- ଜାତୀୟ ଗଣମାଧ୍ୟମ ମହାସମ୍ମିଳନୀର ଚତୁର୍ଥ ସଂସ୍କରଣ ଅନଲାଇନ୍ରେ ଆୟୋଜିତ ହେବାକୁ ଯାଉଛି ।
- ୧୦୦ ରୁ ଅଧିକ ଗବେଷଣାତ୍ମକ ସଂର୍ନ୍ଧଭ ପାଠ ହେବାର କାର୍ଯ୍ୟକ୍ରମ ରହିଛି ।
- ୮୦୦ ରୁ ଉର୍ଦ୍ଧ ଗବେଷକ, ବିଶେଷଜ୍ଞ, ଶିକ୍ଷାବିତ ଏବଂ ଛାତ୍ରଛାତ୍ରୀ ସମ୍ମିଳନୀର ସିଧାପ୍ରସାରଣରେଯୋଗଦେବେ ।
ଭୁବନେଶ୍ୱର: ପୂର୍ବ ଭାରତର ସବୁଠାରୁ ବଡ଼ ଏବଂ ଆର୍କଷଣୀୟ ମିଡ଼ିଆ ମହାକୁମ୍ଭର ଚତୁର୍ଥ ସଂଷ୍କରଣର ଇ-ଉଦ୍ଘାଟନ ପାଇଁ ଭର୍ଚୁଆଲ ମଂଚ ପ୍ରସ୍ତୁତ । ପୂର୍ବତନ ମୂଖ୍ୟମନ୍ତ୍ରୀ ଡଃ ହରେକୃଷ୍ଣ ମହତାବଙ୍କ ୧୨୧ତମ ଜନ୍ମବାର୍ଷିକ ଉପଲକ୍ଷେ, ଆସନ୍ତା ୨୧ ନଭେମ୍ବର ଠାରୁ ଏହି ଦୁଇ ଦିନିଆ ଜାତୀୟ ଗଣମାଧ୍ୟମ ମହାସମ୍ମିଳନୀ ଅନ୍ଲାଇନ୍ରେ ଅନୁଷ୍ଟିତ ହେବାକୁ ଯାଉଛି ।
ସୂଚନାଯୋଗ୍ୟ ଯେ, ଗତ ତିନି ବର୍ଷ ଧରି ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନ ସ୍ଥାନୀୟ ଇନିଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍ (ଆଇ.ଏମ.ଏସ୍) ଦ୍ୱାରା ଏହି ମହାସମ୍ମିଳନୀ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଆସୁଛିି । କିନ୍ତୁ ଏବର୍ଷ କରୋନା କଟକଣାକୁ ଆଖି ଆଗରେ ରଖି ଏହି ସମ୍ମିଳନୀ ଅନଲାଇନ୍ରେ ଅନୁଷ୍ଠିତ ହେବ । ଦେଶ ଓ ବିଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ପ୍ରାୟ ୮୦୦ ରୁ ଅଧିକ ଜ୍ଞାନୀ, ବିଜ୍ଞାନୀ, ଗବେଷକ, ବିଦ୍ୟାର୍ଥୀ, ବୁଦ୍ଧିଜୀବି ଏବଂ ରାଜ୍ୟର ବହୁ ସାମ୍ବାଦିକ ଓ ଗଣମାଧ୍ୟମ ଛାତ୍ରଛାତ୍ରୀ ଏହି ସମ୍ବିଳନୀରେ ଅଂଶଗ୍ରହଣ କରିବେ ।
ଏବର୍ଷ ସମ୍ମିଳନୀର ଶୀର୍ଷକ “ସାମାଜିକ ପରିବର୍ତନ ପାଇଁ ଯୋଗାଯୋଗ” ଥିବାବେଳେ, ଏଥିରେ ୧୦୦ରୁ ଉର୍ଦ୍ଧ୍ୱ ବିଶେଷଜ୍ଞ ସେମାନଙ୍କର ଗବେଷଣାତ୍ମକ ସନ୍ଦର୍ଭ ୪ଟି ବୈଷୟିକ କର୍ମଶାଳାରେ ଉପସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି । ବର୍ତମାନ ଦ୍ରୁତ ପରିବର୍ତନଶିଳ ସମାଜରେ ଯୋଗାଯୋଗ ଓ ଗଣମାଧ୍ୟମର ଭୁମିକା ଗୁରୁତ୍ୱପୂର୍ଣ୍ଣ । ସାମାଜିକ ପରିବର୍ତନ ପାଇଁ ସମାଜର ପ୍ରତି ବର୍ଗର ଅବଦାନ ଥିବାବେଳେ ସଠିକ ଯୋଗାଯୋଗ, ତଥ୍ୟଭିତିକ ଆଲୋଚନା, ଭାଗୀଦାରି ଗଣମାଧ୍ୟମ, ଗୋଷ୍ଠୀ ଭିତିକ ସହଯୋଗ ଆଦି ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥାଏ । ଡି଼ଜିଟାଲ ଯୁଗରେ, କମ୍ପୁଟର, ମୋବାଇଲ, ଲାପ୍ଟପ୍ ଆଦି ବୈଷୟିକ ଯନ୍ତ୍ରପାତିର ସମାଜ ଉପରେ ପ୍ରଭାବ ଇତ୍ୟାଦି ଆଲୋଚନା ହେବ ବୋଲି ସମ୍ମିଳନୀର ଅଧ୍ୟକ୍ଷ ଏବଂ ଆଇ.ଏମ୍.ଏସ୍.ର ନିର୍ଦ୍ଦେଶକ ପ୍ରଫେସର ଉପେନ୍ଦ୍ର ପାଢୀ ସୂଚନା ଦେଇଛନ୍ତି ।
ଏହାକୁ ମାନ୍ୟବର କେନ୍ଦ୍ରମନ୍ତ୍ରୀ ପେଟ୍ରୋଲିୟମ୍ ଓ ପ୍ରାକୃତିକ ଇନ୍ଧନ ଧର୍ମେନ୍ଦ୍ର ପ୍ରଧାନ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ଥିବା ବେଳେ ଏହି ଉତ୍ସବରେ ଲୋକସଭା ସାଂସଦ ଏବଂ ପ୍ରଜାତନ୍ତ୍ରର ସମ୍ପାଦକ ଭର୍ତୁହରି ମହତାବ, ସି.ଇ.ସି. ର ନିର୍ଦ୍ଧେଶକ ପ୍ରଫେସର ଜଗତଭୂଷଣ ନଡ୍ଡା, ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ, ଏମ.ଜି.ଏମ ବିଶ୍ୱବିଦ୍ୟାଳୟର କୁଳପତି ସୁଧିର ଗାଭାନେ, ହରିଦେବ ଯୋଶୀ ସାମ୍ବାଦିକ ଓ ଗଣମାଧ୍ୟମ ବିଶ୍ୱବିଦ୍ୟାଳୟ, ଜୟପୁରର କୁଳପତି ପ୍ରଫେସର୍ ଓମ୍ ପ୍ରକାଶ ତାନ୍ଭି, କୁସଭାଉ ଥାକ୍ରେ ସାମ୍ବାଦିକ ଓ ଗଣମାଧ୍ୟମ ବିଶ୍ୱବିଦ୍ୟାଳୟର କୁଳପାତି ପ୍ରଫେସର୍ ବଳଦେବ ଶର୍ମା, ତେଜପୁର ବିଶ୍ୱବିଦ୍ୟାଳୟର ପ୍ରଫେସର ସୁନିଲ କାନ୍ତ ବେହେରା ଏବଂ ଆଦାମସ ବିଶ୍ୱବିଦ୍ୟାଳୟର ପ୍ରଫେସର ଉଜ୍ଜଳ ଚୌଧୁରୀ ଅଂଶଗ୍ରହଣ କରିବେ ।
ସମ୍ମିଳନୀର ପ୍ରଥମ ଦିନରେ ଗଣମାଧ୍ୟମର ବିଭିନ୍ନ ବିଷୟବସ୍ତୁ ଉପରେ ଆଧାରିତ ତିନିଗୋଟି ପ୍ଲେନାରି ଅଧିବେଶନ ଅନୁଷ୍ଠିତ ହେବ । ଏଥିରେ ଜାମିୟା ମିଲିୟା ଇସଲାମିୟା ବିଶ୍ୱବିଦ୍ୟାଳୟର ବିଭାଗୀୟ ନିର୍ଦ୍ଧେଶକ ପ୍ରଫେସର ବିଶ୍ୱଜିତ ଦାସ, କାଲିଫର୍ଣ୍ଣିୟା ବିଶ୍ୱବିଦ୍ୟାଳୟର ଗଣ ଯୋଗାଯୋଗ ବିଭାଗର ପ୍ରଫେସର ଦେବେନ୍ଦ୍ର ଶର୍ମା , ହାଇଦରାବାଦ୍ ବିଶ୍ୱବିଦ୍ୟାଳୟ ଗଣ ଯୋଗାଯୋଗ ବିଭାଗର ବରିଷ୍ଠ ପ୍ରଫେସର ବିନୋଦ ପାଭାରାଲା , ଗୁଜରାଟ ବିଶ୍ୱବିଦ୍ୟାଳୟ, ଅହମଦାବାଦ୍ ସାମ୍ବାଦିକତା ଏବଂ ଗଣଯୋଗାଯୋଗ ବିଭାଗର ମୁଖ୍ୟ ପ୍ରଫେସର୍ ସୋନାଲ ପାଣ୍ଡ୍ୟା ଏବଂ ଡି.ଏମ୍.ଇ. ମିଡିଆ ସ୍କୁଲ୍, ନୋଇଡା ର ଅଧ୍ୟକ୍ଷ ଡ. ଅମ୍ବ୍ରିସ୍ ସକ୍ସେନା ପ୍ରମୁଖ ଭାଗୀଦାରି ଗଣମାଧ୍ୟମ ଓ ଗଣ ଯୋଗାଯୋଗ ଉପରେ ଆଲୋଚନା କରିବେ ।
ବିଭିନ ଅଧିବେଶନରେ ଲିଙ୍ଗଗତ ସମାନତା ଓ ଗଣମାଧ୍ୟମର ଭୂମିକା, ବୈଷୟିକ ଯୋଗାଯୋଗ, ସାମାଜିକ ପରିବର୍ତନ ଓ ସ୍ଥାୟୀ ବିକାଶମୁଖୀ ଲକ୍ଷ୍ୟ ଆଦି ବିଷୟବସ୍ତୁ ଉପରେ ଆଲୋଚନା ଅନୁଷ୍ଠିତ ହେବ । ଏହି ଦୁଇଦିନିଆ ସମ୍ମିଳନୀଟି ଫେସ୍ବୁକ୍ (ସଦ୍ଭଜ୍ଞମ୨୦୨୦)ଏବଂ ୟୁଟ୍ୟୁବ୍ (ସଜ୍ଞଗ୍ଦକ୍ଟୟସଷଗ୍ଦବ) ରେ ସିଧାପ୍ରସାରଣ ହେବ ।
ଉଦ୍ଯାପନୀ ସମାରୋହରେ ଡଃ ଆମ୍ବେଦକର ଫାଉଣ୍ଡେସନର ନିର୍ଦ୍ଧେଶକ ଡଃ ଦେବେନ୍ଦ୍ର ପ୍ରସାଦ ମାଝି, ମାଖନଲାଲ୍ ଚତୁର୍ବେଦୀ ଜାତୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର୍ କେ.ଜି. ସୁରେଶ, କଲିକତା ସ୍ଥିତ ଦୂରଦର୍ଶନର ବରିଷ୍ଠ ସାମ୍ବାଦିକ ସ୍ନେହାଶିଷ ସୁର ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।