କେନ୍ଦୁଝର: ସ୍ଥାନୀୟ ସେଲ୍ ଅଡିଟୋରିୟମ୍ଠାରେ ଭାରତୀୟ ଜନତା ଯୁବ ମୋର୍ଚ୍ଚା ପକ୍ଷରୁ ଏକ ଛାତ୍ର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ମାନ୍ୟବର ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତରାୟ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉଦ୍ବୋଧନ ଦେଇଥିଲେ।
ସମ୍ମାନିତ ଅତିଥି ଭାବେ ରାଜ୍ୟ ସାଧାରଣ ସମ୍ପାଦକ ବିରଞ୍ଚି ନାରାୟଣ ତ୍ରିପାଠୀ, ଜିଲ୍ଲା ସଭାପତି ଶୁକଦେବ ମହାନ୍ତ, ଜିଲ୍ଲା ଉପସଭାପତି ବିବେକାନନ୍ଦ ମହାନ୍ତ, ଜିଲ୍ଲା ସାଧାରଣ ସମ୍ପାଦକ ଅନୁବ୍ରତ ବେହେରା ଏବଂ ଯୁବ ମୋର୍ଚ୍ଚା ଜିଲ୍ଲା ପ୍ରଭାରୀ ଆଲୋକ ରଞ୍ଜନ ମହାନ୍ତ ଉପସ୍ଥିତ ଥିଲେ। ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ରୁଦ୍ର ପ୍ରସାଦ ବେହେରା ମଞ୍ଚ ପରିଚାଳନା କରିବା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଓ ଯୁବ କର୍ମୀ ଯୋଗଦେଇଥିଲେ।
ତେବେ କାର୍ଯ୍ୟକ୍ରମ ପରେ କେନ୍ଦୁଝର ବିଜେପିର ସାଂଗଠନିକ ସ୍ଥିତିକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। କେତେକ ପର୍ଯ୍ୟବେକ୍ଷକଙ୍କ ପ୍ରଶ୍ନ ହେଉଛି, ଏଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଦଳର କେତେକ ବରିଷ୍ଠ ଓ ପୁରୁଣା ନେତାଙ୍କ ଉପସ୍ଥିତି କିମ୍ବା ସକ୍ରିୟ ଭୂମିକା କାହିଁକି ଦେଖିବାକୁ ମିଳିଲା ନାହିଁ।
ଏହାସହ ଜିଲ୍ଲା ବିଜେପିରେ ଗୋଷ୍ଠୀକନ୍ଦଳ ରହିଥିବା ନେଇ ମଧ୍ୟ ରାଜନୈତିକ ଚର୍ଚ୍ଚା ଚାଲିଛି। ଦଳ ଭିତରେ ମତଭେଦ ଥିଲେ ତାହାର ସମାଧାନ ପାଇଁ କୌଣସି ପଦକ୍ଷେପ ନିଆଯାଉଛି କି, ନା ଆଭ୍ୟନ୍ତରୀଣ ସମସ୍ୟା ଜାରି ରହିଛି—ଏନେଇ ମଧ୍ୟ ପ୍ରଶ୍ନ ଉଠୁଛି।
ଆଗାମୀ ପଞ୍ଚାୟତ ନିର୍ବାଚନରେ ଏହି ସମସ୍ତ ପ୍ରଶ୍ନର ରାଜନୈତିକ ପ୍ରଭାବ କେତେ ରହିବ ଓ କେନ୍ଦୁଝର ବିଜେପି ସଂଗଠନ କେତେ ଏକଜୁଟ ହୋଇ କାମ କରିପାରିବ, ତାହା ଉପରେ ସମସ୍ତଙ୍କ ନଜର ରହିଛି।
ଜିଲ୍ଲା ବିଜେପିର ସାଂଗଠନିକ ସ୍ଥିତିକୁ ନେଇ ଚର୍ଚ୍ଚା ଜାରି ରହିଥିବା ବେଳେ, ଏହାର ସମାଧାନ ପାଇଁ ରାଜ୍ୟ ନେତୃତ୍ୱ ହସ୍ତକ୍ଷେପ କରିପାରନ୍ତି ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି।
କେତେକ ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମତରେ, ରାଜ୍ୟ ବିଜେପିର ଶୀର୍ଷ ନେତୃତ୍ୱ ସହ କେନ୍ଦୁଝର ଜିଲ୍ଲାର ଘନିଷ୍ଠ ସମ୍ପର୍କ ଥିବାରୁ ସଂଗଠନ ଭିତରେ ଯଦି କୌଣସି ମତଭେଦ କିମ୍ବା ସମସ୍ୟା ରହିଛି, ତାହାର ସମାଧାନ ପାଇଁ ଉଚ୍ଚ ନେତୃତ୍ୱ ପଦକ୍ଷେପ ନେଇପାରନ୍ତି।
ରାଜନୈତିକ ମହଲରେ ଏହା ମଧ୍ୟ ଆଲୋଚନା ହେଉଛି ଯେ, ନିକଟ ଅତୀତରେ ନୂଆପଡ଼ା ଉପନିର୍ବାଚନ ସମେତ ବିଭିନ୍ନ ନିର୍ବାଚନୀ ପରିପ୍ରେକ୍ଷୀରେ ରାଜ୍ୟ ନେତୃତ୍ୱ ତାଠା ମୁଖ୍ୟମନ୍ତ୍ରୀଙ୍କ ସକ୍ରିୟ ଭୂମିକା ଦେଖାଯାଇଥିବାରୁ, କେନ୍ଦୁଝର ବିଜେପିର ସାଂଗଠନିକ ପ୍ରସଙ୍ଗରେ ମଧ୍ୟ ସମନ୍ୱୟ ଓ ଏକତା ଆଣିବା ଦିଗରେ ପଦକ୍ଷେପ ନିଆଯାଇପାରେ।

