ଗୋଟିଏ ଦିନରେ ମଠ, ମସଜିଦ ଓ ଚର୍ଚ୍ଚ ଗଲେ ରାହୁଲ ଗାନ୍ଧି, ୪-୫ ଭାରତ ଯୋଡ଼ୋ ଯାତ୍ରା ବନ୍ଦ

Top Storise ଦେଶ- ବିଦେଶ ରାଜନୀତି

ବେଙ୍ଗାଲୁରୁ: କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧି ଆରମ୍ଭ କରିଥିବା ଭାରତ ଯୋଡ଼ୋ ପଦଯାତ୍ରା ୨୬ ଦିନରେ ପହଞ୍ଚିଛି। କନ୍ୟାକୁମାରୀ ଠାରୁ ଆରମ୍ଭ ହୋଇଥିବା ଏହି ଭାରତ ଯୋଡ଼ୋ ପଦଯାତ୍ରା କଶ୍ମୀର ଯାଏ ଚାଲିବ। ଏହାର ନେତୃତ୍ୱ ନେଉଥିବା ରାହୁଲ ଗାନ୍ଧି ଯାତ୍ରାର ୨୬ତମ ଦିନରେ କର୍ଣ୍ଣାଟକାର ମହୀଶୂରରେ ଥିବା ଗୋଟିଏ ମଠ, ମସଜିଦ ଓ ଚର୍ଚ୍ଚାକୁ ଯାଇ ସମର୍ଥନ ହାସଲ କରିବାକୁ ଚେଷ୍ଟା କରିଛନ୍ତି।

ଗୋଟିଏ ଦିନରେ ରାହୁଲ ୩ଟି ଧାର୍ମିକ ଅନୁଷ୍ଠାନକୁ ଯାଇଥିବାରୁ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏହାର ଫଟୋ ସାମ୍ନାକୁ ଆସିବା ପରେ କିଛି ଲୋକ ରାହୁଲଙ୍କୁ ପ୍ରଶଂସା ମଧ୍ୟ କରିଛନ୍ତି।

ରାହୁଲ ଗାନ୍ଧି ପ୍ରଥମେ ମହୀଶୂରରେ ଥିବା ସୁଟ୍ଟୁର ମଟ୍ଟକୁ ଯାଇଥିଲେ। ସେଠାରେ ସେ ମଠର ମହନ୍ତ ଶ୍ରୀ ଶିବାତ୍ରୀ ଦେଶିକେନ୍ଦ୍ରା ସ୍ୱାମୀଜୀଙ୍କ ଆର୍ଶୀବାଦ ନେଇଥିଲେ। ଏଥିସହ ସେଠାରେ ବେଶ କିଛି ସମୟ ଆଲୋଚନା ମଧ୍ୟ କରିଥିଲେ। ଏହାପରେ ୱାୟନାଡର ସାଂସଦ ରାହୁଲ ଗାନ୍ଧି ମସିଜିଦ-ଇ-ଆଜମ ଯାଇ ସେଠାରେ ମୌଲବୀ ଓ ଅନ୍ୟ ସଦସ୍ୟମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ କଥା ହୋଇଥିଲେ।


ସୋମବାର କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା କର୍ଣ୍ଣାଟକାରେ ୪ର୍ଥ ଦିନ ପାଇଁ ଅନୁଷ୍ଠିତ ହୋଇଛି। ପଦଯାତ୍ରା ବେଳେ ରାହୁଲ ଗାନ୍ଧି ମହୀଶୂରର ସେଣ୍ଟ ଫିଲୋମେନା ଚର୍ଚ୍ଚକୁ ମଧ୍ୟ ଯାଇଥିଲେ। କଂଗ୍ରେସ ପକ୍ଷରୁ ଟ୍ୱିଟ କରି କୁହାଯାଇଛି ଯେ ରାହୁଲ ଗାନ୍ଧି ଖଦି ଗ୍ରାମ୍ୟ ଉଦ୍ୟୋଗରେ ମହିଳା ବୁଣାକାରଙ୍କ ସହ କଥା ହୋଇଛନ୍ତି।

ସେମାନେ ପାରିଶ୍ରମିକ ସମ୍ପର୍କରେ ରାହୁଲ ଗାନ୍ଧିଙ୍କୁ ଜଣାଇଛନ୍ତି। ଏହାବାଦ ଖଦି ଉଦ୍ୟୋଗରେ ରହିଥିବା ସପ୍ଲାଏ ଚେନ, ଭିତ୍ତିଭୂମି ଓ ମେସିନାରୀ ସମସ୍ୟା ସମ୍ପର୍କରେ ମଧ୍ୟ ରାହୁଲ ଗାନ୍ଧିଙ୍କୁ କହିଛନ୍ତି।


ଅନ୍ୟପକ୍ଷରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି ଆଜି ମହୀଶୂରରେ ପହଞ୍ଚିଛନ୍ତି। ସେ ଗୁରୁବାର ସକାଳୁ ପଦଯାତ୍ରାରେ ସାମିଲ ହେବେ। ଦଶହର ଯୋଗୁ ୪ ଓ ୫ ତାରିଖରେ କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ବନ୍ଦ ରହିବ। ଗୁରୁବାର ଏହା ଆରମ୍ଭ ହେବାକୁ ଥିବା ବେଳେ ସୋନିଆ ଏଥିରେ ସାମିଲ ହେବେ।

ରାହୁଲ ଗାନ୍ଧି ଆଜି ପଦଯାତ୍ରା ଶେଷ କରିବା ପରେ ସୋନିଆଙ୍କୁ ଭେଟିବା ପାଇଁ ମାଡକାରୀକୁ ଉଡ଼ାଣ ଭରିବେ। ଦୀର୍ଘଦିନ ପରେ ସୋନିଆ ଗାନ୍ଧି କୌଣସି ସର୍ବସାଧାରଣ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଯାଉଛନ୍ତି। ଅସୁସ୍ଥତା କାରଣରୁ ସେ ବିଭିନ୍ନ କାର୍ଯ୍ୟକ୍ରମରୁ ନିଜକୁ ଦୂରେଇ ରଖିଥିଲେ।

ରବିବାର ରାହୁଲ ଗାନ୍ଧି କର୍ଣ୍ଣାଟକାର ନାଜନଗୁଡ଼ ଠାରେ ଥିବା ଶ୍ରୀକାନ୍ତଶ୍ୱର ସ୍ୱାମୀ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ଏହାପରେ ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ ସମ୍ବୋଧନ କରିଥିଲେ। ଏହି ସମୟରେ ପ୍ରବଳ ବର୍ଷା ହୋଇଥିଲା। ବର୍ଷାକୁ ଖାତିର ନ କରି ରାହୁଲ ନିଜର କଥା ସମସ୍ତଙ୍କ ଆଗରେ ଉପସ୍ଥାପନ କରିଥିଲେ। ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି।

Leave a Reply

Your email address will not be published. Required fields are marked *