ଭୁବନେଶ୍ୱର: ଭବିଷ୍ୟତ ପାଇଁ ପ୍ରସ୍ତୁତ ବୈଷୟିକ ଦକ୍ଷତା ନିର୍ମାଣ ଏବଂ ନିରନ୍ତର ବୃତ୍ତିଗତ ବିକାଶକୁ ସକ୍ଷମ କରିବା ପାଇଁ ନିଜର ପ୍ରତିବଦ୍ଧତାକୁ ସୁଦୃଢ଼ କରି, ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡ଼ିସକମ ଗୁଡିକ, ଜାନୁଆରୀ ୩୧, ୨୦୨୬ରେ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ଟେକ୍ନୋଲୋଜି (କିଟ) ବିଶ୍ୱବିଦ୍ୟାଳୟ ସହଯୋଗରେ ନିଜର କର୍ମଚାରୀମାନଙ୍କ ପାଇଁ ‘ୱାର୍କ ଇଣ୍ଟିଗ୍ରେଟେଡ୍ ଲର୍ଣ୍ଣିଂ ପ୍ରୋଗ୍ରାମ’ (ଡବ୍ଲୁଆଇଏଲପି) ର ଶୁଭାରମ୍ଭ କରିଛି। ଏହି କାର୍ଯ୍ୟକ୍ରମଟି ଇଲେକ୍ଟ୍ରିକାଲ୍ରେ ଡିପ୍ଲୋମା କରିଥିବା କର୍ମଚାରୀମାନେ ନିଜର ଚାକିରି ବଜାୟ ରଖିବା ସହିତ ଇଲେକ୍ଟ୍ରିକାଲ୍ରେ ବି.ଟେକ୍ କରିବା ପାଇଁ ସହାୟତା କରିବାକୁ ପ୍ରସ୍ତୁତ କରାଯାଇଛି।
ଏହି ପଦକ୍ଷେପ ଟାଟା ପାୱାର ପରିଚାଳିତ ଓଡ଼ିଶା ଡ଼ିସକମ ଗୁଡିକର କାର୍ଯ୍ୟକ୍ଷମତା ବୃଦ୍ଧି ଏବଂ ସମଗ୍ର ପରିଚାଳନା କ୍ଷେତ୍ରରେ ବୈଷୟିକ ଜ୍ଞାନକୌଶଳକୁ ସୁଦୃଢ଼ କରିବା ଉପରେ ରହିଥିବା ଗୁରୁତ୍ୱକୁ ପ୍ରତିଫଳିତ କରୁଛି। ଏହି କାର୍ଯ୍ୟକ୍ରମ ପ୍ରତି ପ୍ରତିକ୍ରିୟା ଅତ୍ୟନ୍ତ ଉତ୍ସାହଜନକ ରହିଛି ଏବଂ ଚାରୋଟିଯାକ ଡ଼ିସକମ ର କର୍ମଚାରୀଙ୍କଠାରୁ ପ୍ରବଳ ଆଗ୍ରହ ପ୍ରକାଶ ପାଇଛି। ଏକ କଠୋର ଚୟନ ପ୍ରକ୍ରିୟା ପରେ ମୋଟ ୮୦ ଜଣ ଅଂଶଗ୍ରହଣକାରୀଙ୍କୁ ଚୂଡ଼ାନ୍ତ କରାଯାଇଛି, ଯେଉଁଥିରେ ପ୍ରତ୍ୟେକ ଡ଼ିସକମ ରୁ ସମାନ ପ୍ରତିନିଧିତ୍ୱ ରହିଛି, ଯାହାକି ସମସ୍ତ ସେବାଯୋଗାଣ ଅଞ୍ଚଳରେ ସନ୍ତୁଳିତ ଦକ୍ଷତା ବିକାଶକୁ ସୁନିଶ୍ଚିତ କରୁଛି।
ନିଜର ଶୈକ୍ଷିକ ଯାତ୍ରା ଆରମ୍ଭ କରିଥିବା ଏହି ପ୍ରଥମ ବ୍ୟାଚ୍, ଡ଼ିସକମ ଗୁଡିକର ମାନବ ସମ୍ବଳ ବିକାଶ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସ୍ଥାପନ କରିଛି। ଏହି ୱାର୍କ ଇଣ୍ଟିଗ୍ରେଟେଡ୍ ଲର୍ଣ୍ଣିଂ ପ୍ରୋଗ୍ରାମ ଟି ଶ୍ରେଣୀଗୃହ ଶିକ୍ଷା ସହିତ ବିଦ୍ୟୁତ ସେବା କ୍ଷେତ୍ରର ବାସ୍ତବ ଅଭିଜ୍ଞତାକୁ ମିଶ୍ରଣ କରି ତିଆରି କରାଯାଇଛି। ଏହା ଅଂଶଗ୍ରହଣକାରୀମାନଙ୍କୁ ଶ୍ରେଣୀଗୃହର ଶିକ୍ଷାକୁ ସିଧାସଳଖ ଫିଲ୍ଡ ଅପରେସନ୍, ନେଟୱାର୍କ ମ୍ୟାନେଜମେଣ୍ଟ, ସୁରକ୍ଷା ନିୟମାବଳୀ ଏବଂ ନୂତନ ଡିଜିଟାଲ ବିତରଣ ପ୍ରଯୁକ୍ତିବିଦ୍ୟାରେ ପ୍ରୟୋଗ କରିପାରିବେ।
ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ କିଟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର (ଡଃ) ସରଣଜିତ ସିଂ, କିଟ ର ପ୍ରତିନିଧିମଣ୍ଡଳୀ, ଡଃ ରଣବୀର ଚକ୍ରବର୍ତ୍ତୀ ଚିଫ ବିଜନେସ ଏଚଆର (ଟି ଆଣ୍ଡ ଡି କ୍ଲଷ୍ଟର), ଶ୍ରୀ ଅରଭିନ୍ଦ ସିଂ, ସିଇଓ, ଟିପିସିଓଡିଏଲ, ଓଡିଶା ଡ଼ିସକମ ଗୁଡିକର ଚିଫ ବିଜନେସ ଏଚଆର ଶ୍ରୀ ଶ୍ୟାମ ସୁନ୍ଦର ଚୌଧୁରୀ, ଟିପିସିଓଡିଏଲ ର ଏଚଆର ହେଡ ଶ୍ରୀ କେ. ରବି ଆଚାରୀ ଏବଂ ଶ୍ରୀ ରମେନ୍ଦ୍ର ବଣିକ, ଟିପିଏନଓଡିଏଲ ର ହେଡ – ଏଚଆର, ଆଇଆର, ଇଏସ ଏବଂ ଆଡମିନ୍ ପ୍ରମୁଖ ଉପସ୍ଥିତ ଥିଲେ।
ଏହି ଅବସରରେ କିଟ୍ ବିଶ୍ୱବିଦ୍ୟାଳୟ ଏବଂ ଟାଟା ପାୱାରର ବରିଷ୍ଠ ନେତୃବୃନ୍ଦ କହିଛନ୍ତି ଯେ, ଏହି କାର୍ଯ୍ୟକ୍ରମଟି କେବଳ ଏକ ଶୈକ୍ଷିକ ପଦକ୍ଷେପ ନୁହେଁ ବରଂ ଓଡ଼ିଶାର ବିଦ୍ୟୁତ ବିତରଣ କ୍ଷେତ୍ର ପାଇଁ ବୈଷୟିକ ସ୍ତରରେ ଦକ୍ଷ ଏବଂ ଭବିଷ୍ୟତର ନେତୃତ୍ୱ ପ୍ରସ୍ତୁତ କରିବା ପାଇଁ ଏକ ରଣନୈତିକ ଯୋଜନା। ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣକାରୀମାନଙ୍କୁ ସେମାନଙ୍କର ବୃତ୍ତିଗତ ଦାୟିତ୍ୱ ଏବଂ ଶୈକ୍ଷିକ ଗୁରୁତ୍ୱ ମଧ୍ୟରେ ପ୍ରଭାବଶାଳୀ ଭାବେ ସନ୍ତୁଳନ ରକ୍ଷା କରିବାକୁ ପରାମର୍ଶ ଦିଆଯାଇଥିଲା, ଯାହାଦ୍ଵାରା ଉଭୟ ଦିଗ ଏକାସଙ୍ଗେ ଆଗକୁ ବଢ଼ିପାରିବ। ଏହା ସହିତ ମିଳିଥିବା ଏହି ଅନନ୍ୟ ସୁଯୋଗର ସଦୁପଯୋଗ କରିବା ପାଇଁ ମଧ୍ୟ ସେମାନଙ୍କୁ ପରାମର୍ଶ ଦିଆଯାଇଥିଲା।
ଏହି ଅବସରରେ ଟାଟା ପାୱାରର ଚିଫ୍ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ବିଜନେସ, ଶ୍ରୀ ଗଜାନନ କାଲେ କହିଥିଲେ ଯେ, କର୍ମଚାରୀଙ୍କ କଲ୍ୟାଣ ଏବଂ ଅଭିବୃଦ୍ଧି ଦିଗରେ ସଂଗଠନର ପ୍ରୟାସର ଏହି ପଦକ୍ଷେପ ଏକ ପ୍ରମୁଖ ମାଇଲଖୁଣ୍ଟ। ସେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କର ଆଗାମୀ ଯାତ୍ରା ପାଇଁ ଶୁଭକାମନା ଜଣାଇଛନ୍ତି।
ଟାଟା ପାୱାର ଦ୍ୱାରା ପରିଚାଳିତ ଓଡ଼ିଶା ଡ଼ିସକମ ଗୁଡିକ ପକ୍ଷରୁ ପ୍ରଥମ ବ୍ୟାଚ୍କୁ ଏହି ଆହ୍ୱାନପୂର୍ଣ୍ଣ ତଥା ରୂପାନ୍ତରଣକାରୀ ଯାତ୍ରା ପାଇଁ ଅନେକ ଅନେକ ଶୁଭକାମନା।

