ଭୁବନେଶ୍ୱର: ଅଭିନେତା ତଥା ପୂର୍ବତନ ସାଂସଦ ଅନୁଭବ ମହାନ୍ତିଙ୍କ ଦ୍ୱାରା ଦାଖଲ ଆବେଦନ ଉପରେ ସୁପ୍ରିମକୋର୍ଟ ପୂର୍ବତନ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଜବାବ ଦାଖଲ କରିବାକୁ ତଲବ କରିଛନ୍ତି।
ସୂଚନାଯୋଗ୍ୟ ଯେ, କଟକର ପୁରୀଘାଟ ଥାନାରେ ବର୍ଷା ପ୍ରିୟଦର୍ଶିନୀ ଅନୁଭବ ମହାନ୍ତି ଓ ଅନ୍ୟ ଦୁଇ ଜଣଙ୍କ ବିରୋଧରେ ମାନସିକ ନିର୍ଯାତନା ଅଭିଯୋଗ ଆଣି ଏତଲା ଦାଖଲ କରିଥିଲେ। ଏହି ମାମଲାରେ ଅନୁଭବ ମହାନ୍ତି ଡିସ୍ଚାର୍ଜ ପିଟିସନ ଦାଖଲ କରିଥିଲେ।
ତେବେ ବିଧାୟକ ଓ ସାଂସଦମାନଙ୍କ ମାମଲା ବିଚାର ପାଇଁ ଗଠିତ ସ୍ୱତନ୍ତ୍ର ଅଦାଲତ ଅନୁଭବଙ୍କ ଡିସ୍ଚାର୍ଜ ଆବେଦନକୁ ଖାରଜ କରିଦେଇଥିଲେ। ପରବର୍ତ୍ତୀ ସମୟରେ ଅନୁଭବ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ହାଇକୋର୍ଟ ନିମ୍ନ ଅଦାଲତଙ୍କ ରାୟକୁ କାଏମ ରଖିଥିଲେ।
ହାଇକୋର୍ଟଙ୍କ ଏହି ରାୟକୁ ଚାଲେଞ୍ଜ କରି ଅନୁଭବ ମହାନ୍ତି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଏହି ଆବେଦନର ଶୁଣାଣି କରି ସର୍ବୋଚ୍ଚ ଅଦାଲତ ବର୍ଷା ପ୍ରିୟଦର୍ଶିନୀଙ୍କୁ ନୋଟିସ ଜାରି କରି ଜବାବ ତଲବ କରିଛନ୍ତି।
ଏହି ମାମଲାର ପରବର୍ତ୍ତୀ ଶୁଣାଣି ଉପରେ ସମସ୍ତଙ୍କ ନଜର ରହିଛି।

