ କୃଷ୍ଣଚନ୍ଦ୍ର।  ବିଧାୟକଙ୍କୁ ଗାଳିଗୁଲଜ କରିଥିବା ନେଇ ବି ଅଭିଯୋଗ କରିଛନ୍ତି ତାରାଙ୍କ ପିଏସଓ।

ସେପଟେ କୃଷ୍ଣଙ୍କ ପକ୍ଷରୁ ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ, ତାରାପ୍ରସାଦ ବାହିନୀପତି ଓ ତାଙ୍କ ଭାଇ କୃଷ୍ଣଙ୍କୁ ମାରିବାକୁ ବହୁ ଦିନ ଷଡଯନ୍ତ୍ର କରିଆସୁଥିଲେ। ଏ ନେଇ ବୁଝିବା ପାଇଁ ଯାଇଥିବା ବେଳେ ତାରାପ୍ରସାଦଙ୍କ ଲୋକେ କୃଷ୍ଣଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି।

ମାମଲା ହୋଇଥିବା ନେଇ ଟାଉନ ଥାନା ପକ୍ଷରୁ ସୂଚନା ମିଳିଛି। ଏନେଇ ତାରାପ୍ରସାଦା ବାହିନୀପତି କିମ୍ବା କୃଷ୍ଣଚନ୍ଦ୍ରଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନି।

Leave a Reply

Your email address will not be published. Required fields are marked *