ଥରହର ହେବ ପାକିସ୍ତାନ। ଭାରତ ଦେବ ଶତ୍ରୁକୁ ମୁହଁ ତୋଡ ଜବାବ। ଯିଏ ବି ଭାରତ ଉପରେ ଆଟାକ୍ କରିବ ସେ ଧୂଳିସାତ ହେବ।
ପ୍ରଧାନମନ୍ତ୍ରୀଙ୍କ ସ୍ୱାଧୀନତା ଦିବସ ଭାଷଣରେ ‘ସୁଦର୍ଶନ ଚକ୍ର’ ମିଶନର ବଡ଼ ଘୋଷଣା । ପିଏମ୍ ମୋଦୀ କହିଛନ୍ତି ଯେ ଭାରତ ‘ସୁଦର୍ଶନ ଚକ୍ର’ ମିଶନ ଆରମ୍ଭ କରିବ। ‘ସୁଦର୍ଶନ ଚକ୍ର’ ହେଉଛି ଏକ ଶକ୍ତିଶାଳୀ ଅସ୍ତ୍ର ବ୍ୟବସ୍ଥା, ଯାହା ଦେଶର ରକ୍ଷା କବଚ ଭାବେ କାମ କରିବ ।ଏହା କେବଳ ଗୁରୁତ୍ୱପୂର୍ଣ୍ଣ ସାମରିକ ସ୍ଥାନକୁ ନୁହେଁ, ସାଧାରଣ ନାଗରିକ ଅଞ୍ଚଳ ଉପରେ ମଧ୍ୟ ରକ୍ଷା ଢାଲ ଭାବେ କାମ କରିବ। ଆଗାମୀ ୧୦ ବର୍ଷ ମଧ୍ୟରେ ଏହି ସ୍ୱଦେଶୀ ପ୍ଲାଟଫର୍ମ ପ୍ରସ୍ତୁତ ହେବ।
ପ୍ରଧାନମନ୍ତ୍ରୀ କହିଛନ୍ତି ୨୦୩୫ ସୁଦ୍ଧା ଦେଶର ପ୍ରମୁଖ ସ୍ଥାନ, ସାମରିକ ଓ ନାଗରିକ ଅଞ୍ଚଳ ଏବଂ ଧାର୍ମିକ କେନ୍ଦ୍ରଗୁଡ଼ିକୁ ଟେକ୍ନୋଲୋଜିର ନୂଆ ପ୍ଲାଟଫର୍ମ ମାଧ୍ୟମରେ ସୁରକ୍ଷା କବଚ ପ୍ରଦାନ କରାଯିବ।
ଶ୍ରୀକୃଷ୍ଣ ତାଙ୍କ ସୁଦର୍ଶନ ଚକ୍ର ମାଧ୍ୟମରେ ସୂର୍ଯ୍ୟର ଆଲୋକକୁ ଅଟକାଇଥିଲେ, ଯାହା ଦ୍ୱାରା ଦିନରେ ଅନ୍ଧକାର ଛାଇ ଯାଇଥିଲା। ଏହା ଦ୍ୱାରା ଅର୍ଜୁନ ଜୟଦ୍ରଥଙ୍କ ବଧ ପାଇଁ ନେଇଥିବା ଶପଥକୁ ପୂରଣ କରିଥିଲେ।
ଏହା ଏକ ଶକ୍ତିଶାଳୀ ଅସ୍ତ୍ର ବ୍ୟବସ୍ଥା ହେବ, ଯାହା ଶତ୍ରୁର ଆକ୍ରମଣକୁ ବିଫଳ କରିବ ଓ କେଇ ଗୁଣ ଅଧିକ ପ୍ରତିଆକ୍ରମଣ କରିବ। ଏହା ଏପରି ଏକ ବ୍ୟବସ୍ଥା ହେବ, ଯାହା ଯୁଦ୍ଧର ଭବିଷ୍ୟତ ଆବଶ୍ୟକତାକୁ ହିସାବକୁ ନେଇ ‘ପ୍ଲସ୍ ୱାନ’ ରଣନୀତି ଅନୁଯାୟୀ କାମ କରିବ। ଅର୍ଥାତ୍ ଏହା ସବୁ ଦିଗରୁ ଉନ୍ନତ ହେବ।
ସୁଦର୍ଶନ ଚକ୍ରର ଶକ୍ତି ଥିଲା ଯେ ଏହା ଅତ୍ୟନ୍ତ ନିର୍ଭୁଲ ଥିଲା। ଯେଉଁଠାକୁ ପଠାଯାଉଥିଲା, ସେଠାକୁ ଯାଇ ପୁନର୍ବାର ଫେରି ଆସୁଥିଲା। ଏହି ସୁଦର୍ଶନ ଚକ୍ର ମାଧ୍ୟମରେ ନିର୍ଭୁଲ କାର୍ଯ୍ୟାନୁଷ୍ଠାନର ବ୍ୟବସ୍ଥା ହେବ। ଦିଲ୍ଲୀ, ମୁମ୍ବାଇ ଭଳି ବଡ଼ ସହରଠାରୁ ଆରମ୍ଭ କରି ପଞ୍ଜାବ, ରାଜସ୍ଥାନ, ଗୁଜରାଟ ଭଳି ସୀମାବର୍ତ୍ତୀ ଅଞ୍ଚଳରେ ଏହି ରକ୍ଷା ବ୍ୟବସ୍ଥା କାମ କରିବ। ‘ଅପରେସନ୍ ସିନ୍ଦୁର’ରେ ଏସ-୪୦୦ ପାକିସ୍ତାନର ସମସ୍ତ ଆକ୍ରମଣକୁ ବିଫଳ କରିଥିଲା। ଭାରତର ଲକ୍ଷ୍ୟ ଏବେ ଏହାଠାରୁ ଆହୁରି ଉନ୍ନତ ସ୍ୱଦେଶୀ ଟେକ୍ନୋଲୋଜି ଉପରେ କାମ କରିବା।
ଅପରେସନ୍ ସିନ୍ଦୁର ସମୟରେ ଭାରତ କେବଳ ପାକିସ୍ତାନର ଆତଙ୍କବାଦୀ ଅଡ୍ଡାକୁ ଧ୍ୱଂସ କରି ନଥିଲା, ବରଂ ତାଙ୍କ ଦୁଃସାହସର ଜବାବ ଦେଇ ସେମାନଙ୍କ ସାମରିକ ଅଡ୍ଡାକୁ ମଧ୍ୟ ନଷ୍ଟ କରିଥିଲା। ପାକିସ୍ତାନର ମିସାଇଲ ଭାରତର ଅଭେଦ୍ୟ ସୁରକ୍ଷା କବଚକୁ ଭେଦ କରି ପାରି ନଥିଲା। ଏସ-୪୦୦, ପିନାକ ଓ ଆକାଶ ମିସାଇଲ ସିଷ୍ଟମ ଭାରତର ମଜବୁତ ରକ୍ଷା କବଚର ପରିଚୟ ଦେଇଥିଲା।

