ମୁମ୍ବାଇ: ଗତ କିଛି ଦିନ ହେବ ମନୋରଞ୍ଜନ ଜଗତରୁ ଖରାପ ଖବର ସାମ୍ନାକୁ ଆସିୁଛି । ନିକଟରେ ହାର୍ଟ ଆଟାକ୍ ଯୋଗୁଁ ଲୋକପ୍ରିୟ ଗାୟକ କେକେଙ୍କର ଦେହାନ୍ତ ହୋଇଛି । କେକେଙ୍କ ପାର୍ଥିକ ଶରୀରକୁ ଶେଷ ଦର୍ଶନ ପାଇଁ ଅନେକ କଳାକାର ପହଞ୍ଚିଥିଲେ । ମୁମ୍ବାଇର ବୋରସଭା ଶ୍ମଶାନରେ କେକେଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି । ବଲିଉଡର ଲୋକପ୍ରିୟ ଗାୟକଙ୍କୁ ଅଶ୍ରୁଳ ବିଦାୟ ଦେଇଛି ସାରାଦେଶ ।

ମାତ୍ର ୫୩ ବର୍ଷ ବୟସରେ ସିଙ୍ଗର କେ.କେ ଏପରି ଭାବେ ଦୁନିଆକୁ ଅଲବିଦା କହିଛନ୍ତି, ଯାହାର କଳ୍ପନା ବି କେହି କରିନଥିଲେ । ଶେଷରେ ପଞ୍ଚଭୂତରେ ବିଲୀନ ହୋଇଛନ୍ତି କେକେ । ତାଙ୍କ ଅକାଳରେ ବିୟୋଗ ସଭିଙ୍କୁ ମର୍ମାହତ କରିଛି। ପୋଷ୍ଟମର୍ଟମର ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ହୃଦଘାତରେ ତାଙ୍କ ଦେହାନ୍ତ ଘଟିଛି। ଡାକ୍ତରଙ୍କ କହିବା କଥା ଯଦି ତାଙ୍କୁ ଠିକ୍ ସମୟରେ ସିପିଆର(Cardiopulmonary Resuscitation) ଦିଆଯାଇଥାନ୍ତା ତେବେ ତାଙ୍କ ଜୀବନ ବଞ୍ଚି ଯାଇଥାନ୍ତା। ସେ ଯେତେବେଳେ ହସ୍ପିଟାଲରେ ପହଞ୍ଚିଲେ ସେତେବେଳକୁ ତାଙ୍କର ମୃତ୍ୟୁ ଘଟି ସାରିଥିଲା।

