କେନ୍ଦୁଝର ଖଣିରେ ୧୪୮.୪୬ କୋଟି ଟଙ୍କାର ଠକେଇ

Top Storise ଅପରାଧ ବାଣିଜ୍ୟ

ଭୁବନେଶ୍ୱର: ଓଡ଼ିଶାର ଖଣି କ୍ଷେତ୍ରରେ ବଡ଼ ଧରଣର ରାଜସ୍ୱ ଅନିୟମିତତା ସାମ୍ନାକୁ ଆସିଛି। ଖଣିର ଉତ୍ପାଦନ କ୍ଷମତା ବଢ଼ିଥିଲେ ମଧ୍ୟ ସେହି ବର୍ଦ୍ଧିତ ଉତ୍ପାଦନ ଉପରେ ନିୟମ ଅନୁସାରେ ଷ୍ଟାମ୍ପ ଡ୍ୟୁଟି ଓ ରେଜିଷ୍ଟ୍ରେସନ୍ ଫି’ର ପାର୍ଥକ୍ୟ ରାଶି ଆଦାୟ ହୋଇନଥିବା ଅଡିଟ୍‌ରେ ଧରାପଡ଼ିଛି। ଏହାର ଫଳରେ ସରକାରୀ ରାଜସ୍ୱରେ ୧୪୮.୪୬ କୋଟି ଟଙ୍କାର ଅନାଦାୟ ହୋଇଥିବା CAG ରିପୋର୍ଟ କହୁଛି।

୩ଟି ଖଣିରେ ଧରାପଡ଼ିଲା ଅନିୟମିତତା

CAG ପକ୍ଷରୁ କେନ୍ଦୁଝର ଓ ଯାଜପୁରରେ ଥିବା ଦୁଇଟି ଜିଲ୍ଲା ଉପ-ନିବନ୍ଧକ କାର୍ଯ୍ୟାଳୟର ଖଣି ଲିଜ୍ ଡିଡ୍‌ଗୁଡ଼ିକ ଯାଞ୍ଚ କରାଯାଇଥିଲା। ଏଥିସହ ସମ୍ପୃକ୍ତ ଜିଲ୍ଲାର ଖଣି ଉପ-ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟର ରେକର୍ଡ, ଖଣି ଯୋଜନା ଓ ଉତ୍ପାଦନ ତଥ୍ୟକୁ କ୍ରସ୍‌ଚେକ୍ କରାଯାଇଥିଲା।

ଅଡିଟ୍‌ରେ ଜଣାପଡ଼ିଥିଲା ଯେ, ଖଣି ଯୋଜନାରେ ପରିବର୍ତ୍ତନ ପରେ ୩ଟି ଖଣିର ବାର୍ଷିକ ଉତ୍ପାଦନ ସୀମା ବଢ଼ିଥିଲା। କିନ୍ତୁ ଏହି ବର୍ଦ୍ଧିତ ଉତ୍ପାଦନ ପରିମାଣ ଉପରେ ନିୟମ ଅନୁସାରେ ପାର୍ଥକ୍ୟ ଷ୍ଟାମ୍ପ ଡ୍ୟୁଟି ଓ ରେଜିଷ୍ଟ୍ରେସନ୍ ଫି’ ଲାଗୁ କରାଯାଇନଥିଲା କିମ୍ବା ଠିକ୍ ଭାବେ ଆଦାୟ ହୋଇନଥିଲା।

ସବୁଠାରୁ ବଡ଼ ଅନିୟମିତତା ନୂଆଗାଁ ଖଣିରେ

କେନ୍ଦୁଝରର ନୂଆଗାଁ ଲୁହାପଥର ବ୍ଲକ୍‌ରେ ସବୁଠାରୁ ବଡ଼ ରାଜସ୍ୱ ଅନିୟମିତତା ଧରାପଡ଼ିଛି। ଖଣିର ମୂଳ ବାର୍ଷିକ ଉତ୍ପାଦନ ସୀମା ୭୫,୯୦,୨୫୮ ମେଟ୍ରିକ୍ ଟନ୍ ଥିଲା। ପରେ ସଂଶୋଧିତ ଖଣି ଯୋଜନାରେ ଏହା ବଢ଼ି ୨ କୋଟି ମେଟ୍ରିକ୍ ଟନ୍ ହୋଇଥିଲା।

ଅର୍ଥାତ୍ ବାର୍ଷିକ ଉତ୍ପାଦନ ସୀମାରେ ୧,୨୪,୦୯,୭୪୨ ମେଟ୍ରିକ୍ ଟନ୍ ବୃଦ୍ଧି ହୋଇଥିଲା।

ଏହି ବର୍ଦ୍ଧିତ ପରିମାଣ ଉପରେ ଷ୍ଟାମ୍ପ ଡ୍ୟୁଟି ଓ ରେଜିଷ୍ଟ୍ରେସନ୍ ଫି’ ପୁନଃମୂଲ୍ୟାୟନ କରି ଆଦାୟ କରିବାକୁ ଥିଲା। CAG ହିସାବରେ ଏଠାରେ ୧୪୭.୭୬ କୋଟି ଟଙ୍କାର ରାଜସ୍ୱ ଆଦାୟ ହୋଇନଥିବା ଦର୍ଶାଯାଇଛି।

ଅନ୍ୟ ଦୁଇ ଖଣିରେ ମଧ୍ୟ ଅନାଦାୟ

କେବଳ ନୂଆଗାଁ ନୁହେଁ, ଗନ୍ଧମାର୍ଦ୍ଦନ ଲୁହାପଥର ବ୍ଲକ୍-ବି ଓ ଯାଜପୁରର କାଳିଆପାଣି କ୍ରୋମାଇଟ୍ ଖଣିରେ ମଧ୍ୟ ବର୍ଦ୍ଧିତ ଉତ୍ପାଦନ ଉପରେ ପାର୍ଥକ୍ୟ ଶୁଳ୍କ ଆଦାୟ ହୋଇନଥିଲା।

ଗନ୍ଧମାର୍ଦ୍ଦନ ଖଣିର ଉତ୍ପାଦନ ସୀମା ୯୧,୧୫,୬୮୦ ମେଟ୍ରିକ୍ ଟନ୍‌ରୁ ୯୧,୨୦,୦୦୦ ମେଟ୍ରିକ୍ ଟନ୍କୁ ବଢ଼ିଥିଲା। ଅର୍ଥାତ୍ ୪,୩୨୦ ମେଟ୍ରିକ୍ ଟନ୍ ବୃଦ୍ଧି ହୋଇଥିଲା। ଏଠାରେ ପ୍ରାୟ ୫ ଲକ୍ଷ ଟଙ୍କାର ଷ୍ଟାମ୍ପ ଡ୍ୟୁଟି ଓ ରେଜିଷ୍ଟ୍ରେସନ୍ ଫି’ ଆଦାୟ ହୋଇନଥିବା ଅଡିଟ୍ ଦର୍ଶାଇଛି।

ସେହିପରି କାଳିଆପାଣି କ୍ରୋମାଇଟ୍ ଖଣିର ବାର୍ଷିକ ଉତ୍ପାଦନ ୨,୦୩,୮୬୦ ମେଟ୍ରିକ୍ ଟନ୍‌ରୁ ୨,୧୫,୦୦୦ ମେଟ୍ରିକ୍ ଟନ୍‌କୁ ବଢ଼ିଥିଲା। ଅର୍ଥାତ୍ ୧୧,୧୪୦ ମେଟ୍ରିକ୍ ଟନ୍ ବୃଦ୍ଧି। ଏଠାରେ ୬୫ ଲକ୍ଷ ଟଙ୍କାର ଶୁଳ୍କ ଆଦାୟ ହୋଇନଥିବା ଅଡିଟ୍‌ରେ ଦର୍ଶାଯାଇଛି।

ନିୟମ କ’ଣ କହୁଛି?

ଓଡ଼ିଶା ସଂଶୋଧିତ ଭାରତୀୟ ଷ୍ଟାମ୍ପ ଆଇନ ଅନୁସାରେ ଦୀର୍ଘମିଆଦୀ ଲିଜ୍‌ରେ ନିର୍ଦ୍ଧାରିତ ବାର୍ଷିକ ଭଡ଼ା ଆଧାରରେ ଷ୍ଟାମ୍ପ ଡ୍ୟୁଟି ନିର୍ଦ୍ଧାରଣର ବ୍ୟବସ୍ଥା ରହିଛି।

ଏହାସହ ୨୦୧୨ ମସିହାରେ ଇସ୍ପାତ ଓ ଖଣି ବିଭାଗର ନିର୍ଦ୍ଦେଶ ଅନୁସାରେ, ଖଣି ଯୋଜନାରେ ପରବର୍ତ୍ତୀ ସମୟରେ ଉତ୍ପାଦନ କ୍ଷମତା ବଢ଼ିଲେ, ସେହି ବର୍ଦ୍ଧିତ ଉତ୍ପାଦନ ଉପରେ ଷ୍ଟାମ୍ପ ଡ୍ୟୁଟିର ପୁନଃମୂଲ୍ୟାୟନ କରିବା ଏବଂ ବୃଦ୍ଧି କାର୍ଯ୍ୟକାରୀ ହେବା ପୂର୍ବରୁ ପାର୍ଥକ୍ୟ ଷ୍ଟାମ୍ପ ଡ୍ୟୁଟି ଜମା କରିବାର ବ୍ୟବସ୍ଥା ରହିଛି।

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ୫ ଅଗଷ୍ଟ ୨୦୦୮ର ବିଜ୍ଞପ୍ତି ଅନୁସାରେ ଷ୍ଟାମ୍ପ ଡ୍ୟୁଟି ୫ ପ୍ରତିଶତ ଏବଂ ରେଜିଷ୍ଟ୍ରେସନ୍ ଫି’ ୨ ପ୍ରତିଶତ ହାରରେ ଆଦାୟ ହେବା କଥା।

CAG ଉଠାଇଲା ପ୍ରଶ୍ନ

ଅଡିଟ୍‌ରେ କୁହାଯାଇଛି ଯେ ନୂଆଗାଁ ଖଣି କ୍ଷେତ୍ରରେ ଡିଡିଏମ୍, କେନ୍ଦୁଝର ପକ୍ଷରୁ ପାର୍ଥକ୍ୟ ଷ୍ଟାମ୍ପ ଡ୍ୟୁଟି ଓ ରେଜିଷ୍ଟ୍ରେସନ୍ ଫି’ ପୁନଃମୂଲ୍ୟାୟନ ପାଇଁ ଡିଏସ୍‌ଆରଙ୍କୁ ଅବଗତ କରାଯାଇଥିଲା। କିନ୍ତୁ ପୁନଃମୂଲ୍ୟାୟନରେ ମଧ୍ୟ ତ୍ରୁଟି ଥିବା CAG ଦର୍ଶାଇଛି।

ଅନ୍ୟପକ୍ଷରେ ଗନ୍ଧମାର୍ଦ୍ଦନ ଓ କାଳିଆପାଣି ଖଣିରେ ଉତ୍ପାଦନ ବୃଦ୍ଧି ବିଷୟକୁ ସମ୍ପୃକ୍ତ ପଞ୍ଜୀକରଣ କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଇ ପାର୍ଥକ୍ୟ ଶୁଳ୍କ ଆଦାୟ କରିବା ଦିଗରେ ପଦକ୍ଷେପ ନିଆଯାଇନଥିବା ଅଡିଟ୍ ଉଲ୍ଲେଖ କରିଛି।

୧୪୮.୪୬ କୋଟି ରାଜସ୍ୱ ଅଟକିଲା

ତିନୋଟି ଖଣିରେ ମୋଟ ୧,୨୪,୨୫,୨୦୨ ମେଟ୍ରିକ୍ ଟନ୍ ବର୍ଦ୍ଧିତ ଉତ୍ପାଦନ ପରିମାଣ ଉପରେ ପାର୍ଥକ୍ୟ ଷ୍ଟାମ୍ପ ଡ୍ୟୁଟି ଓ ରେଜିଷ୍ଟ୍ରେସନ୍ ଫି’ ଆଦାୟ ହୋଇନଥିଲା। ଏହାରୁ ସରକାରଙ୍କ ୧୪୮.୪୬ କୋଟି ଟଙ୍କାର ରାଜସ୍ୱ ଅନାଦାୟ ହୋଇଥିବା CAG ରିପୋର୍ଟରେ ଦର୍ଶାଯାଇଛି।

ଏହି ପ୍ରସଙ୍ଗରେ ସରକାରଙ୍କୁ ଡିସେମ୍ବର ୨୦୨୪ରେ ଅବଗତ କରାଯାଇଥିଲା। ତେବେ ଅଡିଟ୍ ରିପୋର୍ଟରେ ଉଲ୍ଲେଖ ଅନୁସାରେ, ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ ସରକାରଙ୍କ ଉତ୍ତରକୁ ଅପେକ୍ଷା କରାଯାଇଥିଲା।

ପୂର୍ବ ସରକାର ଥିବା ବେଳେ ଏହି ଚୋରି ହେଇଥିବା ବେଳେ ଏ ଠକେଇ ଟଙ୍କା ବିଜେଡି ପ୍ୟାକେଟ କୁ ଯାଇଥିବା ଚର୍ଚ୍ଚା ହେଉଛି। ଏହା ଯଦି ସତ ହୁଏ ଏବେ ମୁଖ୍ୟମନ୍ତ୍ରୀ ନିଜ ଜିଲ୍ଲାର ଆଉ କେତେ ଠକଙ୍କୁ ବାନ୍ଧି ପାରିବେ ତାହା ଦେଖିବାକୁ ରହିଲା।

Leave a Reply

Your email address will not be published. Required fields are marked *