ସମଗ୍ର ବିଶ୍ୱରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି ‘ମଙ୍କିପକ୍ସ’: ଏହି ୨ଦେଶରୁ ଚିହ୍ନଟ ହେଲା ପ୍ରଥମ ମାମଲା

Top Storise ଦେଶ- ବିଦେଶ

ଜେନେଭା: ମାରାକ୍ରକ ମଙ୍କିପକ୍ସ ସାରା ଦୁନିଆରେ ଦ୍ରୁତ ଗତିରେ ମାଡ଼ିଚାଲିଛି । ଏହି ଭାଇରସର ନୂଆ ମାମଲା ଏବେ ସ୍ୱିଜରଲ୍ୟାଣ୍ଡ ଓ ଇସ୍ରାଏଲରେ ଦେଖିବାକୁ ମିଳିଛି । ଉଭୟ ଦେଶ ଆନୁଷ୍ଠାନିକ ଭାବେ ଏହାକୁ ସ୍ପଷ୍ଟ କରିଛନ୍ତି । ନିକଟରେ ଅନେକ ୟୁରୋପୀୟ ଏବଂ ଉତ୍ତର ଆମେରିକୀୟ ଦେଶରେ ଏହି ଭାଇରସ୍ ଚିହ୍ନଟ ହୋଇଛି । ବିଶେଷ କରି ଆଫ୍ରିକୀୟ ଦେଶରୁ ଫେରି ଆସିଥିବା ଲୋକମାନେ ଏହାର ଶିକାର ହେଉଛନ୍ତି ।

କିଛି ସପ୍ତାହ ମଧ୍ୟରେ ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ, ବେଲଜିୟମ, ଇଟାଲୀ, ପର୍ତ୍ତୁଗାଲ, ସ୍ପେନ୍ ଏବଂ ସ୍ୱିଡେନ ସହିତ ଆମେରିକା, କାନାଡା ଏବଂ ଅଷ୍ଟ୍ରେଲିଆରେ ୧୦୦ ରୁ ଅଧିକ ସନ୍ଦିଗ୍ଧ ମାମଲା ଚିହ୍ନଟ ହୋଇଛି । ଏଭଳି ପରିସ୍ଥିତିରେ ଏହି ଭାଇରସ୍ ବିସ୍ତାର ହେବାର ସମ୍ଭାବନା ବଢ଼ିଯାଇଛି ।

ଇସ୍ରାଏଲର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଶୁକ୍ରବାର ଦିନ କହିଛି ଯେ, ଚିହ୍ନଟ ହୋଇଥିବା ବ୍ୟକ୍ତି ବିଦେଶରେ ମଙ୍କିପକ୍ସର ଶିକାର ହୋଇଥିବା ବ୍ୟକ୍ତିଙ୍କ ସହ ସମ୍ପର୍କରେ ଆସିଥିଲେ । ଏବେ ତାଙ୍କୁ ଡାକ୍ତରଖାନାର ଆଇସୋଲେସନ ୱାର୍ଡରେ ରଖାଯାଇଛି ।

ସେହିପରି ଶନିବାର ଦିନ ସ୍ୱିଜରଲ୍ୟାଣ୍ଡ ମଙ୍କିପକ୍ସର ପ୍ରଥମ ମାମଲା ନିଶ୍ଚିତ କରିଛି । ବର୍ନ କ୍ୟାଣ୍ଟନରେ ଜଣେ ବ୍ୟକ୍ତି ଏହି ଭାଇରସ୍ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ସେ ବିଦେଶରୁ ଫେରିଥିଲେ । ଏହି ବ୍ୟକ୍ତି ପ୍ରଥମେ ଜ୍ୱରରେ ପୀଡିତ ହେଲେ ଏବଂ ତା’ପରେ ଦେହ ଫଳିଯାଇଥିଲା । ତାଙ୍କ ସହ ସମ୍ପର୍କରେ ଥିବା ସମସ୍ତ ଲୋକଙ୍କ ପାଖକୁ ଡାକ୍ତରଖାନାରୁ ସୂଚନା ପଠାଯାଇଛି ।

ତେବେ ମଙ୍କିପକ୍ସ ଏକ ବିରଳ ଭାଇରସ୍ ଓ ଏହା ଅତି ସହଜରେ ବ୍ୟାପିନଥାଏ । ଏହି ଭାଇରସ୍ ଉପରେ ଏକ ଅଧ୍ୟୟନ କରାଯାଇଛି । ଏହାର ଲକ୍ଷଣ ବି ସାମାନ୍ୟ । ଆଶ୍ୱସ୍ତିକର ଖବର କି, ଏଥିରେ ପୀଡିତ ରୋଗୀ କିଛି ସପ୍ତାହରେ ଠିକ୍ ହୋଇପାରିବେ । ଅବଶ୍ୟ ଇମ୍ୟୁନିଟି ସିଷ୍ଟମ ଦୁର୍ବଳ ହେଲେ ଏହା ବିପଜ୍ଜନକ ହୋଇପାରେ । ଗତବର୍ଷ ଜୁଲାଇରେ ଆମେରିକାର ଟେକ୍ସାସରେ ଜଣେ ବ୍ୟକ୍ତି ଏହି ଭାଇରସରେ ସଂକ୍ରମିତ ହୋଇଥିଲେ ।

‘ମଙ୍କିପକ୍ସ୍‌’ ଭୂତାଣୁ ବସନ୍ତ ସୃଷ୍ଟି କରାଉଥିବା ‘ଅର୍ଥୋପୋକ୍ସ୍‌ଭାଇରସ୍‌’ ପରିବାରର। ଏହି ଭୂତାଣୁକୁ ବସନ୍ତ ଟିକାରେ ବ୍ୟବହାର କରାଯାଇଥିଲା। ‘ମଙ୍କିପକ୍ସ୍‌’ର ଲକ୍ଷଣ ବସନ୍ତ ଲକ୍ଷଣ ସହ ତୁଳନୀୟ ହେଲେ ବି ଏତେ ସାଙ୍ଘାତିକ ନୁହେଁ। ଟିକାକରଣ ଯୋଗୁଁ ୧୯୮୦ ମସିହାରୁ ବସନ୍ତ ରୋଗ ନିର୍ମୂଳ ହୋଇଯାଇଥିଲେ ବି କେନ୍ଦ୍ରୀୟ ଓ ପଶ୍ଚିମ ଆଫ୍ରିକା ଭଳି କେତେକ ଦେଶରେ ‘ମଙ୍କିପକ୍ସ’ ଭୂତାଣୁ ଏବେ ବି ରହିଛି। ‘ମଙ୍କିପକ୍ସ୍‌’ରେ ଆକ୍ରାନ୍ତ ହେଲେ ଦେହହାତରେ ଫଳି ଯାଇ ଘା’ ହେବା ସହ ଜ୍ବର ହୋଇଥାଏ। ଏହାଛଡ଼ା, କେତେକ ଆକ୍ରାନ୍ତଙ୍କ କ୍ଷେତ୍ରରେ ଜ୍ବର ସହ ଥଣ୍ଡା, ମୁଣ୍ଡବିନ୍ଧା, ମାଂସପେଶୀ ବିନ୍ଧା, ଅବସନ୍ନ ଆଦି ଲକ୍ଷଣ ଦେଖାଯାଏ।

Leave a Reply

Your email address will not be published. Required fields are marked *