ଭୁବନେଶ୍ୱର: ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଥିବା ଏକ ଜିମ୍ରେ ଜଣେ ଯୁବକଙ୍କ ଉପରେ କାଚ ବୋତଲରେ ଆକ୍ରମଣ ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଅଭିଯୋଗକାରୀ ଶ୍ରୀ ସୁନୀଲ କୁମାର ନାୟକ (୩୫)ଙ୍କ ଲିଖିତ ଏତଲା ଆଧାରରେ ଚନ୍ଦ୍ରଶେଖରପୁର ଥାନାରେ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ କରାଯାଇଥିଲା।
ପୋଲିସ ସୂଚନା ଅନୁସାରେ, ଜୁଲାଇ ୬ ତାରିଖ ସକାଳ ପ୍ରାୟ ୫ଟା ୩୦ ମିନିଟ୍ ସମୟରେ ସୁନୀଲ କୁମାର ନାୟକ ରୟାଲ ଫିଟନେସ୍ ଜିମ୍, ଡିଷ୍ଟ୍ରିକ୍ଟ ସେଣ୍ଟର ଅଭିମୁଖେ ଯାଉଥିବା ବେଳେ ଅଭିଯୁକ୍ତ ରାଜା ଜେନା ଜିମ୍ ଆଗରେ ଉପସ୍ଥିତ ଥିଲେ। କିଛି ସମୟ ପରେ ସେ ଜିମ୍ ଭିତରକୁ ପଶି ଅଭିଯୋଗକାରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଏକ ଥମ୍ସଅପ୍ କାଚ ବୋତଲରେ ତାଙ୍କ ମୁଣ୍ଡକୁ ବାରମ୍ବାର ଆକ୍ରମଣ କରିଥିଲେ। ଏଥିରେ ସୁନୀଲ ଗୁରୁତର ଆହତ ହୋଇଥିଲେ। ଘଟଣା ପରେ ଅଭିଯୁକ୍ତ ଫେରାର ହେବା ସହ ତାଙ୍କୁ ହତ୍ୟା କରିଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି।
ତଦନ୍ତ ବେଳେ ପୋଲିସ ଅଭିଯୁକ୍ତଙ୍କ ସମ୍ପୃକ୍ତି ସ୍ପଷ୍ଟ ହେବା ପରେ ଘଟଣାରେ ବ୍ୟବହୃତ ଥମ୍ସଅପ୍ କାଚ ବୋତଲ ଜବତ କରିଥିଲା। ପରବର୍ତ୍ତୀ ସମୟରେ ଚଢ଼ାଉ କରି ଅଭିଯୁକ୍ତ ରାଜା ଜେନାଙ୍କୁ ଗିରଫ କରାଯାଇଥିଲା। ପଚରାଉଚରା ବେଳେ ସେ ଅପରାଧରେ ନିଜର ସମ୍ପୃକ୍ତି ସ୍ୱୀକାର କରିଥିବା ପୋଲିସ କହିଛି।
ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରହିଛି।

