ହକି ବିଶ୍ୱକପ ମ୍ୟାଚ୍‌ସୂଚୀ: ସ୍ପେନ ବିପକ୍ଷରୁ ଅଭିଯାନ ଆରମ୍ଭ କରିବ ଭାରତ

Top Storise ଦେଶ- ବିଦେଶ ରାଜ୍ୟ

ନୂଆଦିଲ୍ଲୀ: ଭୁବନେଶ୍ୱର ଓ ରାଉରକେଲାରେ ଅନୁଷ୍ଠିତ ହେବାକୁ ଥିବା ୨୦୨୩ ପୁରୁଷ ହକି ବିଶ୍ୱକପ ପାଇଁ ଆଜି ମ୍ୟାଚ୍‌ସୂଚୀ ପ୍ରକାଶ ପାଇଛି। ଆୟୋଜକ ଭାରତ ପ୍ରଥମ ଦିନ ଅର୍ଥାତ ଜାନୁଆରୀ ୧୩ରେ ସ୍ପେନ ବିପକ୍ଷ ମ୍ୟାଚ୍‌ରୁ ତା’ର ବିଶ୍ୱକପ ଅଭିଯାନ ଆରମ୍ଭ ହେବ। ହେଲେ ଏହା ଐତିହାସିକ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ନାହିଁ। ଭାରତ ଓ ସ୍ପେନ ମଧ୍ୟରେ ପ୍ରଥମ ଲିଗ୍‌ ମ୍ୟାଚ୍‌ ରାଉରକେଲାରେ ନୂଆ କରି ତିଆରି ହୋଇଥିବା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯିବ। ସନ୍ଧ୍ୟା ୭ଟାରେ ଏହି ମ୍ୟାଚ ଅନୁଷ୍ଠିତ ହେବ।

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଓପନିଂ ମ୍ୟାଚ୍‌ ଆର୍ଜେଣ୍ଟିନା ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ। ଦିନର ଦ୍ୱିତୀୟ ମ୍ୟାଚ୍‌ରେ ବିଶ୍ୱର ୧ ନଂ ଟିମ୍ ଅଷ୍ଟ୍ରେଲିଆର ମୁକାବିଲା ଫ୍ରାନ୍ସ ସହ ହେବ। ୨୦୧୮ ବିଶ୍ୱକପ କ୍ୱାର୍ଟର ଫାଇନାଲରେ ଏହି ଦୁଇ ଦଳ ମୁହାଁମୁହିଁ ହୋଇଥିଲେ। ତେଣୁ ପୁଣି ଦୁଇ ଦେଶ ମଧ୍ୟରେ ଲଢ଼େଇକୁ ଦର୍ଶକ ଦେଖିବେ।

ଭାରତ ତା’ର ପ୍ରଥମ ମ୍ୟାଚ୍‌ ସ୍ପେନ ବିପକ୍ଷରେ ଖେଳିବାକୁ ଥିବା ବେଳେ ଦ୍ୱିତୀୟ ମ୍ୟାଚ୍‌ରେ ଇଂଲଣ୍ଡକୁ ଭେଟିବ। ଏହି ମ୍ୟାଚ୍‌ଟି ମଧ୍ୟ ରାଉରକେଲାରେ ସନ୍ଧ୍ୟା ୭ଟାରେ ଅନୁଷ୍ଠିତ ହେବ। ଗ୍ରୁପ ପର୍ଯ୍ୟାୟର ଶେଷ ମ୍ୟାଚ୍‌ ଭାରତ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଖେଳିବ। ସନ୍ଧ୍ୟା ୭ଟାରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚ୍‌ରେ ଭାରତ ପ୍ରତିପକ୍ଷ ୱେଲ୍ସକୁ ଭେଟିବ। ଭାରତ ହକି ବିଶ୍ୱକପର ଗ୍ରୁପ ଡି’ରେ ରହିଛି। ଏହି ଗ୍ରୁପ୍‌ରେ ଭାରତ ବ୍ୟତୀତ ସ୍ପେନ, ଇଂଲଣ୍ଡ ଓ ୱେଲ୍ସ ରହିଛନ୍ତି।

୨୦୧୮ ଭଳି ୨୦୨୩ରେ ଓଡ଼ିଶାରେ ହକି ବିଶ୍ୱକପ ଆୟୋଜନ ହେବାକୁ ଯାଉଛି। ଜାନୁଆରୀ ୧୩ରୁ ଭୁବନେଶ୍ୱର ଓ ରାଉରକେଲାରେ ବିଶ୍ୱକପ ମ୍ୟାଚ୍ ଆରମ୍ଭ ହୋଇ ଜାନୁଆରୀ ୨୯ ଯାଏ ଚାଲିବ। ଏଥିରେ ମୋଟ ୧୬ଟି ଦଳ ଭାଗ ନେବେ। ୧୬ଟି ଦଳକୁ ୪ଟି ପୁଲ୍ ବା ଗ୍ରୁପରେ ଭାଗ କରାଯାଇଛି। ପ୍ରତି ଗ୍ରୁପରେ ୪ଟି ଲେଖାଏ ଦେଶ ରହିଛନ୍ତି। ବିଶ୍ୱକପରେ ମୋଟ ୪୪ଟି ମ୍ୟାଚ୍‌ ଖେଳାଯିବ।

ଲିଗ୍‌ ପର୍ଯ୍ୟାୟ ମ୍ୟାଚ ପରେ ଗ୍ରୁପର ୧ନଂ ସ୍ଥାନରେ ରହୁଥିବା ଦଳ ସିଧାସଳଖ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବେ। କିନ୍ତୁ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଥିବା ଦଳ କ୍ରସ ଓଭର ମ୍ୟାଚ୍‌ ଖେଳିବେ। ଏହାର ବିଜେତା ଟପ୍‌ ୮ ବା କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବେ। କ୍ରସ ଓଭର ମ୍ୟାଚ୍‌ ଗୁଡ଼ିକ ୨୨ ତାରିଖରୁ ଆରମ୍ଭ ହେବ। ସମସ୍ତ କ୍ରସ ଓଭର ମ୍ୟାଚ୍ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ।

ସେହିପରି ୪ଟି ଯାକ କ୍ୱାର୍ଟର ଫାଇନାଲ, ୨ଟି ସେମି ଫାଇନାଲ ଓ ଫାଇନାଲ ମଧ୍ୟ ଭୁବନେଶ୍ୱରରେ ଆୟୋଜନ ହେବ। ଫାଇନାଲ ମ୍ୟାଚ୍ ଜାନୁଆରୀ ୨୯ ତାରିଖ ସନ୍ଧ୍ୟା ୭ଟାରେ ଖେଳାଯିବ।

ଭାରତ ପୁଲ୍ ଡି’ରେ ଥିବା ବେଳେ ବିଶ୍ୱକପର ଡିଫେଣ୍ଡିଂ ଚାମ୍ପିୟନ ବେଲଜିୟ ପୁଲ୍ ବି’ରେ ରହିଛି। ବେଲଜିୟମ ବ୍ୟତୀତ ପୁଲ୍ ବି’ରେ ଜର୍ମାନୀ, ଦକ୍ଷିଣ କୋରିଆ ଓ ଜାପାନ ରହିଛନ୍ତି। ପୁଲ୍ ଏ’ରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିବା ଅଷ୍ଟ୍ରେଲିଆ ସହ ଆର୍ଜେଣ୍ଟିନା, ଫ୍ରାନ୍ସ ଓ ଦକ୍ଷିଣ ଆଫ୍ରିକା ରହିଛନ୍ତି। ପୁଲ୍ ସି’ରେ ନେଦରଲ୍ୟାଣ୍ତସ, ନ୍ୟୁଜିଲ୍ୟାଣ୍ଡ, ମାଲେସିୟା ଓ ଚିଲି ସ୍ଥାନ ପାଇଛନ୍ତି।

ବିଶ୍ୱକପରେ ଭାଗ ନେବାକୁ ଯାଉଥିବା ୧୬ଟି ଦେଶ ମଧ୍ୟରେ ଏସିଆ ମହାଦେଶରୁ ଭାରତ, ମାଲେସିୟା, ଜାପାନ ଓ ଦକ୍ଷିଣ କୋରିଆ ରହିଛନ୍ତି। ଆଫ୍ରିକା ମହାଦେଶର ପ୍ରତିନିଧିତ୍ୱ ଦକ୍ଷିଣ ଆଫ୍ରିକା କରିବ। ବିଶ୍ୱକପରେ ୟୁରୋପରୁ ୭ଟି ଦଳ ରହିଛନ୍ତି। ବେଲଜିୟମ, ଇଂଲଣ୍ଡ, ଜର୍ମାନୀ, ନେଦରଲ୍ୟାଣ୍ଡସ, ସ୍ପେନ, ଫ୍ରାନ୍ସ ଓ ୱେଲ୍ସ ହେଉଛନ୍ତି ୭ ୟୁରୋପୀୟ ଦେଶ।

ପାନ ଆମେରିକା କପ ୨୦୨୨ର ବିଜେତା ଆର୍ଜେଣ୍ଟିନା ଓ ରନର୍ସଅପ ଚିଲି ମଧ୍ୟ ବିଶ୍ୱକପକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ଓସେନିଆରୁ ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡ ବିଶ୍ୱକପ ଖେଳିବେ।

ଭୁବନେଶ୍ୱରେ ଅନୁଷ୍ଠିତ ୨୦୧୮ ହକି ବିଶ୍ୱକପରେ ବେଲଜିୟମ ଚାମ୍ପିୟନ ହୋଇଥିବା ବେଳେ ୩ଥରର ବିଜେତା ନେଦରଲ୍ୟାଣ୍ଡସ ରନର୍ସ ଅପରେ ସନ୍ତୁଷ୍ଟ ହୋଇଥିଲା। ସେହିପରି ଅଷ୍ଟ୍ରେଲିଆ ୩ୟ ସ୍ଥାନରେ ରହି ନିଜର ବିଶ୍ୱକପ ଅଭିଯାନ ଶେଷ କରିଥିଲା।

Leave a Reply

Your email address will not be published. Required fields are marked *