ବ୍ରହ୍ମପୁର: ଗୋପାଳପୁର ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଟଣାରେ ଅଶୋକ ନାୟକଙ୍କ ଚିକିତ୍ସା ଅବସ୍ଥାରେ ଗୁରୁବାର ବିଳମ୍ବିତ ରାତିରେ ମୃତ୍ୟୁ ହୋଇଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କ ଚିକିତ୍ସା ଚାଲିଥିଲା।
ଗତ ୨୫ ତାରିଖରେ ଏହି ବିସ୍ଫୋରଣରେ ଆହତ ହୋଇଥିବା ତାଙ୍କ ବାପା ଦେବରାଜ ନାୟକଙ୍କ ମୃତ୍ୟୁ ହୋଇଥିଲା।
ସୂଚନାଯୋଗ୍ୟ ଯେ, ବ୍ରହ୍ମପୁରର ଏକ ଗ୍ୟାସ ଏଜେନ୍ସିରେ ଅଶୋକ ଏବଂ ତାଙ୍କ ଭାଇ ଦୈତାରି ସିଲିଣ୍ଡର ବିତରଣ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ। ହେଲେ ଗତ କିଛି ଦିନ ହେଲା ଉଭୟ ୬୦ରୁ ଅଧିକ ଗ୍ୟାସ ସିଲିଣ୍ଡର ଆଣି ରାମଚନ୍ଦ୍ରପୁର ସ୍ଥିତ ଘରେ ରଖିଥିଲେ।
ଗତ ୨୨ ତାରିଖରେ କୌଣସି ପ୍ରକାରରେ ସେଠାରେ ବିସ୍ଫୋରଣ ହୋଇଥିଲା। ଘରଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ଏଥିରେ ବାପା ଦେବରାଜ ଏବଂ ପୁଅ ଅଶୋକ ପୋଡି ଯାଇଥିଲେ। ଉଭୟଙ୍କୁ ପ୍ରଥମେ ବ୍ରହ୍ମପୁର ବଡ଼ ମେଡିକାଲକୁ ନିଆ ଯାଇଥିଲା। ସେଠାରୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା।
ଅବସ୍ଥା ଗୁରୁତର ହେବା ପରେ ଭୁବନେଶ୍ୱରର ଏକ ଘରୋଇ ମେଡ଼ିକାଲକୁ ନିଆ ଯାଇଥିଲା। ଏହି ଘଟଣାରେ ଗୋପାଳପୁର ପୋଲିସ ଏକ ମାମଲା ରୁଜୁ କରିଥିଲା।
ଦୈତାରି ଏବଂ ଗ୍ୟାସ ଏଜେନ୍ସି ମାଲିକ ତ୍ରିଲୋଚନ ପାଣିଗ୍ରାହୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଗ୍ୟାସ ଏଜେନ୍ସି ମାଲିକ ତ୍ରିଲୋଚନଙ୍କୁ ଜାମିନ ମିଳିଯାଇଛି। କିନ୍ତୁ ଦୈତାରି ଜେଲରେ ଅଛନ୍ତି।

