ନବୀନ ପଟ୍ଟନାୟକଙ୍କ ବିଦେଶ ଗସ୍ତ ତଦନ୍ତ ପ୍ରସଙ୍ଗ: ବିଜେଡି କାହିଁକି ବିଚଳିତ? : ବିରଂଚି ତ୍ରିପାଠୀ

Top Storise ରାଜନୀତି ରାଜ୍ୟ

ଭୁବନେଶ୍ୱର : ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଦେଶ ଗସ୍ତରେ କଥିତ ଅନିୟମିତତା ଅଭିଯୋଗର ତଦନ୍ତ ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ସମର୍ଥନ କରିଛି ବିଜେପି। ଏହି ପ୍ରସଙ୍ଗରେ ବିଜେଡି ନେତାଙ୍କ ପ୍ରତିକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ବିରଂଚି ନାରାୟଣ ତ୍ରିପାଠୀ।

ଏକ ପ୍ରେସ ବିବୃତିରେ ଶ୍ରୀ ତ୍ରିପାଠୀ କହିଛନ୍ତି, ଜାତୀୟ ସମ୍ପତ୍ତି ହେଉ କିମ୍ବା ଓଡ଼ିଶାର ସାଧାରଣ ଲୋକଙ୍କ ସମ୍ପତ୍ତି, ତାହାର ସୁରକ୍ଷା କରିବା ରାଜ୍ୟ ସରକାରଙ୍କ ଦାୟିତ୍ୱ। ଗଣମାଧ୍ୟମ ଓ ସୂଚନା ଅଧିକାର କର୍ମୀଙ୍କ ପକ୍ଷରୁ ନବୀନ ପଟ୍ଟନାୟକଙ୍କ ବିଦେଶ ଗସ୍ତରେ ଅନିୟମିତତା ନେଇ ଅଭିଯୋଗ ଓ ପ୍ରଶ୍ନ ଉଠାଯାଇଛି। ଏହି ସନ୍ଦେହ ଦୂର କରିବା ଏକ ଲୋକାଭିମୁଖୀ ସରକାରଙ୍କ ଦାୟିତ୍ୱ ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି, ଜନସାଧାରଣଙ୍କ ନିକଟରେ ପ୍ରକୃତ ତଥ୍ୟ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଧିକାରୀସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ତେବେ ତଦନ୍ତ ନିର୍ଦ୍ଦେଶ ପରେ ବିଜେଡି ନେତାମାନେ କାହିଁକି ବିଚଳିତ ହେଉଛନ୍ତି? ବିଜେଡି କ’ଣ ପ୍ରକୃତ ସତ୍ୟ ସାମ୍ନାକୁ ଆସିବାକୁ ଚାହୁଁନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।

ଶ୍ରୀ ତ୍ରିପାଠୀଙ୍କ କହିବା ଅନୁଯାୟୀ, ତଦନ୍ତ ପରେ ହିଁ ବିଦେଶ ଗସ୍ତ ସମ୍ପର୍କିତ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ। ସତ୍ୟର ସାମ୍ନା କରିବା ପାଇଁ ବିଜୁ ଜନତା ଦଳ ପାଖରେ ଧୈର୍ଯ୍ୟ ଓ ସାହସ ନାହିଁ କି ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି।

ଓଡ଼ିଶାର ସମ୍ପତ୍ତି ଓ ଜନସ୍ୱାର୍ଥର ସୁରକ୍ଷା ପାଇଁ ସରକାର ନେଇଥିବା ପଦକ୍ଷେପ ରାଜ୍ୟ ରାଜନୀତି ଇତିହାସରେ ଉଦାହରଣ ସୃଷ୍ଟି କରିବ ବୋଲି ସେ ଦାବି କରିଛନ୍ତି। ନବୀନ ପଟ୍ଟନାୟକଙ୍କ ବିଦେଶ ଗସ୍ତକୁ ନେଇ ଉଠିଥିବା ଅଭିଯୋଗ ଓ ସନ୍ଦେହ ଉପରେ ସେ ଉତ୍ତର ରଖିବା ଆବଶ୍ୟକ। ବିଦେଶ ଗସ୍ତ ଅଧିକ ହେଉ କି କମ୍, ପ୍ରତ୍ୟେକ କ୍ଷେତ୍ରରେ ସ୍ୱଚ୍ଛତା ରହିବା ଜରୁରୀ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି।

Leave a Reply

Your email address will not be published. Required fields are marked *