ଯୋଜନାରୁ କାର୍ଯ୍ୟାନ୍ୱୟନ ଦିଗରେ ଓଡ଼ିଶା: ୬ଟି ପ୍ରମୁଖ ଜଳ ସମ୍ପଦ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା

Top Storise ରାଜ୍ୟ

ଭୁବନେଶ୍ୱର : ରାଜ୍ୟର ଜଳ ସୁରକ୍ଷା, ଜଳବାୟୁ ସହନଶୀଳତା ଓ ପରିବେଶଗତ ସ୍ଥିରତାକୁ ସୁଦୃଢ଼ କରିବା ଦିଗରେ ଆଉ ଏକ ପଦକ୍ଷେପ ନେଇଛି ଓଡ଼ିଶାର ଜଳ ସମ୍ପଦ ବିଭାଗ। ବିଭାଗ ପକ୍ଷରୁ ହାତକୁ ନିଆଯାଇଥିବା ୬ଟି ପ୍ରମୁଖ ପ୍ରକଳ୍ପର ପ୍ରସ୍ତୁତି ଓ ଅଗ୍ରଗତି ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ହୋଇଛି। ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା।

ବୈଠକରେ ବୋଇତ ଯୋଜନା, ନଦୀ ପୁନରୁଦ୍ଧାର, ନଦୀ ମୁହାଣ ଖନନ, ସହରାଞ୍ଚଳ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥାର ଉନ୍ନତି, ଗଙ୍ଗୁଆ ନଦୀର ପୁନରୁଦ୍ଧାର ଏବଂ ଜଳଭଣ୍ଡାରରୁ ପଟୁମାଟି ଅପସାରଣ ଭଳି ୬ଟି ପ୍ରମୁଖ ପଦକ୍ଷେପ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।

ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସହ ଡିଟେଲ୍ଡ ପ୍ରୋଜେକ୍ଟ ରିପୋର୍ଟ (ଡିପିଆର) ପ୍ରସ୍ତୁତି, ବ୍ୟୟ ଅଟକଳ, ବୈଷୟିକ ଅନୁମୋଦନ, ଆବଶ୍ୟକୀୟ ଅନୁମତି ଏବଂ କାର୍ଯ୍ୟାନ୍ୱୟନର ସମୟସୀମା ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ପ୍ରକଳ୍ପଗୁଡ଼ିକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ପ୍ରସ୍ତୁତିମୂଳକ କାର୍ଯ୍ୟ ଓ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଚିହ୍ନଟ ଉପରେ ଗୁରୁତ୍ୱ ଦିଆଯାଇଥିଲା।

ବୋଇତ ଯୋଜନା ଜରିଆରେ ରାଜ୍ୟର ଐତିହାସିକ ଜଳସେଚନ ଭିତ୍ତିଭୂମିକୁ ପର୍ଯ୍ୟଟନ ସହ ଯୋଡ଼ିବା ସହ ଏହାର ସଂରକ୍ଷଣ ଓ ପ୍ରଚାରପ୍ରସାର କରିବାକୁ ଯୋଜନା ରହିଛି। ସେହିପରି ନଦୀ ପୁନରୁଦ୍ଧାର ଓ ନଦୀ ମୁହାଣ ଖନନ ଦ୍ୱାରା ନଦୀର ପରିବେଶଗତ ସ୍ଥିତିରେ ସୁଧାର ଆଣିବା, ଜଳ ନିଷ୍କାସନ କ୍ଷମତା ବଢ଼ାଇବା ଏବଂ ବିଶେଷକରି ଉପକୂଳ ଅଞ୍ଚଳରେ ବନ୍ୟା ଆଶଙ୍କା ହ୍ରାସ କରିବା ଲକ୍ଷ୍ୟ ରହିଛି।

ଅନ୍ୟପକ୍ଷରେ, ସହରାଞ୍ଚଳରେ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥାର ଉନ୍ନତି ଦ୍ୱାରା ଜଳବନ୍ଦୀ ସମସ୍ୟାର ସମାଧାନ, ଗଙ୍ଗୁଆ ନଦୀର ପୁନରୁଦ୍ଧାର ଦ୍ୱାରା ଜଳର ଗୁଣବତ୍ତା ଓ ପରିବେଶରେ ସୁଧାର ଏବଂ ଜଳଭଣ୍ଡାରରୁ ପଟୁମାଟି ଅପସାରଣ ମାଧ୍ୟମରେ ଜଳଧାରଣ କ୍ଷମତା ବୃଦ୍ଧି କରିବା ଉପରେ ଫୋକସ୍ କରାଯାଇଛି।

ସମସ୍ତ ପ୍ରକଳ୍ପରେ ସରକାରଙ୍କ ଅନୁମୋଦିତ ଲକ୍ଷ୍ୟ, ବୈଷୟିକ ମାନଦଣ୍ଡ ଓ ଆର୍ଥିକ ବ୍ୟବସ୍ଥାକୁ ଅନୁପାଳନ କରି ଧାର୍ଯ୍ୟ ସମୟ ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ଶ୍ରୀମତୀ ଶର୍ମା ଗୁରୁତ୍ୱାରୋପ କରିଥିଲେ। ଏଥିସହ ସମସ୍ତ ସମ୍ପୃକ୍ତ ମୁଖ୍ୟ ଯନ୍ତ୍ରୀଙ୍କୁ ପ୍ରସ୍ତୁତିମୂଳକ କାର୍ଯ୍ୟ ତ୍ୱରାନ୍ୱିତ କରିବା ସହ ବିଭିନ୍ନ ସ୍ତରରେ ସମନ୍ୱୟ ରକ୍ଷା କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।

ଜଳ ସମ୍ପଦର ସୁପରିଚାଳନା, ବନ୍ୟା ନିୟନ୍ତ୍ରଣ, ସହରାଞ୍ଚଳର ଜଳ ନିଷ୍କାସନ ଏବଂ ପରିବେଶ ସୁରକ୍ଷାକୁ ଗୁରୁତ୍ୱ ଦେଇ ଏହି ୬ଟି ପ୍ରକଳ୍ପ ରାଜ୍ୟର ଜଳ ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *