ଭୁବନେଶ୍ୱର: ଖଣିର ବାର୍ଷିକ ଉତ୍ପାଦନ କ୍ଷମତା ବୃଦ୍ଧି ପାଇଥିଲେ ମଧ୍ୟ ବର୍ଦ୍ଧିତ ଉତ୍ପାଦନ ପରିମାଣ ଉପରେ ପାର୍ଥକ୍ୟ ଷ୍ଟାମ୍ପ ଶୁଳ୍କ (SD) ଓ ପଞ୍ଜୀକରଣ ଶୁଳ୍କ (RF) ଆଦାୟ କରାଯାଇନଥିବା ଘଟଣା ସାମ୍ନାକୁ ଆସିଛି। ଏହା ଫଳରେ ସରକାରଙ୍କ ୧୪୮.୪୬ କୋଟି ଟଙ୍କାର ରାଜସ୍ୱ ଆଦାୟ ହୋଇପାରିନଥିବା CAG ଅଡିଟ୍ରେ ଦର୍ଶାଯାଇଛି।
ଭାରତୀୟ ଷ୍ଟାମ୍ପ ଅଧିନିୟମ, ୧୮୯୯ର ଓଡ଼ିଶା ସଂଶୋଧନ ଅନୁସାରେ, ନିର୍ଦ୍ଦିଷ୍ଟ ପ୍ରକାରର ଦୀର୍ଘମିଆଦୀ ଲିଜ୍ରେ ଷ୍ଟାମ୍ପ ଶୁଳ୍କ ଆଦାୟର ବ୍ୟବସ୍ଥା ରହିଛି। ଖଣି ଯୋଜନାରେ ପରିବର୍ତ୍ତନ ଯୋଗୁଁ ଉତ୍ପାଦନ ସ୍ତର ବଢ଼ିଲେ, ସେହି ବର୍ଦ୍ଧିତ ପରିମାଣ ଅନୁଯାୟୀ ଶୁଳ୍କର ପୁନଃମୂଲ୍ୟାୟନ ଆବଶ୍ୟକ ଥିଲା।
CAG ପକ୍ଷରୁ ଜାନୁଆରୀ ୨୦୧୯ରୁ ମାର୍ଚ୍ଚ ୨୦୨୩ ମଧ୍ୟରେ କେନ୍ଦୁଝର ଓ ଯାଜପୁରର ଦୁଇଟି ଜିଲ୍ଲା ଉପ-ନିବନ୍ଧକ (DSR) କାର୍ଯ୍ୟାଳୟରେ ପଞ୍ଜୀକୃତ ଖଣି ଲିଜ୍ ଦଲିଲ ଯାଞ୍ଚ କରାଯାଇଥିଲା। ଏହା ସହ ଇସ୍ପାତ ଓ ଖଣି ବିଭାଗ ଅଧୀନରେ କେନ୍ଦୁଝର ଓ ଯାଜପୁରର ଖଣି ଉପ-ନିର୍ଦ୍ଦେଶକ (DDM) କାର୍ଯ୍ୟାଳୟର ଖଣି ଯୋଜନା ଓ ଉତ୍ପାଦନ ସମ୍ପର୍କିତ ରେକର୍ଡ ମଧ୍ୟ ଯାଞ୍ଚ ହୋଇଥିଲା।
ଅଡିଟ୍ରେ ଜଣାପଡ଼ିଥିଲା ଯେ, ଖଣି ଯୋଜନାରେ ପରିବର୍ତ୍ତନ ପରେ ତିନୋଟି ଖଣିର ପ୍ରମୁଖ ଖଣିଜର ବାର୍ଷିକ ଉତ୍ପାଦନ ସ୍ତର ବଢ଼ିଥିଲା। କିନ୍ତୁ ବର୍ଦ୍ଧିତ ଉତ୍ପାଦନ ପରିମାଣ ଉପରେ ଷ୍ଟାମ୍ପ ଶୁଳ୍କ ଓ ପଞ୍ଜୀକରଣ ଶୁଳ୍କର ପାର୍ଥକ୍ୟ ଆଦାୟ କରାଯାଇନଥିଲା।
ନୂଆଗାଁ ଖଣିରେ ସର୍ବାଧିକ ବର୍ଦ୍ଧିତ ପରିମାଣ
ଭାରତୀୟ ଖଣି ବ୍ୟୁରୋ ଦ୍ୱାରା ଅକ୍ଟୋବର ୨୦୨୦ରେ ଅନୁମୋଦିତ ସଂଶୋଧିତ ଖଣି ଯୋଜନା ଅନୁସାରେ, ନୂଆଗାଁ ଲୁହାପଥର ବ୍ଲକର ବାର୍ଷିକ ଉତ୍ପାଦନ ସୀମା ୨ କୋଟି ମେଟ୍ରିକ୍ ଟନ୍ ହୋଇଥିଲା। ଏହା ଫଳରେ ମୂଳ ଉତ୍ପାଦନ ପରିମାଣ ତୁଳନାରେ ୧,୨୪,୦୯,୭୪୨ ମେଟ୍ରିକ୍ ଟନ୍ ଉତ୍ପାଦନ ବୃଦ୍ଧି ପାଇଥିଲା।
ଅଡିଟ୍ ଅନୁସାରେ, ଏହି ବର୍ଦ୍ଧିତ ପରିମାଣ ଉପରେ ଷ୍ଟାମ୍ପ ଶୁଳ୍କ ଓ ପଞ୍ଜୀକରଣ ଶୁଳ୍କ ମେସର୍ସ JSW ଠାରୁ ଆଦାୟ କରାଯିବାର ଥିଲା।
ଗନ୍ଧମାର୍ଦ୍ଦନ ଓ କାଳିଆପାଣି ଖଣିରେ ମଧ୍ୟ ଅନିୟମିତତା
ଗନ୍ଧମାର୍ଦ୍ଦନ ଲୁହାପଥର ଖଣିରେ ବାର୍ଷିକ ଉତ୍ପାଦନ ପରିମାଣ ୯୧,୧୫,୬୮୦ ମେଟ୍ରିକ୍ ଟନ୍ରୁ ୯୧,୨୦,୦୦୦ ମେଟ୍ରିକ୍ ଟନ୍କୁ ବଢ଼ିଥିଲା। ଅର୍ଥାତ୍ ଉତ୍ପାଦନରେ ୪,୩୨୦ ମେଟ୍ରିକ୍ ଟନ୍ ବୃଦ୍ଧି ହୋଇଥିଲା।
ସେହିପରି ଯାଜପୁରର କାଳିଆପାଣି କ୍ରୋମାଇଟ୍ ଖଣିରେ ବାର୍ଷିକ ଉତ୍ପାଦନ ପରିମାଣ ୨,୦୩,୮୬୦ ମେଟ୍ରିକ୍ ଟନ୍ରୁ ୨,୧୫,୦୦୦ ମେଟ୍ରିକ୍ ଟନ୍କୁ ବଢ଼ିଥିଲା। ଏଠାରେ ୧୧,୧୪୦ ମେଟ୍ରିକ୍ ଟନ୍ ଉତ୍ପାଦନ ବୃଦ୍ଧି ହୋଇଥିଲା।
CAG ଅନୁସାରେ, ଏହି ଦୁଇଟି ଖଣିରେ ଉତ୍ପାଦନ ପରିମାଣ ବୃଦ୍ଧି ହୋଇଥିଲେ ମଧ୍ୟ ସମ୍ପୃକ୍ତ DDMମାନେ ଏହି ମାମଲାକୁ ପଞ୍ଜୀକରଣ କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଇ SD ଓ RFର ପୁନଃମୂଲ୍ୟାୟନ କରାଇନଥିଲେ।
ଫଳରେ କେନ୍ଦୁଝର ଓ ଯାଜପୁରର ଏହି ତିନୋଟି ଖଣିରେ ବର୍ଦ୍ଧିତ ଉତ୍ପାଦନ ଉପରେ ପାର୍ଥକ୍ୟ ଷ୍ଟାମ୍ପ ଶୁଳ୍କ ଓ ପଞ୍ଜୀକରଣ ଶୁଳ୍କ ଆଦାୟ ହୋଇନଥିଲା। CAG ରିପୋର୍ଟରେ ଏହା ଫଳରେ ୧୪୮.୪୬ କୋଟି ଟଙ୍କାର ସରକାରୀ ରାଜସ୍ୱ ଅସୁଲ ହୋଇନଥିବା ଦର୍ଶାଯାଇଛି।
ଏହି ପ୍ରସଙ୍ଗରେ ସରକାରଙ୍କୁ ଡିସେମ୍ବର ୨୦୨୪ରେ ଅବଗତ କରାଯାଇଥିଲା। ତେବେ ଅକ୍ଟୋବର ୨୦୨୫ ସୁଦ୍ଧା ଏହାର ଉତ୍ତର ଅପେକ୍ଷାରେ ଥିବା CAG ରିପୋର୍ଟରେ ଉଲ୍ଲେଖ ରହିଛି।

