What did Chief Minister Mohan Majhi say in Keonjhar?

କେନ୍ଦୁଝରରେ ଏ କଣ କହିଦେଲେ ମୂଖ୍ୟମନ୍ତ୍ରୀ ମୋହନ ମାଝି?

Top Storise ରାଜ୍ୟ

କେନ୍ଦୁଝର: ମା ତାରିଣୀଙ୍କ ପାଇଁ ୩୧୨ କୋଟିର ବଡ଼ ଘୋଷଣା। ବିଶ୍ବସ୍ତରୀୟ ହେବ ଘଟଗାଁ। ଶ୍ରଦ୍ଧାଳୁଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ରାଜ୍ୟରେ ଧାର୍ମିକ ଓ ପର୍ଯ୍ୟଟନ ସ୍ଥଳ ମଧ୍ୟରେ ମା ତାରିଣୀଙ୍କ ଘଟଗାଁ  ପୀଠ ଅନ୍ୟତମ। କେନ୍ଦୁଝର ଜିଲ୍ଲାର ପ୍ରଥମ ପରିଚୟ ବି ମା ତାରିଣୀ। ଅନେକ ଦିନ ପରେ ଆଜି ସରକାରଙ୍କର ଏହା ଉପରେ ନଜର ପଡ଼ିଛି। ଆଉ କେନ୍ଦୁଝର ବାସି ମଧ୍ୟ ଏହାକୁ ନେଇ ବେଶ୍ ଖୁସୀ ଅଛନ୍ତି।

ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକମାନେ ଯେପରିକି ଆବଶ୍ୟକ ସୁବିଧା ମିଳିବ, ଏହାକୁ ଦୃଷ୍ଟିରେ ରଖି ଭିତ୍ତିଭୂମି ପ୍ରତିଷ୍ଠା କରିବାକୁ ଯୋଜନା ରଖିଛନ୍ତି। ଏଥି ପାଇଁ ରାଜ୍ୟ ସରକାର ୩୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ବିନିଯୋଗରେ ଯାତ୍ରୀ ସୁବିଧା କେନ୍ଦ୍ର, ରାସ୍ତା ଓ ଯୋଗାଯୋଗ, ପୁଷ୍କରିଣୀ ସମୂହର ବିକାଶ, ସୁଦୃଶ୍ୟ ବ୍ୟାଖ୍ୟାନ କେନ୍ଦ୍ର, ଯାତ୍ରୀନିବାସ, ପ୍ରାଚୀର ସହ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା, ମନ୍ଦିର ଆଭ୍ୟନ୍ତରୀଣ ଓ ମନ୍ଦିରକୁ ସଂଯୋଗ କରୁଥିବା ରାସ୍ତାର ବିକାଶ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏଥି ସହିତ ୨୧୬ ଶଯ୍ୟାବିଶିଷ୍ଟ ଯାତ୍ରୀନିବାସ, ୫୦୦ ଲୋକଙ୍କ ଏକସଙ୍ଗେ ପ୍ରସାଦସେବନ ବ୍ୟବସ୍ଥା, ନଡ଼ିଆ ଗୋଦାମ ସହିତ ମା’ ତାରିଣୀ ମନ୍ଦିର ସମ୍ବନ୍ଧିତ ବ୍ୟାଖ୍ୟାନ କେନ୍ଦ୍ର ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା ହେବ। ଏହି ଅତ୍ୟାଧୁନିକ ବ୍ୟବସ୍ଥା କରିବା ପାଇଁ  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ମା’ ତାରିଣୀ ପୀଠ ଗସ୍ତ କରିଥିଲେ। ଏହି ଅବସରରେ ସେ ମା’ ତାରିଣୀଙ୍କୁ ପୂଜାର୍ଚ୍ଚନା ମଧ୍ୟ କରିଥିଲେ।

ମା’ ତାରିଣୀ ପଠୀ ଦର୍ଶନ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଜି କେନ୍ଦୁଝର ଜିଲ୍ଲାର ପବିତ୍ର ମା’ ଘଟଗାଁ ତାରିଣୀ ପୀଠରେ ପୂଜାର୍ଚ୍ଚନା କରିବା ସହ ମା’ ଙ୍କ ପୀଠର ସମନ୍ୱିତ ବିକାଶ ପ୍ରକଳ୍ପର ଶିଳାନ୍ୟାସ କରିବାର ସୌଭାଗ୍ୟ ମିଳିଥିଲା। ଦୀର୍ଘ ଦଶନ୍ଧି ଧରି ଅଣଦେଖା ହୋଇ ରହିଥିବା ଏହି ପୀଠର ବିକାଶ ପାଇଁ ମୋର ଇଚ୍ଛା ଥିଲେ ମଧ୍ୟ ସୁଯୋଗ ମିଳି ନଥିଲା। କିନ୍ତୁ ଆଜି ମା’ଙ୍କ କରୁଣାରୁ ତାଙ୍କର ଏହି ପବିତ୍ର କାର୍ଯ୍ୟ ପାଇଁ ମୋତେ ସେବା କରିବାର ସୁଯୋଗ ମିଳିଛି। ମା’ଙ୍କ ଆଶୀର୍ବାଦ ଓ ଆପଣମାନଙ୍କ ଭରସାରେ, ଆମେ ଏହି ପ୍ରକଳ୍ପ ପାଇଁ ୩୦୦ କୋଟି ଟଙ୍କାରୁ ଅଧିକ ଅନୁଦାନ ମଞ୍ଜୁର କରିଛୁ।  

ଅର୍ଥର ଅଭାବ ହେବନି: ମୋହନ

ମା’ ତାରିଣୀ ପ୍ରକଳ୍ପ ମାଧ୍ୟମରେ ଆମେ ମା’ ତାରିଣୀଙ୍କ ପୀଠକୁ ଏକ ବିଶ୍ୱସ୍ତରୀୟ ଧର୍ମୀୟ ଓ ପର୍ଯ୍ୟଟନସ୍ଥଳୀରେ ପରିଣତ କରିବୁ। ମୁଁ ବ୍ୟକ୍ତିଗତ ଭାବେ ଏହାର ତଦାରଖ କରିବି। ମା’ଙ୍କ ଇଚ୍ଛାରୁ ଏହି କାର୍ଯ୍ୟ ଆରମ୍ଭ ହୋଇଥିବାରୁ, ଏଥିରେ ଅର୍ଥର ଅଭାବ କେବେହେଲେ ବାଧକ ସାଜିବ ନାହିଁ। ଏହି ଐତିହାସିକ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଆପଣମାନଙ୍କର ଉପସ୍ଥିତି ଓ ବିଶାଳ ରୋଡ୍ ସୋ’ରେ ମୋତେ ମିଳିଥିବା ସ୍ନେହ, ମୋର ସେବା ସଂକଳ୍ପକୁ ଆହୁରି ଦୃଢ଼ କରିଛି।  ମୋତେ ଆଶୀର୍ବାଦ ଦେଇଥିବାରୁ ସମସ୍ତ କେନ୍ଦୁଝରବାସୀ ଓ ଭକ୍ତଗଣଙ୍କୁ ଅଶେଷ ଧନ୍ୟବାଦ ଜଣାଉଛି ବୋଲି ଶ୍ରୀ ମାଝୀ କହିଛନ୍ତି।

କେନ୍ଦୁଝର ର ବିକାଶ ପାଇଁ ବଡ଼ବିଲ ରେ ଏକ ଚାରି ଲେନ ବିଶିଷ୍ଟ ରିଙ୍ଗ ରୋଡ ହେବ। ଏଥିପାଇଁ ୨୩୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ସେହିପରି କେନ୍ଦୁଝରରେ ମଧ୍ୟ ୪୨୮ କୋଟି ଟଙ୍କାରେ ଏକ ବାଇପାସ୍ ରାସ୍ତା କରାଯିବ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଏକ ଚାରି ଲେନ ବିଶିଷ୍ଟ ରାସ୍ତା ନିର୍ମାଣ କରାଯିବ। ଏହା ସହିତ ୧୬୮ କୋଟି ଟଙ୍କାରେ ଏକ ଟେକ୍ ପାର୍କ, ଓକାକ୍ ପକ୍ଷରୁ ୧୫୦ କୋଟି ଟଙ୍କାରେ ଏକ ଡାଟା ସେଣ୍ଟର, ବଲଭଦ୍ରପୁର ରେ ୧୫୦ କୋଟି ଟଙ୍କାରେ ଏକ ଟେକ୍ସଟାଇଲ ପାର୍କ, ଧରଣୀଧର ବିଶ୍ଵ ବିଦ୍ୟାଳୟ କ୍ୟାମ୍ପସ ରେ ୧୮୭ କୋଟି ଟଙ୍କାରେ ଏକ data recovery centre, ୧୦୩ କୋଟି ଟଙ୍କାରେ ରାଇସୁଆଁ ଏୟାର ଷ୍ଟ୍ରିପ, ୧୮୦ କୋଟି ଟଙ୍କାରେ କେନ୍ଦୁଝର ଷ୍ଟାଡିୟମ୍, ୫୦ କୋଟି ଟଙ୍କାରେ ସାନଘାଗରା ଠାରେ RPRC ଆଦି ଅନେକ ପ୍ରକଳ୍ପ ସଂପର୍କରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ କେନ୍ଦୁଝର ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସହିତ DMF ଓ OMBADC

ଏବଂ ଅନ୍ୟାନ୍ୟ ପାଣ୍ଠି ମିଶାଇଲେ କେବଳ କେନ୍ଦୁଝର ରେ ୩୫ ହଜାର କୋଟି ଟଙ୍କା ରହିଛି। ଏହି ସବୁ ଅର୍ଥ କେନ୍ଦୁଝରର ବିକାଶ ପାଇଁ ଖର୍ଚ୍ଚ ହେବ ବୋଲି ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଲେ ଯେ  ବିକଶିତ ଓଡ଼ିଶାର ଅର୍ଥ ହେଲା ଓଡ଼ିଶାର ପ୍ରତ୍ୟେକ ଲୋକଙ୍କ ସମାବେଶୀ ବିକାଶ।  ଆମେ ପ୍ରତିବଦ୍ଧତାର ସହିତ ପ୍ରୟାସ ଆରମ୍ଭ କରିଛୁ। ଲକ୍ଷ୍ୟରେ ପହଞ୍ଚିବା ପାଇଁ ଆପଣମାନଙ୍କ ସହ  ଯୋଗ ଓ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଆମର ଏକାନ୍ତ କାମ୍ୟ। ୨୦୪୭ ମସିହା ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ର ରୂପେ ବିଶ୍ୱ ଦରବାରରେ ଠିଆ କରିବାର ଲକ୍ଷ୍ୟ  ରଖାଯାଇଛି । ସେଥିରେ  ଓଡ଼ିଶାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ। ଓଡ଼ିଶା ହେବ ଦେଶର ଗ୍ରୋଥ ଇଞ୍ଜିନ । ୨୦୩୬ ସୁଦ୍ଧା ଏକ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଆମର ଜୋର‍ଦାର ଉଦ୍ୟମ ଆରମ୍ଭ ହୋଇଛି। ଦେଶ ଓ ରାଜ୍ୟର ଏହି ମହାନ୍ ଲକ୍ଷ୍ୟ ପୂରଣରେ  କେନ୍ଦୁଝରର  ବିଶେଷ ଭୂମିକା ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।  

Leave a Reply

Your email address will not be published. Required fields are marked *