ଭୂଦାନ ଜମି ଦେବା ନାଁରେ ଠକେଇ: ଟଙ୍କା ନେଇ ଜମି ଦେଲେନି, ଧମକ ଦେବା ପରେ ଗିରଫ ହେଲେ ମହିଳା

Top Storise ଅପରାଧ ରାଜ୍ୟ

ଭୁବନେଶ୍ୱର: ଭୂଦାନ ଜମି କିଣାଇ ଦେବାର ମିଥ୍ୟା ପ୍ରତିଶ୍ରୁତି ଦେଇ ଲକ୍ଷାଧିକ ଟଙ୍କା ଠକେଇ କରିବା ଅଭିଯୋଗରେ ଭରତପୁର ପୋଲିସ ଜଣେ ମହିଳାଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତା ହେଲେ ରୀନା ପ୍ରଧାନ। ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ମାମଲାର ମୁଖ୍ୟ ଅଭିଯୁକ୍ତ ସନାତନ ପ୍ରଧାନଙ୍କ ଭୂମିକାକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି।

ଭରତପୁର ଥାନାରେ ପ୍ରଦୀପ କୁମାର ସାହୁ (୪୭)ଙ୍କ ଲିଖିତ ଅଭିଯୋଗ ଆଧାରରେ ମାମଲା ରୁଜୁ ହୋଇଥିଲା। ଅଭିଯୋଗ ଅନୁସାରେ, ସନାତନ ପ୍ରଧାନ ଓ ତାଙ୍କ ସ୍ତ୍ରୀ ରୀନା ପ୍ରଧାନ ଭୂଦାନ ଜମି କିଣାଇ ଦେବାକୁ କହି ଅଭିଯୋଗକାରୀଙ୍କ ଠାରୁ ୧ ଲକ୍ଷ ୭୫ ହଜାର ଟଙ୍କା ନେଇଥିଲେ।

ଏଥିମଧ୍ୟରୁ ୧ ଲକ୍ଷ ୫ ହଜାର ଟଙ୍କା ସନାତନ ପ୍ରଧାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଫୋନ୍‌ପେ ମାଧ୍ୟମରେ ଓ ୭୦ ହଜାର ଟଙ୍କା ରୀନା ପ୍ରଧାନଙ୍କୁ ଚେକ୍ ମାଧ୍ୟମରେ ପ୍ରଦାନ କରାଯାଇଥିଲା। କିନ୍ତୁ ଟଙ୍କା ନେବା ପରେ ଅଭିଯୁକ୍ତମାନେ ନା ଜମି ଦେଇଥିଲେ, ନା ଟଙ୍କା ଫେରସ୍ତ କରିଥିଲେ। ଟଙ୍କା ମାଗିବାରୁ ଓଲଟା ଅଭିଯୋଗକାରୀଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଛି।

ତଦନ୍ତ ସମୟରେ ପୋଲିସ ମୂଳ ନୋଟାରୀ ଚୁକ୍ତିନାମା, ଆଧାର କାର୍ଡର ନକଲ ଓ ଫୋନ୍‌ପେ କାରବାର ସମ୍ବନ୍ଧୀୟ ଦସ୍ତାବିଜ ଜବତ କରିଥିଲା। ପରେ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ବଡ଼ଗଡ଼ ଥାନା ଅନ୍ତର୍ଗତ ବିଜେବି ନଗରସ୍ଥିତ ଘରୁ ରୀନା ପ୍ରଧାନଙ୍କୁ କାବୁ କରାଯାଇଥିଲା।

ପଚରାଉଚରା ବେଳେ ରୀନା ପ୍ରଧାନ ଘଟଣାରେ ନିଜ ସମ୍ପୃକ୍ତି ସ୍ୱୀକାର କରିଥିବା ପୋଲିସ କହିଛି। ଏହାପରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଘଟଣାରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ଏବଂ ଏହିଭଳି ଆଉ କେତେ ଲୋକଙ୍କୁ ଠକେଇ କରାଯାଇଛି, ସେନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *