ଫେବ୍ରୁଆରି ୩ ରୁ ଝୁମିବ ରାଜଧାନୀ

Top Storise ମନୋରଞ୍ଜନ ରାଜ୍ୟ

ଭୁବନେଶ୍ୱର: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ଙ୍କ ପକ୍ଷରୁ ଫେବ୍ରୁଆରି ୩ରୁ ୯ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଛି ଏକାମ୍ର ଉତ୍ସବ। ଓଡ଼ିଶା ପରି ଏକ ଭାଷାଭିତ୍ତିକ ରାଜ୍ୟକୁ ବିଶ୍ଵ ଦରବାରରେ ପହଞ୍ଚାଇବା ଲକ୍ଷ୍ୟରେ ରାଜ୍ୟ ସରକାର ପ୍ରଥମଥର ପାଇଁ ଶୁଭାରମ୍ଭ କରିବାକୁ ଯାଉଛନ୍ତି “ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ” l

ଏହି ପରିପ୍ରେକ୍ଷୀରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏକାମ୍ର ଉତ୍ସବ ଓଡ଼ିଆ ଭାଷାର ଉତ୍ତରାଧିକାରୀତ୍ଵ ଏବଂ ପ୍ରାଚୀନ ମୂଳକୁ ପ୍ରତିପାଦିତ କରି ଗର୍ବିତ ଭାବରେ ଓଡ଼ିଆ ବର୍ଣ୍ଣମାଳାର ଆଧାରରେ ଏକ ଆକର୍ଷଣୀୟ ପ୍ରଦର୍ଶନୀ ଦ୍ଵାରା ସମ୍ମାନିତ କରୁଛି।

ଓଡ଼ିଶାର ସମୃଦ୍ଧ ଐତିହ୍ୟକୁ ପାଳନ କରିବା ପାଇଁ ପରିକଳ୍ପିତ ଏହି ଇମର୍ସିଭ୍ ପ୍ରଦର୍ଶନୀ, ଓଡ଼ିଶାର ଚଳଚ୍ଚିତ୍ର, ଭାଷା, ସାହିତ୍ୟ ଏବଂ ଓଡ଼ିଆ ପରିଚୟକୁ ପରିଭାଷିତ କରୁଥିବା ସମସ୍ତ ଦିଗ ସହିତ ରାଜ୍ୟର ସାଂସ୍କୃତିକ ମହତ୍ତ୍ଵକୁ ଅନ୍ତର୍ଭୁକ୍ତ କରିଛି।

ସୁଚିନ୍ତିତ କ୍ୟୁରେସନ ମାଧ୍ୟମରେ, ଏହି ପ୍ରଦର୍ଶନୀ ଓଡ଼ିଶାର ବିବିଧ ତଥା ସ୍ଥାୟୀ ଐତିହ୍ୟର ଏକ ଜୀବନ୍ତ ପ୍ରଦର୍ଶନ ଭାବରେ କାର୍ଯ୍ୟ କରିବା ସହ ଓଡ଼ିଆ ଭଳି ପ୍ରାଚୀନ ଶାସ୍ତ୍ରୀୟ ଭାଷାର ବହୁମୁଖୀ ସ୍ତର ଏବଂ ଏହାକୁ ପ୍ରତିନିଧିତ୍ୱ କରୁଥିବା ସଂସ୍କୃତିକୁ ଏକ ନୂତନ ପରିପ୍ରେକ୍ଷୀରେ ଜାଣିବା ପାଇଁ ପରିଦର୍ଶକମାନଙ୍କୁ ଆମନ୍ତ୍ରଣ କରୁଛି।

ରାଜଧାନୀବାସୀଙ୍କ ମନୋରଞ୍ଜନ ପାଇଁ ଏକ ନୂତନ ରୂପରେ ପ୍ରଦର୍ଶନୀ ପଡିଆରେ ଆୟୋଜିତ ହେବ ଏକାମ୍ର ଉତ୍ସବ l ଅନୁଷ୍ଠିତ ହେବ “ସଙ୍ଗୀତର ମୂର୍ଚ୍ଛନା” l ଯେଉଁଠି ପ୍ରତିଷ୍ଠିତ କଳାକାରଙ୍କ ଦ୍ବାରା ଦେଖିବାକୁ ମିଳିବ ନୃତ୍ୟ,ସଙ୍ଗୀତ,ଲାଇଭ ବ୍ୟାଣ୍ଡ ପରିବେଷଣ l
ଏହି ୭ଦିନିଆ ଉତ୍ସବରେ ପ୍ରତି ସନ୍ଧ୍ୟାରେ ରହିବ ଭିନ୍ନ ଭିନ୍ନ ପ୍ରଦର୍ଶନ।

୩ ଫେବ୍ରୁଆରି – ସ୍ମୃତି ତୁମେ ଅକ୍ଷୟ
ଜ୍ୟୋତିର୍ମୟୀ, ଅଭିରାମ, ରାଜେଶ, କୃଷ୍ଣ ଓ ମିତ୍ରଭାନୁ।

୪ ଫେବ୍ରୁଆରି – ସଙ୍ଗୀତର ତାଳେ ତାଳେ
ଅନୁରାଧା ପୌଡୱାଲ, ସୁରେଶ ୱାଡେକର

୫ ଫେବ୍ରୁଆରି – ଅଭୁଲା ଅତୀତ
ସନମ୍ ପୁରୀ ଲାଇଭ

୬ ଫେବ୍ରୁଆରି- ଭାଷା ହିଁ ଭବିଷ୍ୟତ
କୁନା ତ୍ରିପାଠୀ, ଅରୁଣା ମହାନ୍ତି ଓ ସାଥୀ, ପ୍ରଜ୍ଞା, ଶଙ୍କର

୭ ଫେବ୍ରୁଆରି – ବସନ୍ତର ସ୍ୱର

ସୋନା ମହାପାତ୍ର, କ୍ରିଷ୍ଣା ବେଉରା ଓ ରୁତୁରାଜ ମହାନ୍ତି,

୮ ଫେବ୍ରୁଆରି – ମୂର୍ଚ୍ଛନାର ଭିନ୍ନ ଏକ ସନ୍ଧ୍ୟା
ସୋନୁ ନିଗମ

୯ ଫେବ୍ରୁଆରି – ତୁମେ ଚାହିଁଲ ବୋଲି
ଜୁବିନ୍ ନୌଟିଆଲ୍

ଏହାଛଡ଼ା ଓଡ଼ିଶା ହାଣ୍ଡିଶାଳର ସୁଆଦିଆ ଖାଦ୍ୟର ମଜା ମିଳିବ। ହାତ ତିଆରି ଆଞ୍ଚଳିକ ଖାଦ୍ୟର ପ୍ରଚାର ପ୍ରସାର କରିବା ପାଇଁ ‘ଆମ ବ୍ୟଞ୍ଜନ’ କାର୍ଯ୍ୟକ୍ରମ ଏଥିରେ ସାମିଲ କରାଯାଇଛି। ଓଡିଆ ଘରର ପାରମ୍ପରିକ ଖାଦ୍ୟ ସାଙ୍ଗକୁ କେବଳ ଗ୍ରାମାଞ୍ଚଳରେ ଉପଲବ୍ଧ ହେଉଥିବା ବିଭିନ୍ନ ସାମଗ୍ରୀରେ ପ୍ରସ୍ତୁତ ଖାଦ୍ୟ ମଧ୍ୟ ଉପଲବ୍ଧ ହେବ। ବାରିପଦା ମୁଢ଼ି ମାଂସ ଠାରୁ ଆରମ୍ଭ କରି ସାଲେପୁର ରସଗୋଲା ଯାଏଁ ପ୍ରତ୍ୟେକ ଜିଲ୍ଲାର ପ୍ରସିଦ୍ଧ ଖାଦ୍ୟ(ଜଳଖିଆ/ମୁଖ୍ୟ ଖାଦ୍ୟ) ଗୋଟିଏ ଷ୍ଟଲ୍‌ରେ ଉପଲବ୍ଧ ହେବ।

କେବଳ ସେତିକି ନୁହେଁ ଏକାମ୍ର ହାଟଠାରେ ଲୋକଙ୍କ ପାଇଁ ରାତ୍ରିକାଳୀନ ବଜାର / ଫ୍ଲି ମାର୍କେଟ ମଧ୍ୟ ଆସନ୍ତା ୩ରୁ ୯ ଯାଏ ଖୋଲିବ, ଯାହା ପ୍ରତିଦିନ ଅପରାହ୍ନ ୪ରୁ ରାତି ୧୧ ପର୍ଯ୍ୟନ୍ତ ଚାଲିବ।
ଏଥିସହ ଭୁବନେଶ୍ୱର କାହାଣୀ ଉତ୍ସବ (ଭୁଫେଷ୍ଟୋ)ର ତୃତୀୟ ସଂସ୍କରଣ ଆକର୍ଷଣୀୟ କାହାଣୀ ସହିତ ୩ ରୁ ଫେବୃଆରୀ ୫ ପର୍ଯ୍ୟନ୍ତ ସହରର ପ୍ରମୁଖ ୪ଟି ଭିନ୍ନ ସ୍ଥାନ ଇନ୍ଦିରା ଗାନ୍ଧୀ ପାର୍କ, ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ (କଳାଭୂମି), ଏପିଜେ ଅବଦୁଲ କାଲାମ ପାର୍କ (କଳିଙ୍ଗନଗର) , ଏବଂ ନୀଳାଦ୍ରି ବିହାରର ବୁଦ୍ଧ ପାର୍କ ଠାରେ ଅନୁଷ୍ଠିତ ହେବ। ଯେଉଁଠି କୁନା ତ୍ରିପାଠୀ, ଆକାଶ ଦାସନାୟକ, ଉଷସୀ ମିଶ୍ର ଏବଂ ମୀରା ପରିଡ଼ା ପ୍ରମୁଖ ଯୋଗଦେବେ l ଉପସ୍ଥିତ ଲୋକମାନେ ଶାସ୍ତ୍ରୀୟ ଓଡ଼ିଆ ଉପନ୍ୟାସର ସମସାମୟିକ ରୂପକୁ ମଧ୍ୟ ଜାଣିପାରିବେ ଏବଂ କାଳଜୟୀ କାହାଣୀରେ ଏକ ଆଧୁନିକ ଅଧ୍ୟାୟକୁ ଯୋଡି ମଧ୍ୟ ପାରିବେ ।

ଏ ସବୁ ସହ ଆସନ୍ତା ୭,୮, ୯ରେ ଓଡ଼ିଆ ଭାଷା, କଳା ଓ ସଂସ୍କୃତି ଉପରେ ଏକ ଡ୍ରୋନ ଶୋ ମଧ୍ୟ ଅନୁଷ୍ଠିତ ହେବ। ଭାଷାର ପ୍ରସାର ପାଇଁ ମଧୁସୂଦନ ମାର୍ଗକୁ ଓଡ଼ିଆ ଭାଷା, କଳା ଓ ସଂସ୍କୃତି ଡିଜାଇନରେ ପ୍ରଦର୍ଶିତ କରାଯିବ। ଏଥି ପାଇଁ ପାଖା ପାଖି ୨୦୦ରୁ ଅଧିକ ଡ୍ରୋନ ବ୍ୟବହାର କରାଯିବ।

ଏହି କାର୍ଯ୍ୟକ୍ରମକୁ ଏକ ବଡ଼ ସଫଳତା ଦେବା ପାଇଁ ବିଏମସି ମେୟର ସମସ୍ତଙ୍କ ସହଯୋଗ ଲୋଡିଥିବାବେଳେ ବିଡିଏ ଉପାଧ୍ୟକ୍ଷ ସହରବାସୀଙ୍କୁ ବହୁ ସଂଖ୍ୟାରେ ଏହି ଉତ୍ସବରେ ଯୋଗ ଦେବାକୁ ଅନୁରୋଧ କରିଥିଲେ।

Leave a Reply

Your email address will not be published. Required fields are marked *