ଓଡ଼ିଶାରେ ବାତ୍ୟା ‘ମୋନ୍ଥା’ର ପ୍ରଭାବ: ଗଞ୍ଜାମ ଓ ଗଜପତିରେ ବର୍ଷା ଆରମ୍ଭ, ସରକାର ପ୍ରସ୍ତୁତ

Top Storise ଦେଶ- ବିଦେଶ ରାଜ୍ୟ

ଭୁବନେଶ୍ୱର: ବାତ୍ୟା ‘ମୋନ୍ଥା’ର ପ୍ରଭାବରେ ଓଡ଼ିଶାରେ ପାଗ ବଦଳିଯାଇଛି। ଦକ୍ଷିଣ ଓଡ଼ିଶାରେ ବିଶେଷ କରି ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଯାଇଛି। ଗୋପାଳପୁରରେ ପବନ ସହ ଝିପିଝିପି ବର୍ଷା ଦେଖାଦେଇଛି, ଯେଉଁଠାରୁ ବାତ୍ୟା ବର୍ତ୍ତମାନ ୭୯୦ କିଲୋମିଟର ଦୂରରେ ରହିଛି। ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିରେ ମଧ୍ୟ ମେଘାଚ୍ଛନ୍ନ ପାଗ ସହ ବର୍ଷା ଜାରି ରହିଛି। 

ଆଜି ପାଇଁ ଗଞ୍ଜାମ ଓ ଗଜପତିକୁ ଅରେଞ୍ଜ ଆଲର୍ଟ ଜାରି ହୋଇଥିବା ବେଳେ ଆସନ୍ତାକାଲି ପାଇଁ ରେଡ୍ ଆଲର୍ଟ ଘୋଷଣା କରାଯାଇଛି। 

ବାତ୍ୟାର ଆଶଙ୍କାରେ ଜନସାଧାରଣଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଅନେକ ଗ୍ରାହକ ଆଳୁ ଓ ଅନ୍ୟ ଜିନିଷ ଅଧିକ ପରିମାଣରେ କିଣୁଛନ୍ତି। ବଜାରରେ ଆଳୁର ଦର କେଜି ପିଛା ୨୦ରୁ ୨୫ ଟଙ୍କା ମଧ୍ୟରେ ରହିଛି। କିଛି କ୍ଷୁଦ୍ର ବ୍ୟବସାୟୀ ଅଧିକ ଦାମରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି। ବ୍ୟବସାୟୀ ମହାସଂଘର ସଭାପତି ସୁଧାକର ପଣ୍ଡା କହିଛନ୍ତି ଯେ ରାଜ୍ୟରେ ଆଳୁର ଗଚ୍ଛିତ ମହଜୁତ ରହିଛି ଏବଂ ଆତଙ୍କିତ ହୋଇ ଅତିରିକ୍ତ କିଣିବାର ଆବଶ୍ୟକତା ନାହିଁ। ସେ କଳାବଜାର କରୁଥିବା ବ୍ୟବସାୟୀଙ୍କ ବିରୋଧରେ ସରକାରୀ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଛନ୍ତି।

ବାତ୍ୟା ‘ମୋନ୍ଥା’ ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି। ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଏସଆରସିଙ୍କ କାର୍ଯ୍ୟାଳୟରେ ଏକ ଉଚ୍ଚସ୍ତରୀୟ ବୈଠକରେ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଏହି ବୈଠକରେ ଉନ୍ନୟନ କମିଶନର, ଏସଆରସି ଏବଂ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନେ ଭିଡିଓ କନଫରେନ୍ସିଂ ଜରିଆରେ ଯୋଗ ଦେଇଥିଲେ। ରାଜସ୍ବ ମନ୍ତ୍ରୀ ସମସ୍ତ ବିଭାଗକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।ଆଗାମୀ ୨୮ ଓ ୨୯ ତାରିଖରେ ଓଡ଼ିଶାରେ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ବାତ୍ୟାର ପ୍ରଭାବ ମୁକାବିଲା ପାଇଁ ସମସ୍ତ ଜିଲ୍ଲା ପ୍ରଶାସନକୁ ଆଗୁଆ ପ୍ରସ୍ତୁତି ନେବାକୁ କୁହାଯାଇଛି। ଜନସାଧାରଣଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ ଓ ସରକାରୀ ନିର୍ଦ୍ଦେଶ ପାଳନ କରିବାକୁ ପରାମର୍ଶ ଦିଆଯାଇଛି। 

Leave a Reply

Your email address will not be published. Required fields are marked *