ନୂଆଦିଲ୍ଲୀ: ଶେଷରେ ସମସ୍ତ ଆଶା ଆଶଙ୍କା ଓ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଶହଶହ ବର୍ଷର ପ୍ରଚଳିତ ପରମ୍ପରାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ କେବଳ ଜଗନ୍ନାଥ ଧାମ ପୁରୀରେ କଡ଼ା କଟକଣା ଭିତରେ ଭକ୍ତଶୂନ୍ୟ ରଥଯାତ୍ରାର ଆୟୋଜନ କରିବାକୁ ଦେଶର ଶୀର୍ଷ ଅଦାଲତ ସୁପ୍ରିମ୍ କୋର୍ଟ ଓଡ଼ିଶା ରାଜ୍ୟ ସରକାରଙ୍କୁ ଅନୁମତି ଦେଇଛନ୍ତି। ଫଳରେ ଚଳିତ ବର୍ଷ କୋଭିଡ୍-୧୯ ମହାମାରୀ ପରିପ୍ରେକ୍ଷୀରେ ପୁରୀରେ ରଥଯାତ୍ରାର ଆୟୋଜନ ହେବ ନାହିଁ ବୋଲି ଯେଉଁ ଆଶଙ୍କା ପ୍ରକାଶ ପାଇଥିଲା, ତାହାର ଅବସାନ ଘଟିଛି। ମମଲାର ଚୂଡ଼ାନ୍ତ ରାୟ ଶୁଣାଇ ମୁଖ୍ୟବିଚାରପତି ଜଷ୍ଟିସ୍ ଏସ୍.ଏ. ବୋବଡେ କହିଛନ୍ତି ଯେ ଆମେ କେବଳ ପୁରୀ ପାଇଁ ରଥଯାତ୍ରା ଲାଗି ଅନୁମତି ଦେଉଛୁ। ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ହୋଇପାରିବ ନାହିଁ।
ଉଲ୍ଲେଖଯୋଗ୍ୟ, ରଥଯାତ୍ରା ପାଇଁ ପୁରୀରେ ଲକ୍ଷାଧିକ ଭକ୍ତ ସମାଗମ ହେବାର ଆଶଙ୍କା ରହିଥିବାରୁ କୋଭିଡ୍-୧୯ ମହାମାରୀର ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷର ରଥଯାତ୍ରା ଆୟୋଜନ ପାଇଁ ଅନୁମତି ଦିଆଯାଇ ପାରିବ ନାହିଁ ବୋଲି ଗତ ଜୁନ୍ ୧୮ ତାରିଖରେ ସୁପ୍ରିମ୍ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଏସ୍ ଏ ବୋବଡେଙ୍କ ନେତୃତ୍ୱାଧୀନ ଏକ ତିନି ଜଣିଆ ଖଣ୍ଡପୀଠ କହିଥିଲେ। ଏଥିସହ ବିଚାରପତି ଜଷ୍ଟିସ୍ ଏସ୍ ଏ ବୋବଡେ କହିଥିଲେ, ‘ସାଂପ୍ରତିକ ପରିସ୍ଥିତିରେ ଯଦି ଆମେ ରଥଯାତ୍ରା ପାଇଁ ଅନୁମତି ଦେଉଛୁ ତେବେ ମହାପ୍ରଭୁ ଜଗନ୍ନାଥ କେବେ ବି ଆମକୁ କ୍ଷମା ଦେବେ ନାହିଁ’।