ବ୍ୟୁରୋ : ପ୍ରେମିକଙ୍କ ଦେହାନ୍ତ ପରେ ନିଜେ ପୋଡ଼ିଗଲେ ପ୍ରେମିକା। କଥାଟି ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବା ନିଶ୍ଚିତ, କିନ୍ତୁ ପୂରା ସତ ଘଟଣା। ପୂର୍ବରୁ ସମସ୍ତେ ଶୁଣିଥିବେ ସତୀଦାହ ପ୍ରଥା ପ୍ରଚଳିତ ହେଉଥିଲା। ଯାହାକୁ ନେଇ ନାନା ପ୍ରକାର ବିବାଦ ବି ଦେଖା ଦେଇଛି। ମାତ୍ର ଏଥର କାହା ଚାପ ରେ ନୂହେଁ ନିଜ ଇଚ୍ଛାରେ ନିଜେ ଜାଳିଦେଲେ ପ୍ରେମିକା। ଏପରି ଏକ ଘଟଣା ଦେଖିବାକୁ ମିଳିଛି ଗୁରୁଗ୍ରାମରେ। ମହିଳା ଜଣଙ୍କ ବୟସ ୩୦ ବୋଲି ଜଣା ପଡିଛି। ମହିଳା ନିଜ ଦେହରେ ନିଜେ ନିଆଁ ଲଗାଇ ଦେଇଥିବା ଜଣାପଡ଼ିଛି। ଫଳରେ ସମ୍ପୃକ୍ତ ମହିଳାଙ୍କ ମୃତ୍ୟୁ ହୋଇଛି। ରବିବାର ରାତିରେ ଗୁରୁଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି। ମହିଳା ଜଣକ ରୁମ୍ରେ ନିଜକୁ ବନ୍ଦ କରି ଦେହରେ ନିଆଁ ଲଗାଇ ଦେଇଥିବା ସୂଚନା ମିଳିଛି।
ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ସିଭିଲ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ଏହାପରେ ଦିଲ୍ଲୀର ସଫଦର୍ଜଙ୍ଗ ହସ୍ପିଟାଲ୍କୁ ତାଙ୍କୁ ରେଫର୍ କରାଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ଘଟିଛି। ତେବେ ଯୁବତୀଙ୍କ ରୁମ୍ରୁ କୌଣସି ସୁଇସାଇଡ୍ ନୋଟ୍ ମିଳି ନଥିବା ପୋଲିସ୍ କହିଛି।ପୋଲିସ୍ ସୂଚନା ଅନୁସାରେ, ମହିଳାଙ୍କ ନାଁ ମଞ୍ଜୁ। ତାଙ୍କ ଘର ବିହାରରେ। ପ୍ରାଇଭେଟ୍ କମ୍ପାନୀରେ ସେ ଚାକିରି କରୁଥିବା ବେଳେ ସେକ୍ଟର ୩୭ ଅଞ୍ଚଳରେ ଭଡ଼ାଘରେ ରହୁଥିଲେ। ଗ୍ରୋସରୀ ଦୋକାନ ଅପରେଟର୍ ବାବୁଲାଲ୍ଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିଲା।
କୌଣସି କାରଣକୁ ନେଇ ରବିବାର ସନ୍ଧ୍ୟାରେ ବାବୁଲାଲ୍ ନିଜେ ନିଜକୁ ଗୁଳି କରିଥିଲେ। ପ୍ରେମିକ ବାବୁଲାଲ୍ଙ୍କ ମୃତ୍ୟୁ ଖବର ପାଇ ମଞ୍ଜୁ ଦୁଃଖରେ ଭାଙ୍ଗି ପଡ଼ିଥିଲେ। ସେହି ଦିନ ରାତିରେ ମଞ୍ଜୁ ନିଜ ଦେହରେ ନିଜେ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ବାବୁଲାଲ୍ ବିବାହିତ ବୋଲି ଜଣାପଡ଼ିଛି। ପୋଲିସ୍ ମଞ୍ଜୁଙ୍କ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।