କେନ୍ଦଝର : ପୁଣି ଚର୍ଚ୍ଚାରେ କେନ୍ଦୁଝର। ଏଥର କୌଣସି ରାଜନୈତିକ ପ୍ରସଙ୍ଗ ପାଇଁ ନୁହେଁ, ବରଂ ରାସ୍ତା ନିର୍ମାଣର ମାନକୁ ନେଇ। ଝୁମ୍ପୁରା ବ୍ଲକ ବାରିଆରୁ ବଡ଼ ଡୁମ୍ପୁରିଆକୁ ସଂଯୋଗ କରୁଥିବା ପ୍ରାୟ ସାଢ଼େ ୫ କିଲୋମିଟର ରାସ୍ତାର କାମ ସମ୍ପ୍ରତି ଶେଷ ହୋଇଥିଲା। କିନ୍ତୁ କାମ ସରିବାର କିଛି ଦିନ ମଧ୍ୟରେ ବର୍ଷା ଆରମ୍ଭ ହେବା ସହ ରାସ୍ତାର ପିଚୁ ଧୋଇଯାଇଛି। ରାସ୍ତାରେ ବଡ଼ ବଡ଼ ଗାତ ମାନ ଗଢ଼ି ଉଠିଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଏହି ରାସ୍ତା ଉପରେ ପାଖାପାଖି ୫ ଲକ୍ଷରୁ ଅଧିକ ଲୋକ ନିର୍ଭର କରନ୍ତି। ଏଭଳି ସ୍ଥିତିରେ ନୂଆ ନିର୍ମାଣ ହୋଇଥିବା ରାସ୍ତା ଅଳ୍ପ ବର୍ଷାରେ କ୍ଷତିଗ୍ରସ୍ତ ହେବା ପରେ କାର୍ଯ୍ୟର ଗୁଣବତ୍ତାକୁ ନେଇ ପ୍ରଶ୍ନ ଉଠିଛି। ଏହି ପ୍ରକଳ୍ପ ଗ୍ରାମ୍ୟ ଉନ୍ନୟନ (ଆର୍ଡି) ବିଭାଗ ଅଧୀନରେ ନିର୍ମାଣ ହୋଇଥିବା ଜଣାପଡ଼ିଛି। କାମର ଗୁଣବତ୍ତା ଯାଞ୍ଚ ଓ ତଦାରଖରେ କୌଣସି ତ୍ରୁଟି ରହିଛି କି ନାହିଁ, ତାହାର ତଦନ୍ତ ହେବା ଦରକାର ବୋଲି ସ୍ଥାନୀୟ ଲୋକ ଦାବି କରୁଛନ୍ତି। ନିର୍ମାଣ କାର୍ଯ୍ୟରେ କୌଣସି ଅନିୟମିତତା ଘଟିଛି କି ନାହିଁ, ସେନେଇ ମଧ୍ୟ ତଦନ୍ତ ହେବା ଆବଶ୍ୟକ ରହିଛି।
ଘଟଣାଟି ପାଟଣା ବିଧାନସଭା ନିର୍ବାଚନମଣ୍ଡଳୀ ଅଞ୍ଚଳରେ ଘଟିଥିବାରୁ ସ୍ଥାନୀୟ ଲୋକପ୍ରତିନିଧିଙ୍କ ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି।

ଚିତ୍ର ଦେଖିଲେ ସ୍ପଷ୍ଟ ବାରି ହେଉଛି କଣ୍ଟ୍ରାକ୍ଟର କିପରି ଲୁଟି ଖାଇଛି। ତା ବିଲ ପାସ କରିଥିବା ଜେଇଙ୍କ ଠାରୁ ଏଇ, ଏସଇ ଯାଏ କେତେ ପାଉଣା ନେଇଥିବେ ତାହା ତ ଭଗବାନଙ୍କୁ ଜଣା। ତେବେ ଏଠି ପ୍ରଶ୍ନ ଲୋକଙ୍କ ଟଙ୍କାକୁ ଲୁଟି ଖାଉଥିବା ଏପରି ଲୋକଙ୍କ ଉପରେ କେବେ ପ୍ରଶାସନର ଦୃଷ୍ଟି ପଡ଼ିବ କେବେ ହେବ ଆକ୍ସନ।
ସେପଟେ ବିଧାୟକଙ୍କ କାର୍ଯ୍ୟକୁ ନେଇ ବି ପ୍ରଶ୍ନ ଉଠିଲାଣି। ସତରେ ଏଠି ବିଧା୍ୟକ ଲୋକଙ୍କ ପାଇଁ କାମ କରୁଛନ୍ତି ନା କଣ୍ଟ୍ରାକ୍ଟର ପାଇଁ… ଏପରି ଘଟଣାରେ କାହିଁକି ନିରବ ବିଧାୟକ ଅଖିଳ ନାଏକ?
ଏହି ଅଭିଯୋଗକୁ ନେଇ ଆର୍ଡି ବିଭାଗ, ସମ୍ପୃକ୍ତ ଠିକାଦାର କିମ୍ବା ବିଧାୟକଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସରକାରୀ ପ୍ରତିକ୍ରିୟା ମିଳିନାହିଁ।

