ବୁଦ୍ଧ ବିହାରରେ ରକ୍ତାକ୍ତ ଗୋଷ୍ଠୀ ସଂଘର୍ଷ: ଖଣ୍ଡା, କଟୁରୀ ସହ ବୁଲେଟ୍ ଓ ସ୍କୁଟି ଜବତ, ୧୦ରୁ ଅଧିକଙ୍କ ନାଁରେ ମାମଲା

Top Storise ଅପରାଧ ରାଜ୍ୟ

ଭୁବନେଶ୍ୱର: ରାଜଧାନୀର ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ବୁଦ୍ଧ ବିହାର ଅଞ୍ଚଳରେ ଶନିବାର ରାତିରେ ଘଟିଥିବା ରକ୍ତାକ୍ତ ଗୋଷ୍ଠୀ ସଂଘର୍ଷକୁ ନେଇ ଚନ୍ଦ୍ରଶେଖରପୁର ଥାନାରେ ଦୁଇଟି କାଉଣ୍ଟର ମାମଲା ରୁଜୁ ହୋଇଛି। ଉଭୟ ପକ୍ଷର ଅଭିଯୋଗ ଆଧାରରେ ପୋଲିସ ନିରପେକ୍ଷ ଭାବେ ତଦନ୍ତ ଆରମ୍ଭ କରିଛି।

ପୋଲିସ ସୂଚନା ଅନୁଯାୟୀ, ମାମଲା ନମ୍ବର ୬୭୧/୨୦୨୬ରେ ଅଭିଯୋଗ ହୋଇଛି ଯେ, ଶୁକ୍ରବାର ରାତି ପ୍ରାୟ ୯ଟା ୨୫ ମିନିଟ୍ ସମୟରେ ସୁଭମ ସ୍ୱରାଜ ଜଣେ ବନ୍ଧୁଙ୍କ ସହ ବ୍ଲକ୍ ନଂ-୧୧ ନିକଟରେ ଠିଆ ହୋଇଥିବା ବେଳେ ୧୦ରୁ ଅଧିକ ଦୁର୍ବୃତ୍ତ ମାରଣାସ୍ତ୍ର ଧରି ସେଠାରେ ପହଞ୍ଚିଥିଲେ। ସେମାନେ ହତ୍ୟା ଉଦ୍ଦେଶ୍ୟରେ ଆକ୍ରମଣ କରି ସୁଭମଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆଘାତ କରିଥିବା ଅଭିଯୋଗ ରହିଛି।

ଏହି ଘଟଣାକୁ ନେଇ ବିପକ୍ଷ ଗୋଷ୍ଠୀ ପକ୍ଷରୁ ମଧ୍ୟ ପାଲଟା ଅଭିଯୋଗ ଦାଖଲ ହେବା ପରେ ମାମଲା ନଂ. ୬୭୨/୨୦୨୬ ରୁଜୁ କରାଯାଇଛି। ଦୁଇଟି ମାମଲା ସମାନ ଘଟଣାକୁ କେନ୍ଦ୍ର କରି ହୋଇଥିବା ଅଭିଯୋଗ ଓ ପାଲଟା ଅଭିଯୋଗ ସହ ସମ୍ପୃକ୍ତ ବୋଲି ପୋଲିସ କହିଛି।

ତଦନ୍ତ ବେଳେ ପୋଲିସ ଘଟଣାସ୍ଥଳରୁ ଗୋଟିଏ ବୁଲେଟ୍ ମୋଟରସାଇକେଲ, ଦୁଇଟି ସ୍କୁଟି, ଗୋଟିଏ ଖଣ୍ଡା, ଗୋଟିଏ କଟୁରୀ ଏବଂ ଦୁଇଟି କାଠ ଫାଳିଆ ଜବତ କରିଛି। ଘଟଣାରେ ବ୍ୟବହୃତ ଅସ୍ତ୍ରଶସ୍ତ୍ର ଓ ଯାନବାହନକୁ ଜବତ କରି ପୋଲିସ ଅଧିକ ତଦନ୍ତ ଚଳାଇଛି।

ଏହି ମାମଲାରେ ଉତ୍ତମ ମେକାପ, ସ୍ୱାଧୀନ କୁମାର ନାୟକ, ବାଦଲ ମହାପାତ୍ର, ସରୋଜ କୁମାର ନାୟକ, ଜ୍ୟୋତିରଞ୍ଜନ ନାୟକ, ସନ୍ତୋ ବେହେରା, ସାଗର ସାହୁ, ରାଜିନ ନାୟକ, ଲୋକନାଥ ବେହେରା ଓ ଶରତ ଖଟୁଆଙ୍କ ସମେତ ୧୦ରୁ ଅଧିକ ବ୍ୟକ୍ତିଙ୍କ ନାମରେ ମାମଲା ରହିଛି।

ଉଭୟ ପକ୍ଷର ଅଭିଯୋଗକୁ ଆଧାର କରି ଘଟଣାରେ ସମ୍ପୃକ୍ତ ସମସ୍ତଙ୍କ ଭୂମିକାକୁ ନିରପେକ୍ଷ ଭାବେ ଯାଞ୍ଚ କରାଯାଉଥିବା ବେଳେ ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *