ଭୁବନେଶ୍ୱର : ନେତାଙ୍କଠାରୁ ଆରମ୍ଭ କରି ଅଭିନେତା, ପୋଲିସ, ସାମ୍ବାଦିକ ଓ ଆଇନଜୀବୀ। ସମସ୍ତେ ଗୋଟିଏ ପଡ଼ିଆରେ, ଗୋଟିଏ ଖେଳରେ। ଏଭଳି ଏକ ନିଆରା ବନ୍ଧୁତ୍ୱପୂର୍ଣ୍ଣ ଦିବାରାତ୍ର ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଭୁବନେଶ୍ୱରର ନମ୍ବର-୧ ଫୁଟବଲ୍ ଏକାଡେମୀ ପରିସରରେ ଡିସିଏଲ୍ ପକ୍ଷରୁ ଆୟୋଜିତ ହୋଇଥିଲା। ଏହି ପ୍ରତିଯୋଗିତାରେ ରାଜନେତା ଏକାଦଶ ଚାମ୍ପିୟନ ହୋଇ ଡିସିଏଲ୍ ଟ୍ରଫି ହାତେଇଛି।
ଟୁର୍ଣ୍ଣାମେଣ୍ଟରେ ମୋଟ ୮ଟି ଦଳ ଦୁଇଟି ଗ୍ରୁପ୍ରେ ବିଭକ୍ତ ହୋଇ ଅଂଶଗ୍ରହଣ କରିଥିଲେ। ରାଜନେତା ଏକାଦଶ, ଓଲିଉଡ୍ ଏକାଦଶ, ଗଣମାଧ୍ୟମ ଏକାଦଶ, ଆଇନଜୀବୀ ଏକାଦଶ, ଅଗ୍ନିଶମ ବାହିନୀ, ଷଷ୍ଠ ବାଟାଲିୟନ, ପୋଲିସ ଲାଇନ୍ ଓ ସଚିବାଳୟ ଏକାଦଶ ଏଥିରେ ସାମିଲ ହୋଇଥିଲେ।
ପ୍ରତିଯୋଗିତାର ସେମିଫାଇନାଲ୍ରେ ପୋଲିସ ଲାଇନ୍ ଏକାଦଶ ୨-୦ ଗୋଲ୍ରେ ଷଷ୍ଠ ବାଟାଲିୟନକୁ ପରାସ୍ତ କରି ଫାଇନାଲ୍ରେ ପହଞ୍ଚିଥିଲା। ସେହିପରି ଅନ୍ୟ ଏକ ସେମିଫାଇନାଲ୍ରେ ରାଜନେତା ଏକାଦଶ ୨-୦ ଗୋଲ୍ରେ ଆଇନଜୀବୀ ଏକାଦଶକୁ ହରାଇ ଫାଇନାଲ୍କୁ ଉନ୍ନୀତ ହୋଇଥିଲା। ଫାଇନାଲ୍ ମ୍ୟାଚ୍ରେ ରାଜନେତା ଏକାଦଶ ପୁଣି ନିଜର ଦମ୍ ଦେଖାଇ ପୋଲିସ ଲାଇନ୍କୁ ୨-୦ ଗୋଲ୍ରେ ପରାସ୍ତ କରି ଚାମ୍ପିୟନ ହୋଇଥିଲା।
ଟୁର୍ଣ୍ଣାମେଣ୍ଟର ଅନ୍ୟତମ ଆକର୍ଷଣ ଥିଲା ମହିଳାଙ୍କ ପ୍ରଦର୍ଶନୀ ମ୍ୟାଚ୍। ଓଲିଉଡ୍ ଅଭିନେତ୍ରୀ ଏକାଦଶ ଓ ମହିଳା ସାମ୍ବାଦିକା ଏକାଦଶ ମଧ୍ୟରେ ଅନୁଷ୍ଠିତ ଏହି ମ୍ୟାଚ୍ ଦର୍ଶକଙ୍କ ମନ ଜିଣିଥିଲା। ମ୍ୟାଚ୍ରେ ମହିଳା ସାମ୍ବାଦିକା ଏକାଦଶ ପରାଜିତ ହୋଇଥିଲେ ମଧ୍ୟ ଶେଷ ପର୍ଯ୍ୟନ୍ତ ଲଢ଼ୁଆ ପ୍ରଦର୍ଶନ କରିଥିଲେ। ଓଲିଉଡ୍ ଅଭିନେତ୍ରୀ ଏକାଦଶର ମାମାଲୀ ମିଶ୍ରଙ୍କୁ ଶ୍ରେଷ୍ଠ ମହିଳା ଖେଳାଳି ଭାବେ ପୁରସ୍କୃତ କରାଯାଇଥିଲା।
କାର୍ଯ୍ୟକ୍ରମରେ ବିଧାୟକ ଅରୁଣ କୁମାର ସାହୁ, ରମେଶ ଜେନା, ଡ. ଫକୀର ମୋହନ ନାୟକ, ଅଭିନେତା ସିଦ୍ଧାନ୍ତ ମହାପାତ୍ର, ସୋଫିଆ ଫିର୍ଦୋଷ, ପୂର୍ବତନ ବିଧାୟକ ସୁରେଶ କୁମାର ରାଉତରାୟ, ମହମ୍ମଦ ମୁକିମ, ସମାଜସେବୀ ହିମାଂଶୁ ଭୂଷଣ କର ଓ ଶିବରାଜ ଠାକୁର ପ୍ରମୁଖ ଯୋଗଦେଇ ବିଜେତା ଓ ରନର୍ସଅପ୍ ଦଳକୁ ଟ୍ରଫି ପ୍ରଦାନ କରିଥିଲେ।
ବ୍ୟକ୍ତିଗତ ପୁରସ୍କାର ବର୍ଗରେ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ଭାବେ ବିଧାୟକ ଡ. ଫକୀର ମୋହନ ନାୟକ, ଶ୍ରେଷ୍ଠ ଫରୱାର୍ଡ ଭାବେ ପୋଲିସ ଲାଇନ୍ର ସନାତନ ମୁଣ୍ଡା, ଶ୍ରେଷ୍ଠ ମିଡ୍ଫିଲ୍ଡର ଭାବେ ଆଇନଜୀବୀ ଏକାଦଶର ଅଂଶୁମାନ ରାୟ, ଶ୍ରେଷ୍ଠ ଡିଫେଣ୍ଡର ଭାବେ ପୋଲିସ ଲାଇନ୍ର ସୁଶାନ୍ତ ମାଝୀ ଏବଂ ଶ୍ରେଷ୍ଠ ଗୋଲକିପର ଭାବେ ହିମାଂଶୁ ମହାପାତ୍ର ପୁରସ୍କୃତ ହୋଇଥିଲେ। ଆଇନଜୀବୀ ଏକାଦଶକୁ ଫେୟାର ପ୍ଲେ ଆୱାର୍ଡ ପ୍ରଦାନ କରାଯାଇଥିଲା।
ସମସ୍ତ ମ୍ୟାଚ୍ର ଧାରାବିବରଣୀକୁ କମେଣ୍ଟ୍ରି ମାଧ୍ୟମରେ ଆକର୍ଷଣୀୟ କରିଥିଲେ କେ.ପି. ଓ ଲୋକନାଥ ପାଣିଗ୍ରାହୀ। ଡିସିଏଲ୍ ଚାମ୍ପିୟନର ମୁଖ୍ୟ ତଥା ସଭାପତି ଶେଖ୍ ଗୁଲଜାର ଏବଂ ସମ୍ପାଦକ ଚିରଞ୍ଜିବଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଉଲ୍ଲାସ, ଦୀପକ, ମୁକେଶ, ମୌସୁମୀ ଓ ଦେବସ୍ମିତା ପ୍ରମୁଖ ପରିଚାଳନା କରିଥିଲେ।
ଏହି ଟୁର୍ଣ୍ଣାମେଣ୍ଟ କେବଳ ଏକ ଖେଳ ପ୍ରତିଯୋଗିତା ନୁହେଁ, ବରଂ ବିଭିନ୍ନ ବୃତ୍ତି ଓ କ୍ଷେତ୍ରର ବ୍ୟକ୍ତିତ୍ୱଙ୍କୁ ଏକାଠି କରି ବନ୍ଧୁତ୍ୱ ଓ ସାମାଜିକ ସଦ୍ଭାବର ଏକ ସୁନ୍ଦର ଉଦାହରଣ ସୃଷ୍ଟି କରିଥିଲା।

