ଭୁବନେଶ୍ୱର: ପ୍ରକାଶ ପାଇଲା ଜେଇଇ ମେନ୍ ପ୍ରବେଶିକା ପରୀକ୍ଷା ଫଳ । ପରୀକ୍ଷାରେ ୨୪ଜଣ ଛାତ୍ରଛାତ୍ରୀ ଟପ୍ପର୍ ତାଲିକାରେ ରହିଛନ୍ତି। ମାତ୍ର ଏଥିରେ ଓଡ଼ିଶାରୁ କୌଣସି ଛାତ୍ରଛାତ୍ରୀ ଏଥିରେ ସ୍ଥାନ ପାଇନଥିବାବେଳେ ତାଲିକାରେ ତେଲେଙ୍ଗାନାରୁ ସର୍ବାଧିକ ୮, ଦିଲ୍ଲୀରୁ ୫, ରାଜସ୍ଥାନରୁ ୪, ଆନ୍ଧ୍ରପ୍ରଦେଶରୁ ୩, ହରିଆଣାରୁ ୨, ମହାରାଷ୍ଟ୍ର ଓ ଗୁଜୁରାଟରୁ ଜଣେ ଲେଖାଏଁ ଛାତ୍ରଛାତ୍ରୀ ରହିଛନ୍ତି। ଓଡିଶା ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୌରଭ ସୌମ୍ୟକାନ୍ତ ଦାସ ଟପ୍ପର ହୋଇଛନ୍ତି।
jeemain.nta.nic.inରୁ ଛାତ୍ରଛାତ୍ରୀ ରେଜଲ୍ଟ ଦେଖିପାରିବେ। ଜେଇଇ ମେନ୍ ଶ୍ରେଷ୍ଠ ୨ଲକ୍ଷ ୫୦ ହଜାର ଛାତ୍ରଛାତ୍ରୀ ଜେଇଇ ଆଡଭାନ୍ସଡ୍ ପାଇଁ ଆବେଦନ କରିପାରିବେ। ଜେଇଇ ଆଡଭାନ୍ସଡ୍ରେ ର୍ୟାଙ୍କ୍ ହାସଲ କରିବା ପରେ ଛାତ୍ରଛାତ୍ରୀ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ବା ଆଇଆଇଟିରେ ନାମ ଲେଖାଇ ପାରିବେ। ସେପ୍ଟେମ୍ବର ୧୭ ତାରିଖ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଜେଇଇ ଆଡଭାନ୍ସ ପାଇଁ ଆବେଦନ କରିହେବ। ୧୮ ତାରିଖ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଫି’ ଦାଖଲ କରିହେବ ବୋଲି ଜେଇଇ ଆଡଭାନ୍ସଡ୍ ପରୀକ୍ଷା ପରିଚାଳନା କରୁଥିବା ଆଇଆଇଟି ଦିଲ୍ଲୀ ପକ୍ଷରୁ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ଜେଇଇ ଆଡଭାନ୍ସଡ୍ ପରୀକ୍ଷା ସେପ୍ଟେମ୍ବର ୨୭ ତାରିଖରେ ହେବ। ପ୍ରଥମ ସିଟିଂରେ ପେପର୍-୧ ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହୋଇ ୧୨ଟାରେ ସରିବ। ଦ୍ୱିତୀୟ ସିଟିଂରେ ପେପର୍-୨ ପରୀକ୍ଷା ଅପରାହ୍ଣ ୨ଟା ୩୦ରୁ ଆରମ୍ଭ ହୋଇ ୫ଟା ୩୦ରେ ସରିବ। ଜେଇଇ ଆଡଭାନ୍ସଡ୍ ଫଳ ଅକ୍ଟୋବର ୫ରେ ପ୍ରକାଶ ପାଇବ।