ନବରଙ୍ଗପୁର: ଦୁଇଟି ବ୍ଲକର ୮ଟି ପଞ୍ଚାୟତକୁ ଅନ୍ଧାର କରିଦେଲା ମୂଷା। ଦୀର୍ଘ ୮ ଘଣ୍ଟା ଧରି ଅନ୍ଧକାରରେ ରହିଲେ ୮ ପଞ୍ଚାୟତର ଲୋକେ। ଏପରି ଖବର ଆସିଛି ନବରଙ୍ଗପୁର ଜିଲ୍ଲାରୁ। ମରାମତି ପରେ ବିଦ୍ୟୁତ ସେବା ସ୍ୱଭାବିକ ହୋଇଛି।
ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ସଦର ମହାକୁମାରେ ରହିଛି ଟାଟା ପାୱାର ଷ୍ଟ୍ରକ୍ଚର। ଏଠାରୁ ତେନ୍ତୁଳିଖୁଣ୍ଟି ବ୍ଲକର କୁକୁଡ଼ାବାଇ, ତେନ୍ତୁଳିଖୁଣ୍ଟି, ପୂଜାରୀଗୁଡା, ଦିଗି, ଲମତାଗୁଡା, ମଞ୍ଚଗାଁ ପଞ୍ଚାୟତ ଏବଂ ନନ୍ଦାହାଣ୍ଡି ବ୍ଲକର ମେଣ୍ଟ୍ରି ଓ ଧଣ୍ଡରା ପଞ୍ଚାୟତକୁ ବିଦ୍ୟୁତ ସଂଯୋଗ ଦିଆଯାଇଛି।
ତେବେ ମଙ୍ଗଳବାର ଭୋର ପ୍ରାୟ ସାଢ଼େ ୫ଟା ବେଳେ ଗୋଟିଏ ମୂଷା ଷ୍ଟ୍ରକ୍ଚର ୫ ଏମ୍ଭିଏ ବିଦ୍ୟୁତ ଟ୍ରନ୍ସଫର୍ମର ଉପରେ ଚଢ଼ି ଯାଇଥିଲା। ମୂଷା ଚଢ଼ିବା ପରେ ଶର୍ଟସର୍କିଟ୍ ହୋଇ ନିଆଁ ଲାଗି ଯାଇଥିଲା। ଫଳରେ ଉଭୟ ନନ୍ଦାହାଣ୍ଡି ଓ ତେନ୍ତୁଳିଖୁଣ୍ଟି ବ୍ଲକର ୮ଟି ପଞ୍ଚାୟତକୁ ବିଦ୍ୟୁତ ସରବରାହ ବନ୍ଦ ହୋଇଯାଇଥିଲା। ସେଠାରେ ମୁତୟନ ଥିବା କର୍ମଚାରୀମାନେ ନିଆଁ ଲିଭାଇ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ସୂଚନା ଦେଇଥିଲେ।
ନିଆଁ ଲାଗିବା ଦ୍ୱାରା ସବୁ ବିଦ୍ୟୁତ ସରଞ୍ଜାମ ପୋଡ଼ି ହୋଇ ଯାଇଥିଲା। ନବରଙ୍ଗପୁର ଓ ଜୟପୁରରୁ ଯନ୍ତ୍ରୀମାନେ ଆସି ମରାମତି କାମ କରିଥିଲେ। ଦୀର୍ଘ ୮ ଘଣ୍ଟାର ଉଦ୍ୟମ ପରେ ଅପରାହ୍ନ ପ୍ରାୟ ୨ଟା ବେଳେ ବିଦ୍ୟୁତ ସରବରାହ ସ୍ୱଭାବିକ ହୋଇଛି।