ରାଖିରେ ସମ୍ପର୍କୀୟ ଭଉଣୀକୁ ଦୁଷ୍କର୍ମ କରି ହତ୍ୟା କଲା ଭାଇ, ଲୋକେ କହୁଛନ୍ତି…

ଅପରାଧ

ଉତ୍ତରପ୍ରଦେଶରେ ରକ୍ଷାବନ୍ଧନ ଦିନ ଏକ ଏପରି ଘଟଣା ସାମ୍ନାକୁ ଆସିଛି ଯାହା ଆପଣଙ୍କ ହୃଦୟକୁ ଥରାଇ ଦେବ। ଉତ୍ତରପ୍ରଦେଶର ଔରୈୟାରେ ଜଣେ ଭାଇ ତା’ର ସମ୍ପର୍କୀୟ ଭଉଣୀଠାରୁ ପ୍ରଥମେ ରାଖି ବନ୍ଧାଇଲା ଓ ପରେ ତା’ର ହତ୍ୟା କଲା।

ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ଭାଇ-ଭଉଣୀ ସମ୍ପର୍କକୁ ଲଜ୍ଜାଜନକ କରିଥିବା ଏହି ବ୍ୟକ୍ତି ନିଜର ଅପରାଧ ମଧ୍ୟ ସ୍ୱୀକାର କରିଛି। ଏହି ସମ୍ପର୍କୀୟ ଭାଇ ରକ୍ଷାବନ୍ଧନ ଦିନ ସକାଳେ ୧୪ ବର୍ଷୀୟ ଭଉଣୀଠାରୁ ରାଖି ବନ୍ଧାଇଥିଲା ଓ ସେହି ରାତିରେ ତା ସହ ଦୁଷ୍କର୍ମ କରି ହତ୍ୟା କରିଥିଲା। ଏତିକି ନୁହେଁ, ସେ ହତ୍ୟାକୁ ଆତ୍ମହତ୍ୟା ପରି ଦେଖାଇବା ପାଇଁ ଭଉଣୀକୁ  ଝୁଲାଇ ଦେଇଥିଲା।

ଯେତେବେଳେ ଦୁଷ୍କର୍ମ ଓ ହତ୍ୟା ହେଲା, ବାପା ଘରେ ହିଁ ଶୋଇଥିଲେ । ଦୁଃଖଦ କଥା ହେଉଛି, ଯେତେବେଳେ ଝିଅଟିର ଦୁଷ୍କର୍ମ ଓ ହତ୍ୟା ହେଉଥିଲା, ତା’ର ବାପା ଘରେ ହିଁ ଶୋଇଥିଲେ, କିନ୍ତୁ ତାଙ୍କୁ ଏହି ଘଟଣା ବିଷୟରେ କିଛି ଜଣାପଡ଼ି ନଥିଲା।

ସେ ସକାଳୁ ଉଠି ଦେଖିଲେ ତାଙ୍କ ଝିଅର ଦେଖା ନଥିଲା। ପରେ ସେ ଦେଖିଲେ ତାଙ୍କ ଝିଅ ରଶିରେ ଝୁଲୁଛି। ଏହା ଅଗଷ୍ଟ ୧୦ ତାରିଖର ଘଟଣା। ପରେ ପୁଲିସକୁ ଏହି ଘଟଣା ବିଷୟରେ ଜଣାଇ ଦିଆଗଲା। ପୁଲିସ ଟିମ୍‌ ତଦନ୍ତ ପାଇଁ ପହଞ୍ଚିଲା ଓ ପ୍ରାରମ୍ଭିକ ତଦନ୍ତରେ ଏହା ହତ୍ୟା ମାମଲା ବୋଲି ଜଣାପଡ଼ିଲା।

ଅନେକ ସ୍ଥାନରେ ରକ୍ତର ଦାଗ ଲାଗିଥିଲା। ପୋଷ୍ଟମର୍ଟମ ରିପୋର୍ଟରୁ ଝିଅଟିର ସହ ଦୁଷ୍କର୍ମ ହୋଇଥିବା କଥା ସାମ୍ନାକୁ ଆସିଲା।ପୁଲିସକୁ ଅଭିଯୁକ୍ତ ଉପରେ ଏପରି ସନ୍ଦେହ ହେଲା କାରଣ ପୁଲିସ ଟିମ୍‌ ଝିଅଟିର ଘରେ ଥିବା ସମୟରେ ଅଭିଯୁକ୍ତ ସବୁବେଳେ ସାଙ୍ଗରେ ରହୁଥିଲା।

ପୁଲିସ ଝିଅର ବାପାଙ୍କୁ କିମ୍ବା ପଡ଼ୋଶୀଙ୍କୁ କିଛି ପଚାରୁଥିଲେ, ଅଭିଯୁକ୍ତ ନିଜେ ଉତ୍ତର ଦେଉଥିଲା। ଏହି କଥାରେ ପୁଲିସକୁ ସନ୍ଦେହ ହେଲା। ପରେ ତା’ର ଘରେ ତଲାସୀ କରାଗଲା। ଘରୁ ଏକ ପ୍ୟାଣ୍ଟ ମିଳିଲା, ଯାହା ଉପରେ ରକ୍ତର ଦାଗ ଲାଗିଥିଲା। ଏହାର ଫୋରେନ୍ସିକ ଯାଞ୍ଚ କରାଯାଇଥିଲା ଓ ରକ୍ତର ନମୁନା ଝିଅଟିର ରକ୍ତ ନମୁନା ସହ ମେଳ ଖାଇଲା। ତା’ପରେ ପୁଲିସ ଅଭିଯୁକ୍ତକୁ ଗିରଫ କଲା।ଅଭିଯୁକ୍ତ ପୁଲିସ ଆଗରେ ଅପରାଧ ସ୍ୱୀକାର କଲା।

Leave a Reply

Your email address will not be published. Required fields are marked *