ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୫ ଓ ୬ ତାରିଖରେ କଟକ ଇନଡୋର ଷ୍ଟାଡିୟମରେ ଅନୁଷ୍ଠିତ ହେବ ବିଜେପିର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ। ରାଜ୍ୟର ସାଂପ୍ରତିକ ରାଜନୈତିକ ପରିସ୍ଥିତି ସହ ବିଭିନ୍ନ ସାମାଜିକ ପ୍ରସଙ୍ଗ ଉପରେ ବୈଠକରେ ବିସ୍ତୃତ ଆଲୋଚନା ହେବ।
ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ୫ ତାରିଖରେ ଆରମ୍ଭ ହେବାକୁ ଥିବା ବୈଠକକୁ ବିଜେପିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସୁନୀଲ ବଂସଲ ଉଦ୍ଘାଟନ କରିବେ।
ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁଇ କେନ୍ଦ୍ରମନ୍ତ୍ରୀ, ଦୁଇ ଉପମୁଖ୍ୟମନ୍ତ୍ରୀ, ରାଜ୍ୟ ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟ, ସାଂସଦ ଓ ବିଧାୟକ, ରାଜ୍ୟ ପଦାଧିକାରୀ ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟଙ୍କ ସମେତ ଏସ୍ଡିସି ଅଧ୍ୟକ୍ଷ ଓ ଉପାଧ୍ୟକ୍ଷମାନେ ଯୋଗଦେବେ।
କେନ୍ଦ୍ରୀୟ ନେତୃବୃନ୍ଦଙ୍କ ମଧ୍ୟରେ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ (ସଂଗଠନ) ବି.ଏଲ୍. ସନ୍ତୋଷ, ଓଡ଼ିଶା ବିଜେପି ପ୍ରଭାରୀ ବିଜୟ ପାଲ ସିଂହ ତୋମାର ଏବଂ ସହପ୍ରଭାରୀ ଲତା ଉସେଣ୍ଡି ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
ଆଗାମୀ ରଣନୀତି ଉପରେ ହେବ ଆଲୋଚନା
ରାଜ୍ୟ ବିଜେପି ଉପସଭାପତି ଡ. ଯତୀନ ମହାନ୍ତିଙ୍କ ସୂଚନା ଅନୁଯାୟୀ, ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଦଳର ସାଂଗଠନିକ କାର୍ଯ୍ୟକ୍ରମର ଏକ ପ୍ରମୁଖ ଅଂଶ। ବୈଠକରେ ସାଂପ୍ରତିକ ରାଜନୈତିକ ପରିସ୍ଥିତି, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଏବଂ ଆଗାମୀ ଦିନର ରଣନୀତି ନେଇ ଆଲୋଚନା ହେବ।
ଉଦ୍ଘାଟନ ଓ ସମାରୋହ ସତ୍ର ସମେତ ଅନ୍ୟ ତିନୋଟି ପ୍ରସ୍ତାବ ଆଗତ କରାଯାଇ ପାରିତ ହେବାର ସମ୍ଭାବନା ରହିଛି। ବୈଠକରେ ପ୍ରାୟ ୪୦୦ ଜଣ ସଦସ୍ୟ ଯୋଗଦେବେ ବୋଲି ଡ. ମହାନ୍ତି କହିଛନ୍ତି।
‘ଓଡ଼ିଶାକୁ ସର୍ବଶ୍ରେଷ୍ଠ ରାଜ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ’
ଡ. ଯତୀନ ମହାନ୍ତି କହିଛନ୍ତି, ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ବିଜେପି ପ୍ରଥମ ଥର ପାଇଁ ରାଜ୍ୟରେ ଏକାକୀ ସରକାର ଗଠନ କରିବାର ସୁଯୋଗ ପାଇଛି। ଜନସାଧାରଣଙ୍କ ଆଶା ଓ ଆକାଂକ୍ଷା ପୂରଣ କରି ଓଡ଼ିଶାକୁ ଦେଶର ସର୍ବଶ୍ରେଷ୍ଠ ରାଜ୍ୟ ଭାବେ ଗଢ଼ି ତୋଳିବା ପାଇଁ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ।
କଟକ ଭାଇଚାରା, ସଂସ୍କୃତି ଓ ଐତିହ୍ୟର ସହର ହୋଇଥିବାରୁ ଏଠାରେ କାର୍ଯ୍ୟକାରିଣୀ ବୈଠକ ଆୟୋଜନକୁ ନେଇ ସ୍ଥାନୀୟ କାର୍ଯ୍ୟକର୍ତ୍ତାମାନେ ଉତ୍ସାହିତ ଅଛନ୍ତି। ବୈଠକକୁ ସଫଳ କରିବା ପାଇଁ ସ୍ଥାନୀୟ କାର୍ଯ୍ୟକର୍ତ୍ତାମାନେ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି।

