ଅଧିକ ପେନ୍ କିଲର୍ ଖାଉଛନ୍ତି କି ? ହେଇଯାଆନ୍ତୃ ସାବଧାନ ହୋଇପାରେ ଗୁରୁତର ସମସ୍ୟା

ଜୀବନଚର୍ଯ୍ୟା

ଅନେକ ଲୋକ ଅଳ୍ପ ଯନ୍ତ୍ରଣା କିମ୍ବା କ୍ଳାନ୍ତିରୁ ମୁକ୍ତି ପାଇବା ପାଇଁ ପେନ୍‌ କିଲର୍‌ ଔଷଧ ଉପରେ ନିର୍ଭର କରନ୍ତି। କିନ୍ତୁ ବହୁତ କମ୍‌ ଲୋକ ଜାଣନ୍ତି ଯେ ପେନ୍‌ କିଲର୍‌ର ଅତ୍ୟଧିକ ବ୍ୟବହାରରେ ଅନେକ ପ୍ରକାରର କ୍ଷତି ହୋଇପାରେ।

ଯେଉଁମାନେ ରକ୍ତ ପତଳା କରିବା ପାଇଁ ଔଷଧ ସେବନ କରନ୍ତି, ସେମାନଙ୍କ ଉପରେ ପେନ୍‌ କିଲର୍‌ର ଆହୁରି ଅଧିକ ପାର୍ଶ୍ୱ ପ୍ରତିକ୍ରିୟା ହୋଇଥାଏ। ନିକଟରେ ଏକ ଅଧ୍ୟୟନରେ ପ୍ରକାଶ ପାଇଛି ଯେ ଯେଉଁମାନେ ରକ୍ତ ପତଳା କରୁଥିବା ଔଷଧ ବ୍ୟବହାର କରନ୍ତି, ସେମାନଙ୍କର ଆଭ୍ୟନ୍ତରୀଣ ରକ୍ତସ୍ରାବର ଆଶଙ୍କା ଅଧିକ ହୁଏ ଯଦି ସେମାନେ ଆଇବୁପ୍ରୋଫେନ୍‌ କିମ୍ବା ନାପ୍ରୋକ୍ସେନ୍‌ ଜାତୀୟ ନନ୍‌-ଷ୍ଟିରଏଡାଲ୍‌ ଆଣ୍ଟି-ଇନଫ୍ଲାମେଟୋରୀ ଡ୍ରଗ୍ସ (NSAID) ମଧ୍ୟ ଗ୍ରହଣ କରନ୍ତି।

ଏହି ଔଷଧଗୁଡ଼ିକୁ ସାଧାରଣତଃ ଯନ୍ତ୍ରଣା ନିବାରକ ଭାବେ ଜଣାଯାଏ। ଏହି ଅଧ୍ୟୟନ ଇଉରୋପୀୟ ହାର୍ଟ ଜର୍ଣ୍ଣାଲରେ ପ୍ରକାଶିତ ହୋଇଥିଲା। ଗବେଷକମାନଙ୍କ ମତରେ, ସାଧାରଣତଃ ଷ୍ଟ୍ରୋକ, ହୃଦୟଘାତ କିମ୍ବା ଗୋଡ଼ କିମ୍ବା ଫୁସଫୁସରେ ରକ୍ତ ଜମାଟ ବାନ୍ଧିବାର ଚିକିତ୍ସା କିମ୍ବା ନିରୋଧ ପାଇଁ ରକ୍ତ ପତଳା କରୁଥିବା ଔଷଧ ଦିଆଯାଏ।

ଅନ୍ୟପଟେ, NSAID ମଧ୍ୟ ରକ୍ତ ପତଳା କରିବା ପାଇଁ ଜଣାଶୁଣା।ନୂଆ ଅଧ୍ୟୟନରୁ ଜଣାପଡ଼ିଛି ଯେ NSAID ରକ୍ତ ପତଳା କରୁଥିବା ଔଷଧ ସହିତ ଗ୍ରହଣ କଲେ ଅନ୍ତନଳୀ, ମସ୍ତିଷ୍କ, ଫୁସଫୁସ ଏବଂ ମୂତ୍ରାଶୟରେ ଅନିୟନ୍ତ୍ରିତ ରକ୍ତସ୍ରାବର ଆଶଙ୍କା ବଢ଼ିଯାଏ। ଅଧ୍ୟୟନ ପାଇଁ ଗବେଷକମାନେ ୨୦୧୨ରୁ ୨୦୨୨ ମଧ୍ୟରେ ରକ୍ତ ଜମାଟ ବାନ୍ଧିବାର ଚିକିତ୍ସା ପାଇଁ ଡେନମାର୍କର ପ୍ରାୟ ୫୨,୦୦୦ ରୋଗୀଙ୍କ ତଥ୍ୟ ବିଶ୍ଳେଷଣ କରିଥିଲେ।

ଡେନମାର୍କରେ, NSAID ଯେପରିକି ଡାଇକ୍ଲୋଫେନାକ୍‌ ଏବଂ ନାପ୍ରୋକ୍ସେନ୍‌ କେବଳ ଡାକ୍ତରଙ୍କ ପ୍ରେସ୍କ୍ରିପସନ୍‌ ମାଧ୍ୟମରେ ହିଁ ମିଳିପାରେ। ଏହା ଗବେଷକମାନଙ୍କୁ ସେହି ରୋଗୀମାନଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିବାରେ ସାହାଯ୍ୟ କରିଥିଲା, ଯେଉଁମାନଙ୍କୁ ରକ୍ତ ପତଳା କରୁଥିବା ଔଷଧ ଏବଂ NSAID ଉଭୟ ଦିଆଯାଇଥିଲା।

ଗବେଷକମାନେ ଦେଖିଥିଲେ ଯେ କେବଳ ରକ୍ତ ପତଳା କରୁଥିବା ଔଷଧ ଗ୍ରହଣ କରିବା ତୁଳନାରେ ରକ୍ତ ପତଳା କରୁଥିବା ଔଷଧ ଏବଂ NSAID ଏକାଠି ଗ୍ରହଣ କଲେ ଆଭ୍ୟନ୍ତରୀଣ ରକ୍ତସ୍ରାବର ଆଶଙ୍କା ଦୁଇଗୁଣ ଅଧିକ ହୋଇଥାଏ।

ଏଥିରେ ଦେଖାଗଲା ଯେ ନାପ୍ରୋକ୍ସେନ୍‌ ପାଇଁ ଆଶଙ୍କା ଚାରିଗୁଣ, ଡାଇକ୍ଲୋଫେନାକ୍‌ ପାଇଁ ତିନିଗୁଣ ଏବଂ ଆଇବୁପ୍ରୋଫେନ୍‌ ପାଇଁ ପ୍ରାୟ ଦୁଇଗୁଣ ଅଧିକ ହୋଇଥାଏ।ଉଲ୍ଲେଖଯୋଗ୍ୟ ଯେ ଅନେକ ଗବେଷଣାରେ ସ୍ପଷ୍ଟ ହୋଇଛି ଯେ ପେନ୍‌ କିଲର୍‌ର ଅତ୍ୟଧିକ ବ୍ୟବହାର ହୃଦୟ, ମସ୍ତିଷ୍କ ଏବଂ କିଡ଼ନୀର ସ୍ୱାସ୍ଥ୍ୟ ପାଇଁ ମଧ୍ୟ କ୍ଷତିକାରକ।

Leave a Reply

Your email address will not be published. Required fields are marked *