ଆଉ ଜେଲ୍‌ରୁ ଚାଲିପାରିବନି ସରକାର, ଜେଲ୍ ଗଲେ ଯିବ ପଦ

ଦେଶ

ସଂଗୀନ ଅପରାଧରେ ଗିରଫ ହେଉଥିବା ଜନପ୍ରତିନିଧିଙ୍କ ବିରୋଧରେ ଆଜି ବଡ଼ ବିଲ୍ ଆଣିଛନ୍ତି ମୋଦି ସରକାର । ଯଦି କୌଣସି ନିର୍ବାଚିତ ପ୍ରତିନିଧିଙ୍କ ନାଁରେ ସାଂଘାତିକ ଅଭିଯୋଗ ଆସେ ଓ ସେ ଗିରଫ ହୁଅନ୍ତି, ତାହେଲେ ନିଆଯିବ କଡ଼ା ଆକ୍ସନ ।

କୌଣସି ସଂଗୀନ ଅପରାଧିକ ମାମଲାରେ ଲଗାତାର ୩୦ ଦିନ ଧରି କଷ୍ଟଡି ବା ହାଜତରେ ରହିଲେ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିବ। ଅନ୍ୟଥା ୩୧ତମ ଦିନରେ ଆପେ ଆପେ ପଦ ହରାଇବାକୁ ପଡ଼ିବ। ଦେଶର ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ସହିତ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀ ମାନଙ୍କ କ୍ଷେତ୍ରରେ ଏହି ନିୟମ ଲାଗୁ ହେବ।

୫ ବର୍ଷ କିମ୍ବା ତା ଠୁ ଅଧିକ ଜେଲ୍ ଦଣ୍ଡ ବ୍ୟବସ୍ଥା ଥିବା ଅପରାଧ କ୍ଷେତ୍ରରେ ଏହା ଲାଗୁ ହେବ। ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀମାନଙ୍କୁ ରାଷ୍ଟ୍ରପତି ପଦରୁ ହଟାଇବେ ।ମୁଖ୍ୟମନ୍ତ୍ରୀ ଓ ରାଜ୍ୟର ମନ୍ତ୍ରୀମାନଙ୍କୁ ରାଜ୍ୟପାଳ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ କ୍ଷେତ୍ରରେ ଉପରାଜ୍ୟପାଳ ସେମାନଙ୍କୁ ପଦରୁ ହଟାଇବେ। ତେବେ କଷ୍ଟଡିରୁ ମୁକୁଳିବା ପରେ ସମ୍ପୃକ୍ତ ପିଏମ୍, ସିଏମ୍ କିମ୍ବା ମିନିଷ୍ଟର୍ ତାଙ୍କ ପଦ ଫେରି ପାଇବାର ବ୍ୟବସ୍ଥା ରହିଛି ଏହି ବିଲ୍ ରେ।

ଏହା ପୂର୍ବରୁ ଦେଶର ଅନେକ ନେତା ମନ୍ତ୍ରୀ ଗିରଫ ହେବା ପରେ ବି ନିଜ ପଦରେ ରହୁଥିଲେ । ଜେଲ୍ ଯାଇ ବି ଇସ୍ତଫା ଦେଉନଥିଲେ । ଯାହା ଦେଖିବାକୁ ମିଳିଥିଲା ଦିଲ୍ଲୀର ପୂର୍ବ ଆପ୍ ସରକାରରେ । ଗତ ବର୍ଷ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜେଲ୍‌ରୁ ସରକାର ଚଲାଇଥିଲେ ।

ଗୃହମନ୍ତ୍ରୀ ଶାହ ଏହି ବିଲ୍ ସହ କେନ୍ଦ୍ର ଶାସିତ ଅଞ୍ଚଳର ସରକାର ସଂଶୋଧନ ବିଲ୍-୨୦୨୫ ଏବଂ ଜାମ୍ମୁ ଓ କାଶ୍ମୀର ପୁନର୍ଗଠନ ସଂଶୋଧନ ବିଲ୍ ଲୋକସଭାରେ ଆଗତ କରିବା ପରେ, ଏହାର ଜୋରଦାର ପ୍ରତିବାଦ କରିଥିଲେ ବିରୋଧୀ। ଏହି ସମୟରେ ବିଲ୍ କାଗଜ ଚିରି ଶାହଙ୍କ ଆଡ଼କୁ ଫିଙ୍ଗାଯାଇଥିବା ମଧ୍ୟ ଦେଖିବାକୁ ମିଳିଥିଲା।

ଏହି ବିଲ୍ କୁ ସମ୍ବିଧାନ ଓ ସଂଘୀୟ ବ୍ୟବସ୍ଥା ବିରୋଧୀ ବୋଲି ଅଭିଯୋଗ କରିଛନ୍ତି ବିରୋଧୀ। ଜଣେ ଦୋଷୀ ପ୍ରମାଣିତ ନହେଲା ଯାଏଁ ନିର୍ଦ୍ଦୋଷ ବୋଲି ସମ୍ବିଧାନ କହୁଥିବା ବେଳେ ଏହି ବିଲ୍ ତାର ବିରୋଧାଭାସ କରୁଛି। ଏଭଳି ବିଲ୍ ଆଇନରେ ପରିଣତ ହେଲେ ଏହାର ଦୁରୁପଯୋଗ ଆଶଙ୍କା ରହିଛି ବୋଲି କହିଛନ୍ତି ବିରୋଧୀ।

Leave a Reply

Your email address will not be published. Required fields are marked *